ପୃଷ୍ଠା:Aama Parala Gajapati.pdf/୪୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେଉଥିଲା। ମହାରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ । ପ୍ରତିଦିନ ମହାରାଜା ପ୍ରାୟ ଦୁଇ ବେଳା ସେଠାକୁ ଯାଉଥିଲେ ପାରଳାରେ ରହିବା ଅବସରରେ । ଅନେକ ସମୟରେ ନିଜେ ସେ ଫୁଲଗଛଗୁଡ଼ିକରେ ପାଣିଦେବାଠାରୁ ଆରମ୍ଭ କରି ଘାସ ବାଛିବା କାର୍ଯ୍ୟ ମଧ୍ୟ କରୁଥିଲେ । ସେଠାରୁ ଫେରିବାବେଳେ କଅଁଳ ଛନଛନିଆ ଘାସ ଆପଣା ଦାମୀ କାରର ସାରା ପଛସିଟରେ ବୋଝେଇ କରି ଫେରିଆସୁଥିଲେ ରାଜ ନଅରକୁ । ରାଜ ନଅର ଭିତରେ ରହୁଥିବା ଗୋରୁ ଗାଈଙ୍କ ପାଇଁ ସେଇ ଘାସର ପ୍ରୟୋଜନ ।

ଗୋପାଳନ ମହାରାଜାଙ୍କର ଥିଲା ଅନ୍ୟ ଏକ ସଉକ । ନିଜ ଗୋଶାଳାରେ କେବଳ ଦେଶୀୟ ଗୋରୁଗାଈଙ୍କୁ ନରଖି ବିଭିନ୍ନ ଉନ୍ନତ କିସମର ଗାଈଗୋରୁଙ୍କୁ ପାଳନ କରୁଥିଲେ । ସେଥିରେ ମହାରାଜାଙ୍କର ଦୁଇଟି ଉଦ୍ଦେଶ୍ୟ ଥିଲା- ପ୍ରଥମ ହେଲା ରାଜ୍ୟରେ ପ୍ରଚୁର ପରିମାଣରେ ଦୁଗ୍ଧ ଓ ଦୁଗ୍ଧଜାତୀୟ ଦ୍ରବ୍ୟର ଉପଲବଧି ଏବଂ ଦ୍ବିତୀୟ- ଗୋଶାଳାରୁ ଉପଲବ୍‌ଧ ଗୋବର ଇତ୍ୟାଦି ଖତର କୃଷି କ୍ଷେତ୍ରରେ ପ୍ରୟୋଗ । କମ୍ପୋଷ୍ଟ ଖତ ତୟାର କରିବାପାଇଁ ଯେଉଁ ପନ୍ଥା ସହଜରେ ରାଜ୍ୟର ଗ୍ରାମ୍ୟ କୃଷକଗଣ ଅନୁକରଣ କରିପାରିବେ ସେଭଳି ବ୍ୟବସ୍ଥା ପ୍ରଥମେ ଗ୍ରହଣ କରୁଥିଲେ । ବଡ଼ବଡ଼ ଗଛର ଛାଇ ତଳେ ପ୍ରାୟ ତିନି ଫୁଟ ଗଭୀରର ଗାତଟିଏ ଖୋଳି ସେଥିରେ ଗୁହାଳରୁ ବାହାରୁଥିବା ଗୋବର, ଗୋମୂତ୍ର ମିଶ୍ରିତ ପାଳ, ନଡ଼ା, କୁଟା ଇତ୍ୟାଦି ମଇଳା ସେଇ ଖାତରେ ଦୈନିକ ଭର୍ତ୍ତି ହେଉଥିଲା । ସେଥିରେ କିଛି ସୁପରଫସ୍‌ଫେଟ୍ ମିଶାଇ ଦେଇ କିଛି ଦିନ ଛାଡ଼ିଦିଆଯାଉଥିଲା । ତା’ପରେ ତାହାକୁ ବାହାର କରିଆଣି ଚାଷ ଜମିରେ ବ୍ୟବହୃତ ହେଉଥିଲା । ପରିଣାମତଃ ଫସଲ ଅମଳରେ ବୃଦ୍ଧି ପରିଲକ୍ଷିତ ହେଉଥିଲା ଜମି ଉର୍ବର ହେବା କାରଣରୁ । ମହାରାଜାଙ୍କ ସେହି ପ୍ରଣାଳୀ ରାଜ୍ୟର କୃଷକମାନଙ୍କଦ୍ବାରା ବେଶ ଆଦୃତ ହେବା ସଙ୍ଗେ ରାଜ୍ୟର ଗ୍ରାମେ ଗ୍ରାମେ ବହୁଳ ଭାବରେ ଅନୁସୃତ ହୋଇଥିଲା । ଅନେକ ସମୟରେ ଉନ୍ନତ ଧରଣର ଗାଈଗୋରୁଗୁଡ଼ିକୁ ରାଜ୍ୟର ପ୍ରଜାଙ୍କୁ ଉପହାର ତଥା ବିକ୍ରୀ ମାଧ୍ୟମରେ ଦେବା ଫଳରେ ଗାଆଁଗଣ୍ଡାରେ ଉନ୍ନତ ଜାତିର ଗାଈଗୋରୁଙ୍କ ପାଇଁ ଆଦର ବୃଦ୍ଧି ପାଉଥିଲା । ଦେଶୀୟ ପଶୁପାଳନ ସଂଗେ ସଂଗେ ଉନ୍ନତ ଧରଣର ପଶୁଙ୍କୁ ବି ପାଳନ କରି କୃଷକଗଣ ବେଶ୍ ଲାଭବାନ ହୋଇପାରୁଥିଲେ ।

ଆପଣା ନଅର ଗୋଶାଳାରେ ଏକ ସମୟରେ ପ୍ରାୟ ପଚାଶରୁ ଷାଠିଏ ଗୋରୁ ରହୁଥିବାବେଳେ ‘ହୋମ୍‌ଫାର୍ମ୍’ରେ ମଧ୍ୟ ଏକ ବିରାଟ ଗୋଶାଳା ରହିଥିଲା । ସେଇ ଗୋରୁଗାଈଙ୍କ ଉତ୍ତମ ରକ୍ଷଣାବେକ୍ଷଣ ପାଇଁ ବିଶେଷ ତତ୍ପର ଥିଲେ ମହାରାଜା । ସେମାନଙ୍କ ସ୍ୱାସ୍ଥ୍ୟତତ୍ତ୍ବାବଧାନପାଇଁ ଜଣେ ଅଭିଜ୍ଞ ପଶୁଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏକ ଚିକିତ୍ସାଳୟର ଆୟୋଜନ ମଧ୍ୟ ହୋଇଥିଲା । ସେଇ ପଶୁଡାକ୍ତରଖାନାର ଦ୍ବାର ରାଜ୍ୟର ସମସ୍ତଙ୍କ ଲାଗି ସର୍ବଦା ଉନ୍ମୁକ୍ତ ରହିଥିଲା ।
୪୮ ଆମ ପାରଳା ଗଜପତି