ପୃଷ୍ଠା:Aama Parala Gajapati.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଶେଷଭାବେ ଆନନ୍ଦିତ ହୋଇଥିଲେ ମହାରାଜା ସେହି ଅଣଆନୁଷ୍ଠାନିକ ଶିକ୍ଷାକେନ୍ଦ୍ରରେ ବାଳିକାଗଣଙ୍କ ଆଗ୍ରହ ଲକ୍ଷ୍ୟକରି । ତାହାକୁ ବିଧିବଦ୍ଧ ଭାବେ ଏକ ସ୍କୁଲ ରୂପେ ସ୍ଥାପନ କରାଯିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର କୋଠାଘର ନିର୍ମାଣ କରାଇଥିଲେ । ତାହା ହିଁ ଆଜିର ପାରଳାଖେମୁଣ୍ଡି ସହରସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ । ପ୍ରାଥମିକ ଅବସ୍ଥାରେ ସେଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ପ୍ରଚଳନ କରାଯାଇ ବିଭିନ୍ନ ଆନୁଷ୍ଠାନିକ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ତା’ପରେ କ୍ରମଶଃ ମାଟ୍ରିକ୍ ପର୍ଯ୍ୟନ୍ତ ପାଠ୍ୟକ୍ରମର ବ୍ୟବସ୍ଥା ହୋଇଥିଲା । ପ୍ରାଥମିକ ଅବସ୍ଥାରେ ବାଳିକାମାନଙ୍କୁ ଶିକ୍ଷାପ୍ରାପ୍ତି ପାଇଁ ଆକୃଷ୍ଟ କରାଇବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଉତ୍ସାହପ୍ରଦ ବ୍ୟବସ୍ଥାମାନ ଗ୍ରହଣ କରିଥିଲେ ପାରଳା ଗଜପତି ।

ପ୍ରତିବର୍ଷର ବାର୍ଷିକ ପରୀକ୍ଷାଫଳ ପ୍ରକାଶପାଇବା ପରେ ବିଭିନ୍ନ ପୁରସ୍କାରମାନ ପ୍ରଦାନ କରାଯାଉଥିଲା । ପ୍ରତି ଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଜଣକ ପାଉଥିଲେ କାନରେ ପିନ୍ଧାଯାଉଥିବା ସୁନାର ଅଳଙ୍କାର ‘ସେବତୀ ଫୁଲ’ । ତାହାର ଓଜନ ଥିଲା ତିନିଅଣା (ଆପାତତଃ ଭରିଏ ସୁନାର ଓଜନ ୧୬ ଅଣା ସହିତ ସମାନ) । ସେହିଭଳି ଦ୍ବିତୀୟ ହୋଇଥିବା ଛାତ୍ରୀଙ୍କପାଇଁ ପ୍ରୋତ୍ସାହିତ ଦ୍ରବ୍ୟ ଥିଲା ଶାଢ଼ିଟିଏ । ତତ୍‌କାଳୀନ ପରିବେଶରେ ଝିଅପିଲାମାନେ ଟିକିଏ ବଡ଼ ହୋଇଗଲା ପରେ- ପ୍ରାୟ ଆଠ ଦଶବର୍ଷ ବେଳରୁ ଅର୍ଥାତ ସେଇ କୁମାରୀ ବୟସରୁ ହିଁ ଶାଢ଼ିପିନ୍ଧିବା ଆରମ୍ଭ କରୁଥିଲେ । ତେଣୁ ସାମାଜିକ ବ୍ୟବସ୍ଥା ସହିତ ତାଳ ଦେଇ ସେଇ ପ୍ରକାରର ବିବେଚନା ଉତ୍ତମ ବୋଲି ମନେ ହୋଇଥିଲା । ପୁଣି ପ୍ରତ୍ୟେକ ଶ୍ରେଣୀରେ ତୃତୀୟ ହୋଇ ପାସ୍ କରିଥିବା ଛାତ୍ରୀଗଣଙ୍କ ପାଇଁ ମଧ୍ୟ ଉଦ୍ଧିଷ୍ଟ ସେହିଭଳି କିଛିକିଛି ପରିଧାନ ସାମଗ୍ରୀ ସ୍କଟ, ବ୍ଲାଉଜ୍ ଇତ୍ୟାଦି । ମହାରାଜାଙ୍କ ସେଦିନର ସେହି ଉଦ୍ୟମ ବେଶ୍ ଫଳପ୍ରଦ ମନେହୋଇଥିଲା । ଆପଣା ରାଜ୍ୟରେ ଶିକ୍ଷାର ବିସ୍ତାର ତଥା ସଂସ୍କାରପାଇଁ ମହାରାଜା କୃଷ୍ଣଚନ୍ଦ୍ରଙ୍କ ମନୋବୃତ୍ତି ଏସବୁଥିରୁ ବେଶ୍ କଳନା କରାଯାଇପାରେ ।

ଇଂରେଜ ସରକାର ସିନା ପାରଳା ରାଜ୍ୟକୁ ଏକ ଜମିଦାରି ରୂପେ ଗ୍ରହଣ କରିଥିଲେ, ହେଲେ ଖେମୁଣ୍ଡି ରାଜ୍ୟର ବାସିନ୍ଦାମାନଙ୍କ ହୃଦୟର ବାସ୍ତବିକ ସମ୍ରାଟ ଥିଲେ ସେ, ସେମାନଙ୍କପାଇଁ ଯଥାର୍ଥରେ ଥିଲେ ଗଜପତି । ଏବଂ ଅନୁରୂପ ଭାବେ ପ୍ରଜାଗଣ ମଧ୍ୟ ଥିଲେ ରାଜାଙ୍କର ସତେଯେମିତି ସନ୍ତାନ । ତେଣୁ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ହିଁ ଥିଲା ରାଜାଙ୍କର କାମ୍ୟ । ସେମାନଙ୍କର ଉନ୍ନତିରେ ରାଜ୍ୟର ଉନ୍ନତି । ସାମାଜିକ, ନୈତିକ, ଆର୍ଥିକ ସବୁ କ୍ଷେତ୍ରରେ ଉନ୍ନତି ଆବଶ୍ଯକ ।

ରାଜ୍ୟରେ ଆର୍ଥିକ ପ୍ରଗତିପାଇଁ କୃଷି ଓ କୃଷକଙ୍କ ଉନ୍ନତି ସର୍ବାଦୌ ଆବଶ୍ୟକ ବୋଲି ମହାରାଜାଙ୍କ ଆନ୍ତରିକ ଅନୁଭବ ଥିଲା । ତେଣୁ ରାଜ୍ୟର ଅଧିକାଂଶ ଅଶିକ୍ଷିତ ପ୍ରଜାଙ୍କୁ ପରାମର୍ଶ ଦେଇ କୃଷିର ଉନ୍ନତିପାଇଁ ଚେଷ୍ଟା କରିବା କିମ୍ବା ସେଇ ଉପଦେଶଗୁଡ଼ିକୁ ବାସ୍ତବ କ୍ଷେତ୍ରରେ