ପୃଷ୍ଠା:Aama Parala Gajapati.pdf/୪୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରୟୋଗ କରି ତାହାର ପରିଣାମ ସହ ରାଜ୍ୟର କୃଷକଗଣଙ୍କୁ ଅଙ୍ଗୀଭୂତ କରାଇବା ମଧ୍ୟରୁ ଦ୍ବିତୀୟଟି ହିଁ ଅଧିକ ଫଳପ୍ରଦ ହେବ ବୋଲି ବିବେଚନା କରିଥିଲେ ସେ । ତେଣୁ ଚାଷ କ୍ଷେତ୍ରରେ କୌଣସି ନୂତନ ପଦ୍ଧତିର ପ୍ରଚଳନ କରାଇବା ପୁର୍ବରୁ ପ୍ରଥମେ ଆପଣାର କୃଷି କ୍ଷେତ୍ରରେ ତାହାର ପ୍ରୟୋଗାତ୍ମକ ଦିଗ୍‌ଦର୍ଶନ ଦେଉଥିଲେ ମହାରାଜା । ତା’ପରେ ତାହାର ପରିଣାମ ପ୍ରଜାମାନଙ୍କୁ ଦେଖାଇ ଦେଉଥିଲେ ପ୍ରତ୍ୟକ୍ଷ ଭାବେ ଏବଂ ସେହି ପ୍ରଣାଳୀ/ଚାଷକୁ ଆଦରେଇ ନେବାପଇଁ କୃଷକଗଣଙ୍କୁ ପ୍ରରୋଚିତ କରୁଥିଲେ ।

ସେଇ ଦୃଷ୍ଟିରୁ ଦେଖିଲେ ବାସ୍ତବରେ ସେ ଥିଲେ ଆଦର୍ଶ କୃଷକ ଏବଂ ଅଭିଜ୍ଞ ମଧ୍ୟ । ଜଣେ କୃଷକର ଭାଷାକୁ ଆପଣେଇ ନେବାରେ ସେ ଗର୍ବ ଅନୁଭବ କରୁଥିଲେ । କୃଷକଗଣଙ୍କ ସହ ଆତ୍ମୀୟ ଭାବ ସ୍ଥାପନ ଯୋଗୁଁ ସେ ସମସ୍ତଙ୍କ ନିକଟରେ ବେଶ୍ ଗ୍ରହଣୀୟ ହୋଇପାରିଥିଲେ ଏବଂ ପରିଣାମତଃ ଦେଶର ଅନ୍ୟାନ୍ୟ ଜମିଦାରିଗୁଡ଼ିକ ତୁଳନାରେ ପାରଳାଖେମୁଣ୍ଡିର ରୟତଗଣ ଆର୍ଥିକ ଦୃଷ୍ଟିରୁ ଉନ୍ନତ ଜୀବନଯାପନରେ ସମର୍ଥ ଥିଲେ । ସବୁବେଳେ ମହାରାଜାଙ୍କ ମତ ଥିଲା କୃଷିକ୍ଷେତ୍ରରେ କୃଷକର ପାଦପଡ଼ିବା ହିଁ ସର୍ବୋତ୍ତମ ସାରର ପ୍ରୟୋଗ । ତେଣୁ ଭୂମ୍ୟଧିକାରୀମାନେ କେବଳ ଘରେ ବସି ମାଲିକାନା ଜାହିର କଲେ ବାସ୍ତବରେ କୃଷିର ଉନ୍ନତି ହୋଇ ପାରିବ ନାହିଁ । ଯେତେବଡ଼ ଭୂମ୍ୟଧିକାରୀ ହୁଅନ୍ତୁ ପଛକେ, କୃଷିକ୍ଷେତ୍ର ବାରମ୍ବାର ପ୍ରଦର୍ଶନ କରିବା ଉଚିତ । ଆପଣାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଭିନ୍ନ ଚାଷ ହେବା ଉଚିତ । ପରିଣାମତଃ ନିଜେ ଚାଷଜମିର ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଅବଗତ ହେବା ସଂଗେ ସଂଗେ ଚାଷବାସର ବିଭିନ୍ନ ପର୍ଯ୍ୟାୟର କାର୍ଯ୍ୟ ତଦାରଖ କରିବା ଆବଶ୍ୟକ । ସେଇ ଆବଶ୍ୟକତାକୁ ନିଜ ରାଜ୍ୟର କୃଷକଗଣଙ୍କୁ ଯଥାର୍ଥରେ ଉପଲବ୍ଧି କରାଇବାରେ ସଫଳ ପ୍ରଚେଷ୍ଟା ମଧ୍ୟ କରୁଥିଲେ ।

ଉନ୍ନତ କୃଷିଲାଗି ରାସାୟନିକ ସାରର ପ୍ରୟୋଗ ତଥା ଉନ୍ନତ ଧରଣର ବିହନର ଉପଯୋଗିତା ସଂପର୍କରେ ରାଜ୍ୟବାସୀଙ୍କୁ ବୁଝାଇବା ପରିବର୍ତ୍ତେ ପ୍ରଥମେ ଆପଣ କ୍ଷେତ୍ରରେ ସେସବୁର ପ୍ରୟୋଗ କରି ପରୀକ୍ଷାମୂଳକ ଭାବେ ଦେଖାଇ ଦେଉଥିଲେ । ତା’ପରେ ସେସବୁର ସେହି ଭାବରେ ଉପଯୋଗ କରିବାଲାଗି ଚାଷୀମାନଙ୍କୁ ପରାମର୍ଶ ଦେଉଥିଲେ । ପରିଣାମତଃ ସେଇସବୁ ପଦ୍ଧତି ରାଜ୍ୟରେ ବେଶ୍ ଆଦୃତ ହେଉଥିଲା ।

ପାରଳାଖେମୁଣ୍ଡିରୁ ଗୁମ୍ମା ଯିବା ରାସ୍ତାରେ ଏବଂ ରାଜଧାନୀ ସହରଠାରୁ ଅନତିଦୂରରେ ମହାରାଜାଙ୍କର ଏକ ବିରାଟ କୃଷି ଫର୍ମ- ‘ହୋମ୍‌ଫାର୍ମ୍’ ରହିଥିଲା । ଯେତେସବୁ ଆଧୁନିକ ଚାଷପ୍ରଣାଳୀର ପ୍ରୟୋଗ, ରାସାୟନିକ ସାର/କୀଟନାଶକ ଔଷଧର ବ୍ୟବହାର, ନୂତନ ଫସଲ ଆମଦାନୀର ନମୁନା ସବୁ ସେଇଠି ଆରମ୍ଭ ହେଉଥିଲା । ସେଠାକୁ ଯାଇ ରାଜ୍ୟର କୃଷକଗଣ ସେଇ ସବୁର ପରୀକ୍ଷା ନିରୀକ୍ଷା ତଥା ତାର ଫଳାଫଳକୁ ଅନୁଶୀଳନ କରୁଥିଲେ ପ୍ରଥମେ । ସେଠାରେ ବିଭିନ୍ନ ଫୁଲ ଓ ଫଳ ଚାଷରୁ ଆରମ୍ଭ କରି ଧାନ, ମାଣ୍ଡିଆ, ଆଖୁ ଇତ୍ୟାଦି ଫସଲ

ଆମ ପାରଳା ଗଜପତି ୪୭