ପୃଷ୍ଠା:Aama Parala Gajapati.pdf/୪୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଜ୍ୟରେ କୃଷିର ବିକାଶ ପାଇଁ ମହାରାଜାଙ୍କ ଦିଗଦର୍ଶନ ବାସ୍ତବରେ ବିଶେଷ ଉଲ୍ଲେଖଯୋଗ୍ୟ । ପରୀକ୍ଷାମୂଳକ ଭାବେ ସେ ପ୍ରଥମେ କୋଏମ୍ବାଟୁର୍ ଜାତୀୟ ଆଖୁଚାଷ ହୋମ୍‌ଫାର୍ମ୍‌ରେ ଆରମ୍ଭ କରିଥିଲେ । ତାହା ବିଶେଷ ଲାଭଦାୟକ ପ୍ରମାଣିତ ହେବା ପରେ ପରେ ରାଜ୍ୟର ଚାଷୀଗଣଙ୍କୁ ତାହା ବ୍ୟବହାର କରିବାପାଇଁ ଉତ୍ସାହିତ କରିଥିଲେ । ଆପଣା କୃଷିଫାର୍ମରୁ ରାଜ୍ୟବାସୀଙ୍କ ପାଇଁ ପ୍ରଥମେ ବିହନ ଯୋଗାଣର ବ୍ୟବସ୍ଥା କରାଇଥିଲେ । ତାଙ୍କ ଦ୍ବାରା ଆଖୁରୁ ଗୁଡ଼ ତିଆରି ପଦ୍ଧତି, ଆଖୁଶାଳର ଚୁଲା ନିର୍ମାଣ, ଅଖୁରୁ ରସ ବାହାର କରିବାପାଇଁ ପେଡ଼ିବା ବ୍ୟବସ୍ଥା ତଥା ଗୁଡ଼ ସାଇତା ଢଙ୍ଗ ସାରା ରାଜ୍ୟରେ ବେଶ୍ ଜନପ୍ରିୟତା ହାସଲ କରିଥିଲା । ସେଇ ସବୁକୁ ଲୋକେ ଦେଖି ଅନୁକରଣ କରିଥିଲେ । ଯେଉଁସବୁ ଶୁଖିଲା ଜମିରେ କୂଅ ଖୋଳାଯାଇପାରୁଥିଲା, ମହାରାଜାଙ୍କ କରୁଣା ଲାଭ କରି ତାଙ୍କରି ପ୍ରଜାଗଣ ସେଇସବୁ ସ୍ଥାନରେ ଲେମ୍ବୁଜାତୀୟ ଫଳବଗିଚା ଛିଡ଼ା କରାଇଥିଲେ ।

ଜମିଦାରିର ସମତଳ ଅଞ୍ଚଳଗୁଡ଼ିକରେ ଧାନ, ମଣ୍ଡିଆ ପ୍ରଭୃତି ମୁଖ୍ୟ ଫସଲ ଉତ୍ପାଦିତ ହେଉଥିବା ବେଳେ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ଯବ, ମକା ଇତ୍ୟାଦି ଚାଷ ହେଉଥିଲା । ମହାରାଜା କୃଷ୍ଣଚନ୍ଦ୍ରଙ୍କ ପ୍ରେରଣା ଲାଭକରି ରାଜ୍ୟର କୃଷକମାନେ ଆଳୁ, ବିଭିନ୍ନ ପ୍ରକାରର କୋବି, ମୂଳା ତଥା ଉନ୍ନତ କିସମର ମକା ଚାଷ କରି ବେଶ୍ ଉପକୃତ ହେଉଥିଲେ । ମୁଖ୍ୟତଃ ସେସବୁ କରାଯିବା ଫଳରେ ସାରା ରାଜ୍ୟର ପ୍ରଜାଗଣ ପନିପରିବାର ଅଭାବ ଅନୁଭବ କରିପାରୁ ନଥିଲେ ।

ରାଜ୍ୟର ବିଭିନ୍ନ ଫସଲ ଉତ୍ପାଦନପାଇଁ ବିଶେଷ ସହାୟକ ହେଉଥିଲା ବିଭିନ୍ନ ଜଳସେଚନ ଯୋଜନା । ପାରମ୍ପରିକ ଭାବରେ ରାଜ୍ୟରେ କୃଷିପାଇଁ ଜଳସେଚନ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ ପାରଳାର ରାଜନ୍ୟବର୍ଗ । ଏହାହିଁ ତ ରାଜଧର୍ମର ନମୁନା । ପ୍ରାୟ ଦୁଇଶହ ଏକର ଜମି ଜଳସେଚିତ ହୋଇପାରିବା ଭଳି ଯୋଜନା ବୃହତ୍ ଯୋଜନା ରୂପେ ପରିଗଣିତ ହେଉଥିଲା । ଗଜପତି କୃଷ୍ଣଚନ୍ଦ୍ରଙ୍କ ଅମଳରେ ରାଜ୍ୟରେ ସେହିଭଳି ୩୬ଟି ବୃହତ୍ ଯୋଜନା କାର୍ଯ୍ୟକ୍ଷମ ହେବାବେଳେ ଅନ୍ୟ ୪୭୯ଟି କ୍ଷୁଦ୍ର ଜଳସେଚନ ଯୋଜନା କାର୍ଯ୍ୟକାରୀ ହେଉଥିଲା ସମଗ୍ର ରାଜ୍ୟରେ । ସେହି ସମସ୍ତ ୫୧୫ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପ୍ରାୟ ୨୭,୪୩୮ ଏକର ଜମିରେ ଜଳସେଚନ ସୁବିଧା ହୋଇପାରିଥିବାରୁ ବର୍ଷସାରା ଜମିଗୁଡ଼ିକ ଫସଲ ଉତ୍ପାଦନ ପାଇଁ ଯୋଗ୍ୟ ଥିଲା । ତାଙ୍କର ଅମଳରେ ଗଜପତି ମହାରାଜା ଆଉ ଦୁଇଟି ବୃହତ୍ ଜଳପ୍ରକଳ୍ପର ସଫଳ ରୂପାୟନ କରିଥିଲେ । ସେଥିରୁ ଗୋଟିକର ନାମକରଣ ହୋଇଥିଲା ନିଜ ନାମାନୁସାରେ କୃଷ୍ଣଚନ୍ଦ୍ର ସାଗର ଏବଂ ଅନ୍ୟଟି ମହାରାଣୀଙ୍କ ନାମନୁଯାୟୀ ହୋଇଥିଲା ନଳିନୀକୃଷ୍ଣ ସାଗର । ତାହାକୁ ଲୋକେ ‘ବାଗା’ ସଗର ବୋଲି କହୁଥିଲେ । ରାଜ୍ୟବାସୀଙ୍କ ପାଇଁ ଉଦ୍ଧିଷ୍ଟ ସେହି ଜନହିତକର ଜଳସେଚନ ପ୍ରଣାଳୀଗୁଡ଼ିକର ରକ୍ଷଣାବେକ୍ଷଣପାଇଁ ଜଣେ ବିଶେଷଜ୍ଞ ପ୍ରବାସୀ ଇଂଜିନିୟରଙ୍କୁ ନିଯୁକ୍ତ କରିଥିଲେ ମହାରାଜା । ସେ ବିଶେଷ କରି କୃଷି ଉତ୍ପାଦନ ସଂପର୍କୀୟ ଦୀର୍ଘ ମିଅଦୀ ଯୋଜନାଗୁଡ଼ିକୁ ଅଧିକ ଗୁରୁତ୍ୱ ଦେଉଥିଲେ ।