ପୃଷ୍ଠା:Aama Parala Gajapati.pdf/୬୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କମିଟି ଗଠିତ ହୋଇଥିଲା ମଣ୍ଟେଗୁ ଏବଂ ଲର୍ଡ଼ ଚେମ୍‌ସ ଫୋର୍ଡ଼ଙ୍କୁ ନେଇ । ଉକ୍ତ କମିଟିକୁ ୧୯୧୭ ଡିସେମ୍ବର ମାସରେ ମଧୁବାବୁ ଏବଂ ବିହାର ଓଡ଼ିଶା ପ୍ରଦେଶର ଜଣେ ମନ୍ତ୍ରୀ- କନିକା ରାଜା ସାହେବ ଉତ୍କଳ ସମ୍ମିଳନୀ ତରଫରୁ ଏକ ବିସ୍ତୃତ ସ୍ମାରକପତ୍ର କଲିକତାଠାରେ ପ୍ରଦାନ କରିଥିଲେ । କିନ୍ତୁ ୧୯୧୮ରେ ପ୍ରକାଶିତ ସେମାନଙ୍କ ସୁପାରିଶରେ ସ୍ପଷ୍ଟ ଉଲ୍ଲେଖ ଥିଲା ଭାଷା କିମ୍ବା ଜାତିଗତ ଦୃଷ୍ଟିକୋଣରୁ ପ୍ରଦେଶଗୁଡ଼ିକର ବିଭାଜନ ସମ୍ଭବ ନୁହେଁ । ତେବେ ଓଡ଼ିଶା ଏକ ଉପ-ପ୍ରଦେଶ ରୂପେ ଗଠନର ସମ୍ଭାବନା ସେଥିରେ ପ୍ରକାଶ ପାଇଥିଲା ।

ସେଇ ଶାସନ ସଂସ୍କାର ସୁପାରିଶରେ ପ୍ରାଦେଶିକ ବିଧାନସଭାପାଇଁ ପ୍ରତିନିଧି ନିର୍ବାଚିତ ହେବାଲାଗି ବ୍ୟବସ୍ଥା ରହିଥିଲା । ବିହାର ଓଡ଼ିଶା ବିଧାନସଭାର ୮୦ ଜଣ ସଦସ୍ୟଙ୍କ ମଧ୍ୟରୁ ଓଡ଼ିଶାପାଇଁ ୨୫ ଜଣ ଏବଂ କେନ୍ଦ୍ରପାଇଁ ତିନିଜଣ ସଭ୍ୟଙ୍କ ଲାଗି ଉତ୍କଳ ସମ୍ମିଳନୀ ଦାବି ଜଣାଇଥିଲା । କିନ୍ତୁ ସେଥିରେ ବିଧାନସଭାପାଇଁ ମାତ୍ର ୧୦ ଜଣ ସଭ୍ୟଙ୍କ ଲାଗି ସୁପାରିଶ ହୋଇଥିଲା । ସେହିଭଳି ସଂଗଠନ ତରଫରୁ ମାନ୍ଦ୍ରାଜ ବିଧାନସଭାପାଇଁ ଓଡ଼ିଆ ଅଞ୍ଚଳରୁ ଛଅଟି, ବଙ୍ଗ ତଥା କେନ୍ଦ୍ର ପ୍ରଦେଶପାଇଁ ଗୋଟିଏ ଲେଖାଏଁ ଆସନ ଦାବି ହୋଇଥିବା ବେଳେ ଶେଷୋକ୍ତ ପ୍ରଦେଶ ଦୁଇଟିପାଇଁ ଆଦୌ ସ୍ଥାନ ସଂରକ୍ଷଣ ସୁପାରିଶ ହୋଇନଥିଲା । ସେତେବେଳେ ବିହାର ଓଡ଼ିଶା ସରକାରଙ୍କର ମୋଟ ପାଞ୍ଚଟି ଡିଭିଜନ ମଧ୍ୟରୁ ଓଡ଼ିଶାରେ ଥିଲା ଗୋଟିଏ ଏବଂ ସେଥିରେ ଥିଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର ଏବଂ ଅନୁଗୋଳ- ଏହି ପାଞ୍ଚଟି ଜିଲ୍ଲା ।

