ପୃଷ୍ଠା:Aama Parala Gajapati.pdf/୫୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହି ଦଳ କାଶୀନଗରରେ ପହଞ୍ଚିଲା ବେଳକୁ ଦେଖାଯାଇଥିଲା ସତକୁ ସତ ବଂଶଧାରା ନଦୀର ଜଳସ୍ତର ବଢୁଥିଲା ପ୍ରବଳ ବେଗରେ । ସୀମା ଟପିବା ବେଳ ! ପାହାଡ଼ିଆ ନଈ । ମିଷ୍ଟର ମୁଲ୍ଲାରଙ୍କ ତତ୍ତ୍ବାବଧାନରେ ନଈବନ୍ଧର ଦୁର୍ବଳ ସ୍ଥାନରେ ବନ୍ଧ ଆକାରରେ ପଥର ସବୁକୁ ସଜାଇ ଦିଆଯାଇଥିଲା । ମାତ୍ର ଅଧଘଣ୍ଟା ମଧ୍ୟରେ ଏକ ବିରାଟ ପଥରବନ୍ଧ ନିର୍ମିତ ହୋଇଯାଇଥିଲା । ସେତେବେଳକୁ ନଈର ବର୍ଷା ପାଣି ବିପରୀତ ଦିଗର ବିସ୍ତୀର୍ଣ୍ଣ ପ୍ରାନ୍ତର ତଥା ବିଲ-ବଣ-ତୋଟରେ ଉଚ୍ଛୁଳି ଉଠୁଥିଲା । ମି. ମୁଲ୍ଲାରଙ୍କ ନେତୃତ୍ବରେ ସମସ୍ତେ ଲାଗି ପଡ଼ିଥିଲେ ପଥରବନ୍ଧ ତୟାରିରେ । ମହାରାଜା ବି ସେମାନଙ୍କ ମଧ୍ୟରେ ଥିଲେ ଅନ୍ୟତମ । ସମସ୍ତେ ପ୍ରାୟ ପାଣିକାଦୁଅରେ ଜଡ଼ସଡ଼ । କେତେବେଳୁ ଏମାନେ ସମସ୍ତେ ବର୍ଷାରେ ଭିଜିଭିଜି ରାତିର ଅନ୍ଧାରରେ ସୁଦ୍ଧା ପାରଳାରୁ ଚାଲିଚାଲି କାଶୀନଗର ଆସି ନଦୀବନ୍ଧ ସଜାଡ଼ିବାରେ ସଂପୂର୍ଣ୍ଣ ନିଯୋଜିତ ଯେ ! କର୍ମଚାରୀଗଣଙ୍କୁ ବର୍ଷଣ ରାତିରେ ଚାଲିବାକୁ ଦେଇ ସେ କେମିତି ଗାଡ଼ିରେ ଆସିପାରିଥାନ୍ତେ ! ପୁଣି ପଦବ୍ରଜରେ ଆସିଥିବା ଯୋଗୁଁ ସିନା ଏତେ ବଡ଼ ସେବାଦଳଟିଏ ମନକୁ ମନ ଗଢ଼ି ଉଠିଥିଲା- ପଥରର ପାହାଡ଼ଟିଏ ସାଙ୍ଗରେ ଅଣାଯାଇ ପାରିଥିଲା !

ସେଭଳି ଅସ୍ୱାଭାବିକ ପରିସ୍ଥିତିରେ ପଥରବନ୍ଧ ନିର୍ମିତ ହୋଇସାରିବା ପରେ ମହାରାଜାଙ୍କ ଆତ୍ମସନ୍ତୋଷକୁ କିଏ ବା କଳନା କରିପାରିବ ! ଏଭଳି ଦରଦୀ ହୃଦୟଯୁକ୍ତ ମହାରାଜା କୃଷ୍ଣଚନ୍ଦ୍ରଙ୍କ ରାଜ୍ୟର ପ୍ରଜାଗଣ ତାହାଙ୍କୁ ପିତୃତୁଲ୍ୟ ମନେ କରିବେ ନାହଁ କେମିତି ?

