ପୃଷ୍ଠା:Aama Parala Gajapati.pdf/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାଙ୍କରି ଜମିଦାରିରେ ଅତି ଅନୁନ୍ନତ ଲାଞ୍ଜିଆ ସଉରା ସଂପ୍ରଦାୟର ସଂଖ୍ୟା ଥିଲା ବେଶ୍ ଅଧିକ । ତେଣୁ ସେ ମନେ କରୁଥିଲେ, ବାସ୍ତବରେ ସେଇମାନଙ୍କର ହିଁ ସେ ରାଜା । ତେଣୁ ସେମାନଙ୍କୁ ଅନୁଧ୍ୟାନପଇଁ ସେ ସଉରାମାଳକୁ ଗସ୍ତ କରୁଥିଲେ । ହେଲେ ରାଜପୋଷାକରେ ନୁହେଁ କିମ୍ବା ଥାଟବାଟ ନେଇ ନୁହେଁ, ଯାଉଥିଲେ ଜଣେ ଲାଞ୍ଜିଆ ସଉରା ଭଳି । ଅଚାନକ ଭାବରେ ଥରେଥରେ କିଛି ରାଜକର୍ମଚାରୀଙ୍କୁ ଆଦେଶ ଦେଉଥିଲେ ତାଙ୍କରି ସହିତ ଯିବାପଇଁ । ସେଥର ଯେଉଁ ଅଞ୍ଚଳକୁ ଯିବାଲାଗି ସେ ମନସ୍ଥ କରୁଥିଲେ ତାହାର ସୀମାପର୍ଯ୍ୟନ୍ତ ଯାତ୍ରା କରୁଥିଲେ କାର ଯୋଗେ । ସେଠାରୁ ସଉରା ପଲ୍ଲୀକୁ ଯିବା ପୂର୍ବରୁ ଜଣେ ଅଦିବାସୀ ବେଶରେ ସଜ୍ଜିତ ହେବା ପରେପରେ ଫେରାଇ ଦେଉଥିଲେ ଆପଣା କାର୍ ଏବଂ ରାଜକର୍ମଚାରୀଗଣଙ୍କୁ । ନିର୍ଦ୍ଦେଶ ଦେଉଥିଲେ ପୁଣି କେଉଁଦିନ, କେତେବେଳେ ଏବଂ କେଉଁସ୍ଥାନକୁ ଗାଡ଼ି ଆସିବ ଫେରି ଯିବାପାଇଁ । ସେହି ସମୟର ବ୍ୟବଧାନ ବେଳେବେଳେ ସାତ ଆଠ ଦିନରୁ ଆରମ୍ଭ କରି ଦଶ ପନ୍ଦର ଦିନ ପର୍ଯ୍ୟନ୍ତ ହେଉଥିଲା ।

ସୀମାନ୍ତରେ ଓହ୍ଲାଇ ପଡ଼ି ପ୍ରଥମେ ଆପଣାର ପୋଷାକ ପରିବର୍ତ୍ତନ କରୁଥିଲେ । ପରିଧାନରେ ପାଲଟି ଯାଉଥିଲେ ଯଥାର୍ଥରେ ଜଣେ ଲାଞ୍ଜିଆ ସଉରା । ଚାଖଣ୍ଡେ ଓସାରର ପ୍ରାୟ ୨୦ ହାତ ଲମ୍ବର 'ଲେଞ୍ଜ’ (ଧୋତିପଟି) ଲେଙ୍ଗ୍‌ଟି ‌ଭଳି ପିନ୍ଧୁଥିଲେ । ତାହା ଏଭଳି ଭାବରେ ପିନ୍ଧା ହେଉଥିଲା ଯେ ସେଇ ଲେଞ୍ଜର ଦୁଇ ମୁଣ୍ଡରୁ ଗୋଟିଏ ପିଠି ପଟରେ ଲାଞ୍ଜ ଭଳି ଝୁଲି ରହୁଥିବା ବେଳେ ଆରପଟଟି ସାମନାପଟରେ ଆଣ୍ଠୁ ପର୍ଯ୍ୟନ୍ତ ଝୁଲି ରହୁଥିଲା । ଧୋତିପଟିର ମଝି ଅଂଶଟି ବେଶ୍ ଶକ୍ତ ଭାବେ ଅଣ୍ଟାରେ ଗୁଡ଼ା ହୋଇ କୌପୀନ ଭଳି ଦେଖାଯାଉଥିଲା । ଲେଞ୍ଜର ଦୁଇ ଝୁଲା ଅଂଶରେ ପ୍ରାୟତଃ ନାଲି ସୂତାରେ ଖଚିତ ହେଉଥିଲା ବେଶ କାରୁକାର୍ଯ୍ୟ । ଅଣ୍ଟା ଉପରକୁ ସାରା ଦେହ ଫୁଙ୍ଗୁଳା ପ୍ରାୟ, ସେମିତି ଦୁଇଟିଯାକ ଗୋଡ଼ । ବେକରେ କିଛି କିଛି ମାଳି- ତାହା କାଠଖଣ୍ଡର ହେଉ ବା ହେଉ ଜଙ୍ଗଲର କିଛି ଫଳ ମଂଜିରେ ପ୍ରସ୍ତୁତ । ଦୁଇ ହାତରେ ବଳାସେହିଭଳି ମାଳି ଗୁନ୍ଥା ହୋଇ ବି ହୋଇପାରେ । ମୁଣ୍ଡରେ ଅଣ ଓସାରିଆ ପଟି–ବିଶେଷକରି ନାଲି ରଂଗର ଏବଂ ମଧ୍ୟ କିଛି କାରୁକାର୍ଯ୍ୟଯୁକ୍ତ । ସେଇ ପଟିରେ ଖୁଞ୍ଚା ହୋଇଥିବା ମୟୂରପୁଚ୍ଛ, ପୁଣି ବଗ ତଥା ଅନ୍ୟାନ୍ୟ ରଂଗବେରଂଗ ପକ୍ଷୀ ପରର ଅପୂର୍ବ ସମାବେଶ । ଗୋଟିଏ କାନ୍ଧରେ ଝୁଲୁଥିବ ଧନୁ ଓ ତୂଣୀର, ଅନ୍ୟ କାନ୍ଧରେ ଟାଙ୍ଗିଆଟିଏ । ଖୋପ ଭିତରେ ଥାଇ ଲମ୍ବାଛୁରୀଟିଏ ଓହଳି ରହିଥିବ ଅଣ୍ଟାରେ । ପୁଣି ଦୁଇ ତିନୋଟି ଲାଉ ତୁମ୍ବା ଲମ୍ବା ଡୋରିରେ ବନ୍ଧାହୋଇ ଝୁଲି ରହିଥିବ କାନ୍ଧରୁ । କେଉଁଥିରେ ପିଇବାପାଣି ତ କେଉଁଥିରେ ଅନ୍ୟ କିଛି ଖାଦ୍ୟପାନୀୟ ।

ସେଭଳି ବେଶ ପୋଷାକ ସହିତ ମହାରାଜା ସାଂଗରେ ନେଉଥିଲେ ନିଜର ବନ୍ଧୁକ ଏବଂ ବେକରୁ ଅଣ୍ଟାଯାଏଁ ଝୁଲୁଥିବା ଚମଡ଼ା ବେଲ୍‌ଟରେ ସଜ୍ଜିତ ହୋଇ ରହିଥିବା ଗୁଳି । ପାଦରେ ଯୋତା କିମ୍ବା ଚପଲ । ସେଭଳି ବେଶ ସାଙ୍ଗକୁ ବେଳେବେଳେ ମଧ୍ୟ ନେଉଥିଲେ ହାଫ୍ ପ୍ୟାଣ୍ଟ୍, ସାର୍ଟ ଏବଂ ଟୋପି । ସେଇ କେତେଦିନପାଇଁ ସେତକ ଯଥେଷ୍ଟ । ତୁଳିତଳ୍ପ ଶଯ୍ୟା