ଏଣେ ପାରଳାର ଉତ୍କଳ ହିତୈଷିଣୀ ସମାଜ ତରଫରୁ ମହାରାଜାଙ୍କ ନେତୃତ୍ବରେ ମାନ୍ଦ୍ରାଜଠାରେ ସେଭଳି ଜନମତ ସଂଗ୍ରହ କରୁଥିବା କମିଟି ନିକଟରେ ଏକ ସ୍ମାରକପତ୍ର ପ୍ରଦତ୍ତ ହୋଇଥିଲା । ସେଥିରେ ମାନ୍ଦ୍ରାଜ ବିଧାନସଭାର ୧୨୦ଟି ଆସନରୁ ଓଡ଼ିଆଙ୍କ ପାଇଁ ଦାବି କରାଯାଇଥିଲା ୧୦ଟି ଆସନର ସଂରକ୍ଷଣ । ସେଥିରେ ଅନ୍ତର୍ଭୁକ୍ତ ଥିଲା, ଦୁଇଟି ଆସନ ଜମିଦାରଙ୍କପାଇଁ । ପୁଣି କେନ୍ଦ୍ର ସଭାରେ ସେହି ଅଞ୍ଚଳର ଓଡ଼ିଆ ପ୍ରତିନିଧିମନଙ୍କପାଇଁ ସ୍ୱତନ୍ତ୍ର ବିଚାର କରିବାକୁ ପାରଳା ଗଜପତି କମିଟିକୁ ସ୍ମରଣ କରାଇଦେଇଥିଲେ । ମହାରାଜାଙ୍କ ପ୍ରେରଣାରେ ସେହିଭଳି ଗଞ୍ଜାମ ଜିଲ୍ଲା ଓଡ଼ିଆ ସଭା ତରଫରୁ ମଧ୍ୟ ଅନୁରୂପ ଭାବେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ତେବେ ‘ଓଡ଼ିଆ’ମାନଙ୍କ ପରିବର୍ତ୍ତେ ଗଂଜାମ ଜିଲ୍ଲାରୁ ମାନ୍ଦ୍ରାଜ ବିଧାନସଭାରେ ମାତ୍ର ଦୁଇଜଣ ସଭ୍ୟଙ୍କ ପ୍ରତିନିଧିତ୍ୱପାଇଁ ସୁପାରିଶ ହୋଇଥିଲା ।

ତାହାର ତୀବ୍ର ପ୍ରତିବାଦ ତ ହୋଇଥିଲା; ୧୯୧୯ ଶାସନ ସଂସ୍କାର ଆଇନ ଦେଶରେ ଲାଗୁ ହେବା ପରେ ପରେ ତାହାରି ସୁପାରିଶ ଭିତ୍ତିରେ ଓଡ଼ିଆ ଭାଷୀ ଅଞ୍ଚଳଗୁଡ଼ିକର ଏକୀକରଣ କରାଯାଇ ଏକ ଉପ-ପ୍ରଦେଶ ଗଠନ ପାଇଁ ଆନ୍ଦୋଳନ ଏବଂ ଦାବି ଦୃଢ଼ତର ହୋଇଥିଲା । ମହାରାଜା କୃଷ୍ଣଚନ୍ଦ୍ରଙ୍କ ଉଦ୍ୟମ, ନେତୃତ୍ୱ ଏବଂ ସଭାପତିତ୍ୱରେ ବ୍ରହ୍ମପୁର ସହରରେ ୧୯୨୦ ଜାନୁଆରି ୨୮ ତାରିଖ ଦିନ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇ ସେହି ଦାବି