ପୃଷ୍ଠା:Aama Parala Gajapati.pdf/୬୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରହରାଜ, ବିଶ୍ୱନାଥ ମିଶ୍ର ପ୍ରମୁଖ ଥିଲେ ସମ୍ମିଳନୀର କାର୍ଯ୍ୟକଳାପକୁ ବଜାୟ ରଖାଯିବା ସପକ୍ଷରେ । କଂଗ୍ରେସରେ ଯୋଗଦେଇଥିବା ଗୋଷ୍ଠୀରେ ଥିଲେ ଗୋପବନ୍ଧୁ ଏବଂ ସତ୍ୟବାଦୀର ପ୍ରମୁଖ ସହଯୋଗୀଗଣଙ୍କ ସମେତ ବିଶ୍ୱନାଥ ଦାସ ପ୍ରମୁଖ ନେତୃବୃନ୍ଦ । ଅପର ଗୋଷ୍ଠୀଠାରୁ ଏମାନେ ସଂଖ୍ୟାଧିକ ଥିଲେ ନିଶ୍ଚୟ । ଏଭଳି ବିଭାଜନ ଯୋଗୁଁ ବାସ୍ତବରେ ସମ୍ମିଳନୀର ବାର୍ଷିକ ଅଧିବେଶନଗୁଡ଼ିକ ଆଉ ଧାରାବାହିକ ତଥା ନିୟମିତ ଭାବେ ଅନୁଷ୍ଠିତ ହୋଇ ପାରି ନଥିଲା । ମୂଳ ଅନୁଷ୍ଠାନର ସାବଲୀଳ ପ୍ରବହମାନଧାରା ସେହିଠାରୁ ବ୍ୟାହତ ହୋଇଥିଲା କହିଲେ ଅତ୍ଯୁକ୍ତି ହେବନାହିଁ ।

ସମ୍ମିଳନୀର ଅବଧାରିତ ଲକ୍ଷ୍ୟବିନ୍ଦୁ ତଥାପି ଅନେକ ଦୂରରେ ରହିଥିବା ଯୋଗୁଁ ସେଠାରେ ପହଞ୍ଚିବା ପାଇଁ ଆହୁରି ଅଧିକ ଦୃଢ଼ ଆନ୍ଦୋଳନ ଆବଶ୍ୟକ ବୋଲି ଯେଉଁମାନେ ମତ ପୋଷଣ କରିଥିଲେ ସେମାନଙ୍କ ନେତୃତ୍ବ ପ୍ରାୟ ସେବେଠାରୁ ଗ୍ରହଣ କରିଥିଲେ ମହାରାଜା କୃଷ୍ଣଚନ୍ଦ୍ର । ନିର୍ଦ୍ଧାରିତ ଲକ୍ଷ ବିନ୍ଦୁରେ ପହଞ୍ଚିବା ପର୍ଯ୍ୟନ୍ତ ସେ ସେଥିରୁ ଆଉ ଅବ୍ୟାହତି ନେଇ ନଥିଲେ । ଉଲ୍ଲେଖଯୋଗ୍ୟ ଯେ ମଧୁବାବୁଙ୍କ ଭଳି ମହାରାଜାଙ୍କ ମଧ୍ୟ ସମମତ ହିଁ ଥିଲା । ଉତ୍କଳ ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ମଧୁବାବୁଙ୍କ ଉଦଘୋଷଣା ଥିଲା "ଉତ୍କଳ ଜନନୀ ଭାରତ ଜନନୀଙ୍କଠାରୁ ବିଛିନ୍ନ ନୁହନ୍ତି । ସେ ଭାରତ ଜନନୀଙ୍କ ସପତ୍ନୀ କିମ୍ବା ଶତ୍ରୁ ନୁହନ୍ତି । ଉତ୍କଳ ଜନନୀ ଆଜି ଅତି ସ୍ନେହମୟୀ ମୂର୍ତ୍ତିରେ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି । ଏହି ମୂର୍ତ୍ତି ଭାରତମାତାଙ୍କର ଗୋଟିଏ ମୂର୍ତ୍ତି ବିଶେଷ । ଏହି ରୂପଟି ଭାରତମାତାଙ୍କର ଗୋଟିଏ ଅବତାର ।’’ ତେଣୁ ସ୍ୱାଭାବିକ ଭାବେ ଏହି ଭାବ ପ୍ରକାଶପାଇଥିଲା ଯେ ଏହି ଅବତାରଟିର ସମୃଦ୍ଧିରେ ଭାରତମାତାଙ୍କର ସମୃଦ୍ଧି ଅଧିକତର ଭାବରେ ହେବା ସ୍ୱାଭାବିକ । ଠିକ ସେହି ମତ ମଧ୍ୟ ଥିଲା ପାରଳା ଗଜପତି ମହାରାଜାଙ୍କର । ଗୋଟିଏ ସାଧାରଣ ସଭାରେ ତାଙ୍କର ବକ୍ତବ୍ୟ ଥିଲା, ‘‘ହଁ, ଆମେ ଭାରତମାତାଙ୍କ ସ୍ୱାଧୀନତା କ୍ଷେତ୍ରରେ ଅବତରଣ କରିବା ଯେତେବେଳେ ଆମ ଉତ୍କଳ ମାତାର ବିଖଣ୍ଡିତ ଅଙ୍ଗ ଏକତ୍ରିତ ହୋଇ ସେ ମୃତ ସଂଜୀବନୀ ମନ୍ତ୍ରରେ ସଂଜୀବିତ ହେବେ । ଆମେ ତ ପିତୃଶ୍ରାଦ୍ଧରେ ପ୍ରଥମେ ମାତାଙ୍କୁ ପିଣ୍ଡ ଦେଇସାରି ତା’ପରେ ପିତାମହୀଙ୍କ ପାଇଁ ପିଣ୍ଡଦାନକରୁ ।"

ସେହି ଆନ୍ତରିକ କାମନାର ସଫଳ ରୂପାୟନ ପାଇଁ ଉଦ୍ୟମରତ ରହିଥିଲେ ମହାରାଜା । ଇତି ମଧ୍ୟରେ ଇଂଲଣ୍ଡର ହାଉସ୍ ଅଫ୍ କମନ୍‌ସରେ ଭାରତ ବିଭାଗ ଉପସଚିବ ଲର୍ଡ଼ ମଣ୍ଟେଗୁଙ୍କ ମନ୍ତବ୍ୟ ଥିଲା ଅତୀବ ଗୁରୁତ୍ବପୂର୍ଣ୍ଣ । ୧୯୧୭ ମସିହାରେ ଥରେ ଭାରତୀୟ ମୁକ୍ତି ସଂଗ୍ରାମ ସଂପର୍କରେ ସେ ମନ୍ତବ୍ୟ ରଖିଥିଲେ ଯେ ଭାରତର ସ୍ୱାୟତ୍ତ ଶାସନ ପରିବର୍ଭେ ଆଉ କିଛି ନୂତନ ରାଜ୍ୟ/ପ୍ରଦେଶ ଗଠିତ ହୋଇ ସେସବୁକୁ ଆଂଶିକ ସ୍ୱାୟତ୍ତ ଶାସନ ପ୍ରଦତ୍ତ ହେବା ଅଧିକ ଉପାଦେୟ ହେବ । ତତ୍‌ପରେପରେ ସେ ଭାରତ ବିଭାଗ ସଚିବ ହୋଇଥିଲେ । ଭାରତୀୟ ଜନଗଣଙ୍କ ରାଜନୈତିକ ଦୁଃସ୍ଥିତି ତଥା ଶାସନ ସଂସ୍କାର ଲାଗି ପରାମର୍ଶ ଦେବାପାଇଁ ଏକ