ପୃଷ୍ଠା:Aama Parala Gajapati.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆମ ପାରଳା ଗଜପତି

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଇତିହାସରେ ଯେଉଁ ଦେଶପ୍ରାଣ ନେତୃବୃନ୍ଦଙ୍କୁ ଭକ୍ତିପୂତ ଶ୍ରଦ୍ଧା ନିବେଦନ ଅର୍ପଣ କରାନଗଲେ ଏ ଜାତି ଅକୃତଜ୍ଞ ହୋଇ ରହିଯିବ, ସେହିମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ । ଅତୀତର ରାଜରାଜୁଡ଼ା ଶାସନକାଳରେ ବିଭିନ୍ନ ଆଞ୍ଚଳିକ ରାଜବଂଶ ବିଭିନ୍ନ ଉପାଧିରେ ଭୂଷିତ ଥିଲେ । ଦିଲ୍ଲୀ ସମ୍ରାଟ, ବଙ୍ଗ ନବାବ, ହାଇଦ୍ରାବାଦ ନିଜାମ, ପାତିଆଲା ମହାରାଜା, ଆଗ୍ରା ସୁଲତାନ ଇତ୍ୟାଦି ସଂଜ୍ଞାଗୁଡ଼ିକ ବିଭିନ୍ନ ରାଜପରିବାର ସହିତ ସଂପୃକ୍ତ ଥିଲା । ପୁରୀ ରାଜବଂଶ ମଧ୍ୟ ସେହିଭଳି ଭାବରେ "ଗଜପତି" ରୂପେ ଚିହ୍ନିତ ହେଉଥିଲେ । ବର୍ତ୍ତମାନ ସୁଦ୍ଧା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ପୁରୀ ରାଜା ସେଇ "ଗଜପତି" ଭାବେ ପାରିବାରିକ ସୂତ୍ରରେ ଏବଂ ପାରମ୍ପରିକ ରୂପେ ସ୍ୱୀକୃତ । କିନ୍ତୁ ଏସବୁର ଏକ ବ୍ୟତିକ୍ରମ ଲକ୍ଷଣୀୟ ଜଣେ ମାତ୍ର ପାରଳା ମହାରାଜାଙ୍କ ନିକଟରେ । "ପାରଳା ଗଜପତି" କିମ୍ବା "ପାରଳା ମହାରାଜା" ଉଚ୍ଚାରଣରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଖେମଣ୍ଡି ରାଜବଂଶର ୨୮ ଜଣ ରାଜାଙ୍କ ମଧ୍ୟରୁ କେବଳ ଜଣେ ମାତ୍ର ରାଜାଙ୍କ ସୁସ୍ପଷ୍ଟ ପ୍ରତିଛବି ସଂସ୍ମରଣକୁ ଚାଲିଆସିଥାଏ ଏବଂ ସେଇ ଜଣକ ହେଉଛନ୍ତି ମହାରାଜା ଶ୍ରକୃଷ୍ଣଚନ୍ଦ୍ର ଗଜପତି ।

କୌଣସି ରାଜବଂଶ ପାଇଁ ରାଜା ବା ମହାରାଜା ଶବ୍ଦ ତ ଅତି ସାଧାରଣ । ତେବେ ବାସ୍ତବରେ ଦେଖିବାକୁ ଗଲେ "ଗଜପତି" ଶବ୍ଦଟି ମଧ୍ୟ ମହାରାଜା କୃଷ୍ଣଚନ୍ଦ୍ରଙ୍କ ପୂର୍ବ ପୁରୁଷଗଣଙ୍କ ମଧ୍ୟରୁ ଅନେକେ ବ୍ୟବହାର କରିଥିଲେ । ତାଙ୍କ ବଂଶର ଏଗାରତମ ଖେମଣ୍ଡି ରାଜା ଚନ୍ଦ୍ରବେତାଳ ଭାନୁଦେବ ମଧ୍ୟ ଜଣାଶୁଣା ଥିଲେ ଚନ୍ଦ୍ରମୌଳି ଗଜପତି ହିସାବରେ । ସେତେବେଳେ ଖେମଣ୍ଡି ରାଜବଂଶ ରାଜୁତି କରୁଥିଲେ ନଗରୀ କଟକ ରୂପେ ପରିଚିତ କଳିଙ୍ଗନଗର ରାଜଧାନୀରୁ । ପୁଣି ସେଠିକାର ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ରାଜାଙ୍କର ନାମ ସହିତ "ଗଜପତି

ଆମ ପାରଳା ଗଜପତି.୬