ପୃଷ୍ଠା:Aama Parala Gajapati.pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୃଷ୍ଣଚନ୍ଦ୍ର, ତାଙ୍କର ପୂର୍ୱ ବଂଶଧର ରାଜା ଜଗନ୍ନାଥ ଗଜପତି ନାରାୟଣ ଦେବଙ୍କର ଶ୍ରୀ ବୃନ୍ଦାବନ ଚନ୍ଦ୍ର ବିହାର (୧୭୬୬) କାବ୍ୟଟିକୁ ପ୍ରକାଶ କରିଥିଲେ (୧୯୧୭) । ସେହିଭଳି ପିତୃବ୍ୟ ପଦ୍ମନାଭ ଦେବଙ୍କ ଭାବବତୀ, ଚନ୍ଦ୍ରାବତୀ ସ୍ୱୟଂବର, ବାଣା ଦର୍ପଦଳନ, ଅହଲ୍ୟା ଶାପମୋଚନ, ଦାନ ପରୀକ୍ଷା ଇତ୍ୟାଦି ନାଟକ ସମେତ ପିତା ଗୌର ଗଜପତିଙ୍କ ଧ୍ରୁବ ନାଟକ ଏବଂ ଉଷା ପରିଣୟର ମୁଦ୍ରଣ କରାଇଥିଲେ ।

ଆପଣା ରାଜ୍ୟର କୃତି ସାହିତ୍ୟିକମାନଙ୍କ ସୃଷ୍ଟିଗୁଡ଼ିକ ମଧ୍ୟରୁ ନୀଳମଣି ରଥଶର୍ମାଙ୍କ ପାରଳା ପ୍ରଶଂସା; ସୀମାଦ୍ରି ପଟ୍ଟନାୟକଙ୍କ ପୃଥ୍ୱୀରାଜ; ସୀମାଦ୍ରି ପରିଚ୍ଛାଙ୍କ ନବାନୁରାଗ; ଶ୍ୟାମସୁନ୍ଦର ରାଜଗୁରୁଙ୍କ ପ୍ରବନ୍ଧାବଳୀ; ଅପର୍ଣ୍ଣା ପଣ୍ଡାଙ୍କ ପଦ୍ମନାଭ ଜୀବନୀ ଏବଂ ଦଶମାଳିକା ତତ୍ତ୍ୱବୋଧିନୀ ଇତ୍ୟାଦି ଗଜପତି ପ୍ରେସରୁ ପ୍ରକାଶଲାଭ କରିଥିଲା । ବିଶେଷ ଉଲ୍ଲେଖଯୋଗ୍ୟ ଯେ ପ୍ରକାଶିତ ଗ୍ରନ୍ଥଗୁଡ଼ିକ ମଧ୍ୟରେ ଗୋପାଳକୃଷ୍ଣ ପଦ୍ୟାବଳୀ, ଗୌରହରି (ପରିଚ୍ଛା) ଗ୍ରନ୍ଥାବଳୀ, ହରିବନ୍ଧୁ (ବେବର୍ତ୍ତା) ପଦ୍ୟାବଳୀ ଇତ୍ୟାଦି ମଧ୍ୟ ମୁଦ୍ରିତ ହୋଇଥିଲା ।

ତଦ୍‌ବ୍ୟତୀତ ପ୍ରାକୃତିକ ଓଡ଼ିଶାର ସାହିତ୍ୟିକମାନଙ୍କୁ ପ୍ରୋତ୍ସାହନ ଦେବାରେ ମହାରାଜାଙ୍କ ଅବଦାନ ମଧ୍ୟ ସ୍ମରଣୀୟ । ସେଥିପଇଁ ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟିକ ଗୋପାଳଚନ୍ଦ୍ର ପ୍ରହରାଜ ଭାଷାକୋଷର ପଞ୍ଚମ ଖଣ୍ଡରେ ମହାରାଜାଙ୍କ ପ୍ରତି କୃତଜ୍ଞତା ଅର୍ପଣ କରିଥିଲେ- ‘ଏହି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପଞ୍ଚମ ଖଣ୍ଡର ମୁଦ୍ରଣ ବ୍ୟୟ ପାଇଁ ପାଞ୍ଚ ହଜାର ଟଙ୍କା ଦାନ କରି ଶ୍ରୀ ଛାମୁ ମାତୃଭୂମି, ମାତୃଭାଷା ଓ ଜାତିପ୍ରୀତିର ଯେଉଁ ଜ୍ୱଳନ୍ତ ଉଦାହରଣ ଓ ଆଦର୍ଶ ପ୍ରଦର୍ଶନ କରିଅଛନ୍ତି ତାହା ସର୍ୱଥା ପ୍ରଶଂସନୀୟ ।" ସେହିଭଳି କବିଶେଖର ଚିନ୍ତାମଣିଙ୍କ ମତରେ ତାହାଙ୍କ ସାହିତ୍ୟିକ ଜୀବନର ମୁଖ୍ୟ ପ୍ରେରଣାଦାତା ଥିଲେ ଗଜପତି କୃଷ୍ଣଚନ୍ଦ୍ର । ଦୀର୍ଘ ୨୨ ବର୍ଷ ପାଇଁ ସେ ମାସିକ ବୃଭି ଲାଭ କରିଥିଲେ କେବଳ ସାହିତ୍ୟ ସୃଷ୍ଟିପାଇଁ ସୁଯୋଗ ପାଇଁ । ମହାରାଜାଙ୍କ ଅର୍ଥ ସହାୟତାରେ ପ୍ରକାଶ ପାଇଥିବା ତାଙ୍କରି ଗ୍ରନ୍ଥାବଳୀର ଦ୍ୱିତୀୟ ଖଣ୍ଡକୁ ତାହାଙ୍କୁ ଉପହାର ସ୍ୱରୂପ ଅର୍ପିତ ହୋଇଥିଲା ମହାରାଜାଙ୍କ ଗୁଣଗାନ କରିବା ସମେତ । କବିଙ୍କ ରଚିତ ମହେନ୍ଦ୍ର କାବ୍ୟ ମଧ୍ୟ ସେଭଳି ଆର୍ଥିକ ସହାୟତାକ୍ରମେ ପ୍ରକାଶ ଲାଭ କରିଥିଲା । ସେହିପରି ଅନ୍ୟ ଯେଉଁ ଗ୍ରନ୍ଥ ସମୂହ ଗଭୀର କୃତଜ୍ଞତାର ନିଦର୍ଶନ ସ୍ୱରୂପ ମହାରାଜାଙ୍କୁ ଅର୍ପିତ ହୋଇଥିଲା ସେଗୁଡ଼ିକ ମଧ୍ୟରେ ଥିଲା ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜାନକୀଶ ପରିଣୟ, ଓଡ଼ିଆ ଶବ୍ଦତତ୍ତ୍ୱବୋଧ ଅଭିଧାନ, ଓଡ଼ିଆ ଭାଷାତତ୍ତ୍ୱ ପ୍ରଭୃତି ଅନେକ ଗ୍ରନ୍ଥ ସମେତ ଅଦ୍ୱୈତ ଚରଣ ମହାନ୍ତିଙ୍କ ବନ୍ଦୀ ଓଡ଼ିଆ, ହରିବନ୍ଧୁ ବେବର୍ତ୍ତାଙ୍କ ହରିବନ୍ଧୁ ପଦ୍ୟାବଳୀ, ଅପର୍ଣ୍ଣା ପଣ୍ଡାଙ୍କ ଢ଼ଗମାଳିକା, ତତ୍ତ୍ୱବୋଧିନୀ ପ୍ରଭୃତି । ମହାରାଜାଙ୍କ ଆର୍ଥିକ ସହାୟତାକ୍ରମେ ମଧ୍ୟ ପ୍ରକାଶ ପାଇଥିଲା ଜଗବନ୍ଧୁ ସିଂହଙ୍କ ପ୍ରାଚୀନ ଉତ୍କଳ ଏବଂ କେଶବ ପଟ୍ଟନାୟକଙ୍କ ନୃତ୍ୟ ରାମାୟଣ ପ୍ରଭୃତି । ପଣ୍ଡିତ ଗୋପୀନାଥ ନନ୍ଦଙ୍କୁ ସାହିତ୍ୟିକ ପ୍ରୋତ୍ସାହନ ତ ସର୍ୱାଦୌ ସ୍ମରଣୀୟ ।