ପୃଷ୍ଠା:Aama Parala Gajapati.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆନ୍ଦୋଳନାତ୍ମକ କାର୍ଯ୍ୟକଳାପ ଜାତୀୟ କଂଗ୍ରେସର କାର୍ଯ୍ୟଧାରାରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି ନକରି ବରଂ ସହାୟକ ହୋଇପାରିବ । ସେହି କାରଣରୁ ସମ୍ମିଳନୀ କଂଗ୍ରେସ ଅନୁଷ୍ଠାନରେ ସଂପୂର୍ଣ୍ଣ ମିଳେଇ ନଯାଇ ତାହାର ସ୍ୱତନ୍ତ୍ର ସତ୍ତା ବଜାୟ ରଖିବା ଆବଶ୍ୟକ । ଏବଂ ପରିଣାମତଃ ପୂର୍ବବତ୍ ଅନୁଷ୍ଠାନ ତରଫରୁ ଆନ୍ଦୋଳନାତ୍ମକ କାର୍ଯ୍ୟକଳାପ ଚାଲୁ ରହିଥିଲା ।

ମାନ୍ଦ୍ରାଜ ପ୍ରଦେଶାନ୍ତର୍ଗତ ବର୍ତ୍ତମାନର ଅବିଭକ୍ତ ଗଞ୍ଜାମ ଅଞ୍ଚଳରେ ସେଇ ଆନ୍ଦୋଳନର ଧାରା ଥିଲା ଅତି ତୀବ୍ର । ତତ୍‌କାଳୀନ ଓଡ଼ିଶାର ଓଡ଼ିଆମାନଙ୍କ ସହିତ ଏକତ୍ର ହୋଇ ରହିବାପାଇଁ ସର୍ବପ୍ରଥମ ସ୍ୱର ଉତ୍ତୋଳନ କରିଥିଲେ ସେମାନେ । ଉତ୍କଳୀୟଙ୍କ ହିତ ସାଧନପାଇଁ କଟକଠାରେ ମଧୁବାବୁ ଓ କର୍ମବୀର ଗୌରୀଶଙ୍କରଙ୍କ ଉଦ୍ୟମରେ ୧୮୮୨ରେ ଗଠିତ ହୋଇଥିଲା ଉତ୍କଳ ସଭା- ଏକ ରାଜନୈତିକ ଅନୁଷ୍ଠାନ । ସମଚିନ୍ତାଧାରାସଂପନ୍ନ ଅନ୍ୟ ଅନୁଷ୍ଠାନ- ଉତ୍କଳ ହିତୈଷିଣୀ ସମାଜ ଗଠିତ ହୋଇଥିଲା ଓଡ଼ିଶା ବାହାରେ ସୁଦୂର ପାରଳାଖେମଣ୍ଡି ସହରରେ ରାଜଭ୍ରାତା ପଦ୍ମନାଭ ଦେବଙ୍କ ଅଧିନାୟକତ୍ୱରେ । ଦକ୍ଷିଣ ବିଚ୍ଛିନ୍ନାଞ୍ଚଳର ଜନଗଣଙ୍କ ଦୁଃଖଦୁର୍ଦ୍ଦଶା ବିଶେଷକରି ଗଂଜାମର ଓଡ଼ିଆ ଜନଗଣଙ୍କ ପ୍ରତି ହେଉଥିବା ଅବିଚାର ଏବଂ ଅବହେଳା ସବୁର ବିସ୍ତୃତ ଆଲୋଚନା ତଥା ପ୍ରତିକାର ପାଇଁ ତତ୍ପର ହୋଇଉଠିଥିଲା ଉତ୍କଳ ହିତୈଷିଣୀ ସମାଜ । ଓଡ଼ିଶା ଡିଭିଜନ୍ ସହିତ ଏକତ୍ର ରହିବାପାଇଁ ବଳବତ୍ତର ଆକାଂକ୍ଷା ପ୍ରତିଫଳିତ ହୋଇଥିଲା ତାହାରି ମାଧ୍ୟମରେ । ତତ୍‌ପରେପରେ ଗଠିତ ହୋଇଥିଲା ଗଂଜାମ ଜାତୀୟ ସମିତି ସେଇ ଏକା ଉଦ୍ଦେଶ୍ୟରେ । ସବୁ ଅନୁଷ୍ଠାନର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ପ୍ରାଧାନ୍ୟ ଲାଭ କରିଥିଲା ଗଞ୍ଜାମ ଓ ବିଶାଖାପଟଣା ମାଳ ଅଞ୍ଚଳଗୁଡ଼ିକର ପ୍ରାକୃତିକ ଓଡ଼ିଶା ସହ ମିଶ୍ରଣପାଇଁ କାର୍ଯ୍ୟପନ୍ଥା ଗ୍ରହଣ । ବ୍ରହ୍ମପୁରଠାରେ ଅନୁଷ୍ଠିତ ତାହାର ପ୍ରଥମ ସମ୍ମିଳନୀରେ ପ୍ରତିଫଳିତ ଜନଉଦ୍ଦୀପନା ହିଁ ମଧୁବାବୁଙ୍କୁ ବିଶେଷଭାବେ ପ୍ରୋତ୍ସାହିତ କରିଥିଲା ବିଚ୍ଛୁରିତ ହୋଇ ରହିଥିବା ସବୁ ଓଡ଼ିଆଙ୍କୁ ଏକତ୍ର କରିବାପାଇଁ ଏକ ବୃହତ୍ତର ଅନୁଷ୍ଠାନ ଗଠନ କରିବା ଲାଗି । ତାହା ଉତ୍କଳ ସମ୍ମିଳନୀ ରୂପେ ଜନ୍ମ ଲାଭ କରିଥିଲା । କେବଳ ଗଂଜାମ, ବିଶାଖପାଟଣା ଅଞ୍ଚଳ ନୁହେଁ, ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକୀକରଣପାଇଁ ସେହି ଅନୁଷ୍ଠାନ ତୀବ୍ର ଆନ୍ଦୋଳନ ଚଳାଇଥିଲା ।

ସେଭଳି ବେସରକାରୀ ଉଦ୍ୟମ ସାଙ୍ଗକୁ ସରକାରୀ ସ୍ତରରେ ମଧ୍ୟ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକର ଏକୀକରଣପାଇଁ ଅନୁକୂଳ ମତ ମଧ୍ୟ ପ୍ରକାଶ ପାଇଥିଲା ବିଖ୍ୟାତ୍ ଭାଷାବିଦ୍ ଗ୍ରୀୟରସନ୍‌ଙ୍କ ମତାମତକୁ ଭିତ୍ତିକରି । ସରକାରଙ୍କ ୧୮୯୪-୯୫ ବାର୍ଷିକ ବିବରଣୀ ଅନୁଯାୟୀ ଓଡ଼ିଶା ଅଞ୍ଚଳର କମିଶନର ଦାୟିତ୍ବରେ ଥିବା ମି. ଏଚ୍. ଜି କୁକ୍ ଆଇ. ସିଏସ୍ ଶାସନଗତ ସୁବିଧା ଦୃଷ୍ଟିରୁ ଗଂଜାମ ସମେତ ସମ୍ବଲପୁର ଅଞ୍ଚଳକୁ ମିଶାଇ ଓଡ଼ିଶା ଡିଭିଜନର ସୀମା ବୃଦ୍ଧି କରାଯିବା ସଂପର୍କରେ ଦୃଢ଼ ମତ ବ୍ୟକ୍ତ କରିଥିଲେ । ୧୮୯୭ ମସିହାରେ ମଧୁବାବୁ ଉତ୍କଳ ସଭା ତରଫରୁ ସେଇ ପ୍ରସ୍ତାବକୁ ଇଂଲଣ୍ଡରେ ଭାରତ ବିଭାଗରେ ଉପସ୍ଥାପିତ କରିବା ସଂଗେସଂଗେ ଭାରତର