କେବଳ ରାଜ୍ୟର ପ୍ରଜାଗଣଙ୍କ ବସ୍ତୁବାଦୀ/ପାର୍ଥିବ ଜୀବନର ଉନ୍ନତି କଳ୍ପେ ଯେ ସେ ଧ୍ୟାନ ଦେଉଥିଲେ ତା’ ନୁହେଁ, ରାଜ୍ୟର ପ୍ରଜାଗଣଙ୍କ ସମେତ ଓଡ଼ିଆମାନଙ୍କର ବୌଦ୍ଧିକ ଉନ୍ନତି ପାଇଁ ମଧ୍ୟ ସେ ଦରଦୀ ଥିଲେ । ସେ ଯଥାର୍ଥରେ ଥିଲେ ଓଡ଼ିଆ ସାହିତ୍ୟର ଜଣେ ପରମ ପୃଷ୍ଟପୋଷକ । ମହାରାଜାଙ୍କ ଜାତୀୟ ପ୍ରୀତି ହିଁ ଓଡ଼ିଆ ସାହିତ୍ୟ ପ୍ରୀତିକୁ ଅଧିକ ଅନୁରଣିତ କରିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ସେହି ଦୃଷ୍ଟିରୁ ଦେଖିଲେ, ଓଡ଼ିଆ ସାହିତ୍ୟ ଇତିହାସରେ ସ୍ପଷ୍ଟ ସ୍ୱାକ୍ଷର ରଖିପାରିବା ଭଳି ସୃଷ୍ଟି ତଥା ତାହାର ସ୍ରଷ୍ଟାଙ୍କୁ ଲୋକଲୋଚନକୁ ଆଣିବାପାଇଁ ଉଦ୍ୟମ କରିଥିଲେ ସେ । ବାସ୍ତବରେ ଗାଦି ଆସୀନ ହେବାବେଳକୁ ‘ଗଜପତି ପ୍ରେସ୍’ ସ୍ଥାପିତ ହୋଇ ସାରିଥିଲା । ଏଠାରେ ବିଶେଷ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ବାହାରେ ଥିବା ସେଇ ପୁଣ୍ୟଭୂମିରେ ଅନେକ ମୌଳିକ ଚିନ୍ତାଶୀଳ ଲେଖକ ସୃଷ୍ଟି ହୋଇଥିଲେ । ତାହାର ଅନ୍ୟତମ କାରଣ ହୋଇପାରେ ରାଜପରିବାରର ପୃଷ୍ଠପୋଷକତା । ମହାରାଜା କୃଷ୍ଣଚନ୍ଦ୍ର ମଧ୍ୟ ସେଥିରୁ କୌଣସି ବ୍ୟତିକ୍ରମ ନଥିଲେ ବରଂ ସେତେବେଳକୁ ସମଗ୍ର ଓଡ଼ିଶାରେ ଭାଷା ସାହିତ୍ୟର ସୁରକ୍ଷା ନୁହେଁ, ତାହାର ଉନ୍ନତିକଳ୍ପେ ବିଭିନ୍ନ ପଦକ୍ଷେପ ଅପରିହାର୍ଯ୍ୟ ମନେ ହୋଇଥିଲା ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆଙ୍କପାଇଁ ।

ଓଡ଼ିଆ ସାହିତ୍ୟ ଜଗତର ପୁରାତନ କୃତି ସମୂହର ପୁନଃପ୍ରକାଶନ ଲାଗି କଟକ, ବାଲେଶ୍ୱର, ବାମଣ୍ଡା ପ୍ରଭୃତି ସ୍ଥାନରେ ଉଦ୍ୟମ ଆରମ୍ଭ ହୋଇ ସାରିଥିଲା । ସେହି କ୍ରମରେ ମହାରାଜା