ପୃଷ୍ଠା:Aama Parala Gajapati.pdf/୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏଇ ଜାତିର ସାହିତ୍ୟ ପାଇଁ ଏକ ଅମୂଲ୍ୟ ଗ୍ରନ୍ଥ- ପ୍ରଥମ ପୂର୍ଣାଙ୍ଗ ଅଭିଧାନ- ଓଡ଼ିଆ ଶବ୍ଦତ‌ତ୍ତ୍ୱ ଅଭିଧାନର ପ୍ରଣେତା ପଣ୍ଡିତ ଗୋପୀନାଥ ନନ୍ଦ ସେତେବେଳେ ଥିଲେ ପାରଳା କଲେଜର ଓଡ଼ିଆ ତଥା ସଂସ୍କୃତ ଅଧ୍ୟାପକ । ସେହି ଅଭିଧାନର ପାଣ୍ଡୁଲିପି ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟପାଇଁ ଶ୍ରୀଯୁକ୍ତ ନନ୍ଦ କୃତଜ୍ଞତା ପ୍ରକାଶ କରିଥିଲେ- ‘ମୁଁ ଏହି ଅଭିଧାନ ଖଣ୍ଡକର ଲେଖକ ମାତ୍ର, କିନ୍ତୁ ଶ୍ରୀମାନ୍ ପାରଳାଧୀଶ୍ୱର ମହାରାଜା ମହୋଦୟ ଏହାର ପରିପୋଷକ ଓ ଜୀବନଦାତା ଅଟନ୍ତି ।"

ସାହିତ୍ୟାନୁରାଗୀ ମହାରାଜା ନିଜ ଉଆସରେ ଏକ ସମୃଦ୍ଧଶାଳୀ ପାଠାଗାର ସ୍ଥାପନ କରିଥିଲେ ଏବଂ ପର ସମୟରେ ତାହାକୁ କଲେଜକୁ ଦାନ କରିଦେଇଥିଲେ । ମହାରାଜାଙ୍କ ୭୮ତମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଜଗତକୁ ମହାରାଜାଙ୍କ ଅବଦାନ ସ୍ମରଣ କରି 'ସମାଜ’ର ଯଥାର୍ଥ ଶ୍ରଦ୍ଧାଞ୍ଜଳି ଥିଲା- ‘ବହୁ କବି, କଳାକାର, ସାହିତ୍ୟିକ ଓ ଶିଳ୍ପୀ ତାଙ୍କର ବଦାନ୍ୟତା ଓ ସାହାଯ୍ୟ ଫଳରେ ଓଡ଼ିଶାର ବାଣୀଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି ଏବଂ ସାହିତ୍ୟ କ୍ଷେତ୍ରରେ ଆମ୍ଭେମାନେ ସେସବୁ ବିଭବକୁ ଅନ୍ୟ ଆଗରେ ଦେଖାଇ ଗୌରବ ଓ ଗର୍ବରେ ଫୁଲି ଉଠୁଛୁ ।’

ଓଡ଼ିଆ ସାହିତ୍ୟର ପୃଷ୍ଠପୋଷକତା ଭଳି ସଂଗୀତ, କଳା ଏବଂ ସଂସ୍କୃତିର ମଧ୍ୟ ଜଣେ ସକ୍ରିୟ ପୃଷ୍ଠପୋଷକ ଥିଲେ ସେ । ବିଚ୍ଛିନ୍ନାଞ୍ଚଳ ସିଂହଭୂମିରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ସାମୁହିକ ବିକାଶପାଇଁ ତାଙ୍କର ପାଞ୍ଚ ହଜାର ଟଙ୍କାର ସହାୟତା ତତକାଳୀନ ପ୍ରେକ୍ଷାପଟରେ ଏକ ବିଶେଷ ଉଲ୍ଲେଖଯୋଗ୍ୟ ଘଟଣା । ପାରଳାରେ ଆଧୁନିକ ରଙ୍ଗମଞ୍ଚ ସ୍ଥାପନ କରିବାରେ ଅଗ୍ରଣୀ ଥିଲେ ମହାରାଜା । ଏପରିକି ନଅରର ଅନ୍ତେବାସୀଗଣଙ୍କ ମନୋରଂଜନ ପାଇଁ ରାଜନଅର ମଧ୍ୟରେ ଏକ ଅସ୍ଥାୟୀ ରଂଗମଞ୍ଚ ନିର୍ମାଣ କରାଇଥିଲେ । ପାରଳାରେ ସମୟ ସମୟରେ ସଂଗୀତ ଆସରମାନ ଆୟୋଜନ କରାଇ ଦେଶର ବିଶିଷ୍ଟ ସଂଗୀତ ଶିଳ୍ପୀମାନଙ୍କୁ ନିମନ୍ତ୍ରଣ କରି ଅଣାଉଥିଲେ । ଆପଣା ଦରବାରରେ ମଧ୍ୟ ନିଯୁକ୍ତି ଦେଇଥିଲେ ସଂଗୀତଜ୍ଞ ତଥା ବିଭିନ୍ନ ଯନ୍ତ୍ରସଂଗୀତ ବାଦକଗଣଙ୍କୁ । ଦଶହରା ଅବସରରେ ସହରରେ ଆୟୋଜିତ ପାଇକ ଆଖଡ଼ା ଖେଳରେ ଯୋଗଦେଇ ଖେଳାଳିଗଣଙ୍କୁ ବିଶେଷ ଉତ୍ସାହିତ କରୁଥିଲେ ମହାରାଜା ।

ଏ ସବୁଥିରୁ ରାଜ୍ୟର ପ୍ରଜା ତଥା ସାମଗ୍ରିକ ଭାବରେ ଓଡ଼ିଆମାନଙ୍କ ଉନ୍ନତିକଳ୍ପେ ମହାରାଜାଙ୍କ ଦରଦୀ ହୃଦୟର ଆକଳନ କରାଯାଇପାରେ ।