ପୃଷ୍ଠା:Aama Parala Gajapati.pdf/୫୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଜାମଙ୍ଗଳପାଇଁ ରାଜାର ପବିତ୍ର କର୍ତ୍ତବ୍ୟବୋଧର ସଂପୂର୍ଣ୍ଣ ପ୍ରତିଫଳନ । ରାଜ୍ୟବାସୀଙ୍କ ସୁରକ୍ଷାପାଇଁ ମହାରାଜା ଥିଲେ ସଦାସର୍ବଦା ତତ୍‌ପର ।

ଥରକର ଘଟଣା (ସମ୍ବବତଃ ତାହା ଥିଲା ୧୯୨୧ ମସିହା ସେପ୍ଟେମ୍ବର ମାସ ।)

ଆକାଶକୁ ଘୋଡ଼ାଇ ପକାଇଥିଲା କଳାହାଣ୍ଡିଆ ମେଘ । ପ୍ରବଳ ଘଡ଼ଘଡ଼ି ଚଡ଼ଚଡ଼ି ସାଙ୍ଗକୁ ହେଲା ପ୍ରବଳ ବର୍ଷା । ସେହିଭଳି ଚାଲିଲା ତିନିଦିନ ତିନିରାତି । ସେଭଳି ବର୍ଷଣ ମୁଖର ରାତିରେ ମହାରାଜାଙ୍କ ନିଦ ଭାଙ୍ଗି ଯାଇଥିଲା । ଅକସ୍ମାତ୍ ତାଙ୍କରି ହୃଦବୋଧ ହୋଇଥିଲା ଯେ ସେମିତି ବର୍ଷା ଅଧିକ ଲାଗି ରହିଲେ ବଂଶଧାରା ନଦୀକୂଳସ୍ଥ କାଶୀନଗରରେ ତ ପାଣି ପଶିଯିବ ! ପୁଣି ମଧ୍ୟ ନଈକୂଳିଆ ଗାଆଁଗଣ୍ଡାର ଲୋକେ ବିପତ୍ତି ଭିତରକୁ ଟାଣି ହୋଇଯିବେ !

ପ୍ରବଳ ବର୍ଷ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ କିଭଳି ପ୍ରଭାବିତ ହୋଇଛି/ହେବାର ସମ୍ଭାବନା ଅଛି ସେ ନେଇ ପ୍ରଥମ ଦିନର ବର୍ଷା ବିତ୍ପାତ୍ତ ପରେ ପରେ ହିଁ ସେ ଖବର ସଂଗ୍ରହ କରିଥିଲେ । ସମ୍ଭବତଃ ସେତିକିବେଳେ ହିଁ ସେ ଜାଣିବାକୁ ପାଇଥିଲେ ଯେ କାଶୀନଗର ନିକଟରେ ନଦୀ ବନ୍ଧ ବିଶେଷ ଦୁର୍ବଳ ରହିଛି । ତା’ ପରେ ତ ଆହୁରି ଅଧିକ ବର୍ଷା ହେଲାଣି ।

ସେ କି ଆଉ ସମ୍ଭାଳି ରହିପାରନ୍ତେ । ଉଠି ବସିଲେ । ଦେଖିଲେ ରାତି ଦୁଇଟା ! ତଥାପି ତତ୍‌କାଳ ଖବର ପଠାଇଥିଲେ ଇଂଜିନିୟର ମି. ମୁଲ୍ଲାରଙ୍କୁ । ସେ ଥିଲେ ରାସ୍ତାଘାଟ ନିର୍ମାଣ ତଥା ଜଳସେଚନ ପ୍ରଣାଳୀଗୁଡ଼ିକର ତଦାରଖ ପାଇଁ ଥିବା ଇଂଜିନିୟରିଂ ବିଭାଗର ମୁଖ୍ୟ । ସେ ଖବର ପାଇ ତତ୍‌କାଳ ଉଆସରେ ପହଞ୍ଚିଥିଲେ । ପ୍ରଜାଙ୍କପାଇଁ ମହାରାଜାଙ୍କର କି କାତର ଭାବ ! ଅଭିଭୂତ ହୋଇଯାଇଥିଲେ ବିଦେଶୀ ଇଞ୍ଜିନିୟର ମି. ମୁଲ୍ଲାର । ସେ ସଂଗେସଂଗେ ପ୍ରସ୍ତୁତି ଆରମ୍ଭ କରିଥିଲେ କାଶୀନଗର ଯିବାପାଇଁ । କର୍ମଚାରୀମାନଙ୍କୁ ଡକାଇ ପଠାଇବା ସଂଗେସଂଗେ ସେହି କାର୍ଯ୍ୟପାଇଁ ମଧ୍ୟ ଯଥାସମ୍ଭବ ପ୍ରସ୍ତୁତିର ଆୟୋଜନ କରିଥିଲେ । ସେଥିପାଇଁ ପ୍ରାୟ ଦୁଇ ଘଣ୍ଟା ଲାଗି ଯାଇଥିଲା । ତା’ପରେ ବାହାରିଥିଲେ ସମସ୍ତେ ଚାଲିଚାଲି ।

ଖୋଦ୍ ମହାରାଜା ଆଗରେ । ସାଙ୍ଗରେ ୨୦/୨୫ ଜଣ ଲୋକ । ସେମାନେ ପାରଳାରୁ ବାହାରି ହାଡ଼ଭାଙ୍ଗିଠାରେ ପହଞ୍ଚିବା ବେଳକୁ ରାତି ପାହିଆସିଲାଣି । ପ୍ରଭାତୀ ଆଲୋକରେ ରାସ୍ତାରେ ପ୍ରଜାଏଁ ଦେଖିଥିଲେ ସ୍ୱୟଂ ମହାରାଜା ଚାଲିଛନ୍ତି କାଶୀନଗର ଆଡ଼କୁ । ସେଠାରୁ ଆହୁରି ପ୍ରାୟ ଦଶ କିଲୋମିଟର ରାସ୍ତା । ତଥାପି ବର୍ଷା ଚାଲିଛି । ତାରି ଭିତରେ ଯିଏ ମହାରାଜାଙ୍କୁ ଯେଉଁଠି ଦେଖିଲା, ଆସି ସାମିଲ ହୋଇ ଯାଉଥିଲା ଦଳରେ । ମି. ମୁଲ୍ଲାରଙ୍କ ପରାମର୍ଶକ୍ରମେ ରାସ୍ତାରୁ ଆପଣାର ଶକ୍ତି ମୁତାବକ ଖଣ୍ଡେ ଖଣ୍ଡେ ପଥର ଉଠାଇ ନେଉଥିଲେ ସେହି ଦଳର ସମସ୍ତେ । ମହାରାଜାଙ୍କ ସମେତ ସମସ୍ତେ ପ୍ରାୟ ବର୍ଷା ଜଡ଼ସଡ଼ ହୋଇ ମଧ୍ୟ ଚାଲିଥିଲେ ଆଗକୁ । ପ୍ରାୟ ସମସ୍ତଙ୍କ ହାତରେ ଛୋଟବଡ଼ ଖଣ୍ଡେ ଖଣ୍ଡେ ପଥର । ସେହି ଦଳର କଳେବର ମଧ୍ୟ ବୃଦ୍ଧିପାଇ ଚାଲିଥିଲା ସମୟକ୍ରମେ ।