ପୃଷ୍ଠା:Aama Parala Gajapati.pdf/୬୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେଲେ ପରିସ୍ଥିତି ଥିଲା ଭିନ୍ନ ପ୍ରକାରର । ବଙ୍ଗ ତଥା କେନ୍ଦ୍ର (ମଧ୍ୟ) ପ୍ରଦେଶର ବିଧାନ ସଭାରେ ଓଡ଼ିଆମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ହୋଇ ନଥିଲା । ନଗଣ୍ୟ ସଂଖ୍ୟକ ଓଡ଼ିଆ ସଦସ୍ୟଯୁକ୍ତ ମାନ୍ଦ୍ରାଜ ସରକାରଙ୍କ କଥା ନକହିଲେ ଭଲ । ପ୍ରଥମରୁ ହିଁ ସେମାନେ ଓଡ଼ିଆ ବିରୋଧୀ ମନୋଭାବ ପୋଷଣ କରି ଆସୁଥିଲେ । ପୂର୍ବରୁ ସେଠାରେ ଓଡ଼ିଆ ସଭ୍ୟ ବିଧାନସଭାରେ ଗଂଜାମର ଓଡ଼ିଆ ଅଞ୍ଚଳଗୁଡ଼ିକୁ ବିହାର-ଓଡ଼ିଶା ସହ ଯୁକ୍ତ କରାଯିବା ନେଇ ଏକ ପ୍ରସ୍ତାବ ଆଗତ କରିଥିଲେ । କିନ୍ତୁ ତାହା ଏକ ଜନସ୍ୱାର୍ଥହାନିକାରକ ପ୍ରସ୍ତାବ ବୋଲି ଯୁକ୍ତିକରି ଏବଂ ପୁଣି ତାହା ସ୍ଥାନୀୟ ପ୍ରାଦେଶିକ ସରକାରଙ୍କ ବିଚାର ପରିସରଭୁକ୍ତ ନୁହେଁ ବୋଲି ଅବାନ୍ତର ଯୁକ୍ତି ଦେଖାଇ ଗଭର୍ଣ୍ଣର ସେହି ପ୍ରସ୍ତାବକୁ ନାକଚ କରିଦେଇଥିଲେ ।

ତଥାପି କେନ୍ଦ୍ର ସରକାର ସେମାନଙ୍କ ଶାସନାନ୍ତର୍ଗତ ଓଡ଼ିଆମାନଙ୍କର ମତାମତ ତଥା ବାସ୍ତବ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାପାଇଁ ସଂପୃକ୍ତ ପ୍ରାଦେଶିକ ସରକାରଙ୍କୁ ପତ୍ର ଲେଖିଥିଲେ । ୧୯୨୨ ମସିହାରେ ସେଭଳି ଯେଉଁ ମତାମତ ସବୁ କେନ୍ଦ୍ର ପାଇଥିଲା ସେଥିମଧ୍ୟରେ ସବୁଠାରୁ ନୈରାଶ୍ୟଜନକ ଥିଲା ମାନ୍ଦ୍ରାଜ ସରକାରଙ୍କର । କୌଣସି ଓଡ଼ିଆ ଅଞ୍ଚଳକୁ ତାଙ୍କରି ଶାସନରୁ ବିଛିନ୍ନ କରିବେ ନାହିଁ ବୋଲି ମାନ୍ଦ୍ରାଜ ସରକାର ଜଣାଇ ଦେଇଥିଲେ । ପୁଣି ମେଦିନୀପୁର ଅଞ୍ଚଳପାଇଁ ବଙ୍ଗ ସରକାରଙ୍କ ମତାମତ ମଧ୍ୟ ସେହିଭଳି ଉତ୍ସାହପ୍ରଦ ନଥିଲା । ଖଡ଼ିଆଳ ଅଞ୍ଚଳ ବ୍ୟତୀତ ଅନ୍ୟାନ୍ୟ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳ ସବୁକୁ ବିଛିନ୍ନ କରିବାପାଇଁ ମଧ୍ୟପ୍ରଦେଶ ସରକାର ମଧ୍ୟ ଆଗ୍ରହୀ ନଥିଲେ । ମୋଟାମୋଟି ଏହା ହିଁ ଥିଲା ବିଭିନ୍ନ ଆଞ୍ଚଳିକ ସରକାରଙ୍କ ମତାମତ ।

ତଥାପି ମହାରାଜାଙ୍କଦ୍ୱାରା ପ୍ରଚୋଦିତ ହୋଇ ଗଂଜାମ ଓଡ଼ିଆ ସମାଜ ତରଫରୁ ଏକ ପ୍ରତିନିଧିଦଳ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କୁ ୧୯୨୨ ନଭେମ୍ବର ୨୭ ତାରିଖ ଦିନ ସାକ୍ଷାତ କରି ସେଠିକାର ସଂଖ୍ୟାଲଘୁ ଓଡ଼ିଆ ଭାଷୀ ଲୋକଙ୍କର ଓଡ଼ିଶା ସହ ଏକୀକରଣ ଦାବି ଜଣାଇଥିଲେ । ଗଭର୍ଣ୍ଣରଙ୍କ ଉତ୍ତର ଥିଲା- ସେହିଭଳି କରାଗଲେ ଗଂଜାମ ଅଞ୍ଚଳର ତେଲୁଗୁ ସଂପ୍ରଦାୟ ନୂତନ ପ୍ରଦେଶର ସଂଖ୍ୟାଲଘୁ ରୂପେ ଅବହେଳାର ଶିକାର ହେବେ । ସେହି ଘଟଣାର କିଛିକାଳ ପୂର୍ବରୁ ଗଂଜାମର ଜଣେ ବିଶିଷ୍ଟ ବ୍ୟକ୍ତି ତଥା ଓଡ଼ିଆ ଦେଶ ମିଶ୍ରଣ ଆନ୍ଦୋଳନର ବିରୋଧୀ ନେତା ଶ୍ରୀ ଯୋଗେୟା ପାନ୍ତୁଲୁ, ( ଭି.ଭି.ଗିରିଙ୍କ ପିତା) ସେହି ମର୍ମରେ ବିଭିନ୍ନ ଆରୋପମାନ କରି ପତ୍ରପତ୍ରିକାରେ ବିଭାଜନ ବିରୋଧୀ ମତାମତ ମାନ ପ୍ରକାଶ କରିଥିଲେ । ପୁଣି ଓଡ଼ିଆଙ୍କ ଆନ୍ଦୋଳନକୁ ପ୍ରତିରୋଧ କରିବାପାଇଁ ଗଂଜାମର ତେଲୁଗୁମାନେ ମଧ୍ୟ ପ୍ରତି ଆନ୍ଦୋଳନର ସୂତ୍ରପାତ କରିସାରିଥିଲେ । ସେଥିପାଇଁ ସେମାନେ ଗଠନ କରିଥିଲେ 'ଗଂଜାମ ସୁରକ୍ଷା ସମିତି’ ଏବଂ 'ଆନ୍ଧ୍ର ବ୍ୟବସାୟୀ ସଂଘ' । ସମ୍ଭବତଃ ସେଇ ସବୁର ସମ୍ମିଳିତ ପ୍ରଭାବରେ ପ୍ରଭାବିତ ହୋଇଯାଇଥିଲେ ଗଭର୍ଣ୍ଣର ମହୋଦୟ ଏବଂ ଓଡ଼ିଆ ସମାଜର ପ୍ରତିନିଧିଗଣଙ୍କୁ ସେଭଳି ଉତ୍ତର ପ୍ରଦାନ କରିଥିଲେ ।