ପୃଷ୍ଠା:Aama Parala Gajapati.pdf/୭୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲକ୍ଷ୍ୟ କରିବାର କଥା ଯେ ଯଦି ୧୯୧୪ରେ ପାରଳା ସହରରେ ଅନୁଷ୍ଠିତ ପ୍ରଭାଯୁକ୍ତ ଦଶମ ଉତ୍କଳ ସମ୍ମିଳନୀ ମହାରାଜାଙ୍କ ଜାତୀୟ ଭାବନାକୁ ଅଧିକତର ଭାବରେ ଜାଗ୍ରତ କରାଇଦେଇଥିଲା, ଚକ୍ରଧରପୁରଠାରେ ଅନୁଷ୍ଠିତ ୧୬ଶ ଅଧିବେଶନରେ ଜାତୀୟ କଂଗ୍ରେସ ସହିତ ଅନୁଷ୍ଠାନର ମିଶ୍ରଣ ପ୍ରସ୍ତାବ ପରେ ଉତ୍କଳୀୟ ଏକୀକରଣ ଆନ୍ଦୋଳନକୁ ସ୍ୱତନ୍ତ୍ର ଭାବେ ବଜାୟ ରଖିବାପାଇଁ ପ୍ରେରଣାଯୁକ୍ତ କରିଥିଲା । ପୁଣି ୧୯୨୩ ମସିହାର ବ୍ରହ୍ମପୁରରେ ଅନୁଷ୍ଠିତ ୧୭ତମ ସମ୍ମିଳନୀ ତାହାଙ୍କୁ ଓଡ଼ିଆ ଏକୀକରଣ ଆନ୍ଦୋଳନର କେନ୍ଦ୍ରବିନ୍ଦୁକୁ ଟାଣିନେଇ ଯାଇଥିଲା ଏକ ଚୁମ୍ବକୀୟ ଶକ୍ତି ବଳରେ । ଅନୁଷ୍ଠାନରେ ସ୍ଥାଣୁତ୍ୱ ଏବଂ ବିଭାଜିତ ଉତ୍କଳୀୟ ନେତୃବୃନ୍ଦଙ୍କ ଏକ ପ୍ରକାରର ହତାଶ ଭାବ ହିଁ ଥିଲା ସେଇ ଚୁମ୍ବକୀୟ ଶକ୍ତି । ତତ୍‌ପରଠାରୁ ସେ ଅନମନୀୟ ଉଦ୍ୟମ କରିଥିଲେ ସ୍ୱତନ୍ତ୍ର ଓଡ଼ିଶା ଅନ୍ଦୋଳନକୁ ପ୍ରାଣବନ୍ତ କରାଇବାପାଇଁ । ଫିଲିଫ-ଡଫ୍ କମିଟିର ଗସ୍ତକାଳରେ ମହାରାଜାଙ୍କ ଉଦ୍ୟମର ସଫଳତା ଥିଲା ଅତ୍ୟନ୍ତ ଉତ୍ସାହପ୍ରଦ । ତାହାଙ୍କର ବଳିଷ୍ଠ ତଥା ପ୍ରାମାଣିକ ତଥ୍ୟ ଉପସ୍ଥାପନାରେ ସେମାନେ ପୁରାପୁରି ପ୍ରଭାବିତ ହୋଇଯାଇଥିଲେ ।

ସେଥିପାଇଁ ଏକ ଫଳପ୍ରଦ ଉଦ୍ୟମ ଥିଲା, ଗଂଜାମ ଜିଲ୍ଲାର ସବୁ ଜମିଦାରଙ୍କୁ ଏକତ୍ର କରାଇ ନିକଟ ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ଳାଗି । ୧୯୨୪ ନଭେମ୍ବର ଦୁଇ ତାରିଖ ଦିନ ସେମାନେ ସମସ୍ତେ ଏକତ୍ର ହୋଇ ଓଡ଼ିଶା ସହ ମିଶ୍ରଣ ସପକ୍ଷରେ କମିଶନ ନିକଟରେ ସାକ୍ଷ୍ୟ ଦେବାପାଇଁ ସ୍ଥିର ନିଶ୍ଚୟ କରିଥିଲେ । ସେହି ଅନୁକ୍ରମେ ଖଲିକୋଟ, ଆଠଗଡ଼, ଧରାକୋଟ, ମଂଜୁଷା, ଚିକିଟି, ବଡ଼ଗଡ଼, ସେରଗଡ଼, ଟିକାଲି, ସୁରଙ୍ଗୀ, ନନ୍ଦିଗାଁ, ତରଳା, ବବିଲି, ଜଳନ୍ତର, ବାରୁଆ ପ୍ରଭୃତି ଜମିଦାରଗଣଙ୍କ ସମେତ ଅନେକ ଜମିଦାରିର ପ୍ରଜାଗଣ ମଧ୍ୟ ଯଥା ସମୟରେ କମିଟି ନିକଟରେ ମିଶ୍ରଣ ସପକ୍ଷରେ ମତଦାନ କରିଥିଲେ । ପୁଣି ମହାରାଜାଙ୍କ ଉଦ୍ୟମରେ ସେଥିଲାଗି ଏକ କମିଟି ବ୍ରହ୍ମପୁରରେ ଗଠିତ ହୋଇ ମତ ପ୍ରକାଶ କରିଥିଲା ଯେ ଶ୍ରୀକାକୁଲମ୍ ଏବଂ ନାରସେନାପେଟା, ତାଲୁକା ବ୍ୟତୀତ ଅନ୍ୟ ସବୁ ଅଞ୍ଚଳ ଓଡ଼ିଶା ସହ ସାମିଲ୍ ହେବା ଉଚିତ । ସେହି ଅନୁଯାୟୀ ଅନୁସନ୍ଧାନ କମିଟି ନିକଟରେ ଆନୁଷ୍ଠାନିକ ଭାବେ ଗଞ୍ଜାମ ଜିଲ୍ଲା ସଂଘ, ଗଞ୍ଜାମ ସବ କମିଟି, ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ପ୍ରତିନିଧିଗଣ, ଓଡ଼ିଶା ଖ୍ରୀଷ୍ଟିୟାନ୍ ଗୋଷ୍ଠୀ, କଂଗ୍ରେସ କମିଟି, ଉତ୍କଳ ଆଶ୍ରମ, ରୟତ ସଂଘ ଏବଂ ଏହି ଅଞ୍ଚଳର ମହିଳାଗଣଙ୍କ ସମେତ ଦଳବଦ୍ଧ ଭାବରେ ଛାତ୍ର ତଥା ଶିକ୍ଷକବୃନ୍ଦ ମଧ୍ୟ ସାକ୍ଷ୍ୟ ପ୍ରଦାନ କରିଥିଲେ । ରଂଜାମର ଆସିକା, ସୋରଡ଼ା, ଧରାକୋଟ, ସେରଗଡ଼, ବିରିଡ଼ି, ହୁମା, ପାଲୁର, ଛତ୍ରପୁର, ପୁରୁଷୋତ୍ତମପୁର, ବଡ଼ଖେମଣ୍ଡି, ସାନଖେମଣ୍ଡି ପ୍ରଭୃତି ଅଞ୍ଚଳର ଜନଗଣଙ୍କ ମିଶ୍ରଣ ସପକ୍ଷରେ ସ‌ଭା, ଶୋଭାଯାତ୍ରା ଏବଂ ଦାବି/ସ୍ମାରକପତ୍ର ପ୍ରଦାନପାଇଁ ଉଦ୍ଦୀପନାମୟ କାର୍ଯ୍ୟକଳାପରେ ଫିଲ୍‌ଫ୍ ଡଫ୍ କମିଟି ବିଶେଷ ଭାବେ ଅଭିଭୂତ ହୋଇ ଯାଇଥିଲେ । କମିଟିକୁ ତଥ୍ୟ ପ୍ରଦାନ ଉଦ୍ଦେଶ୍ୟରେ ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏବଂ ଶ୍ରୀ ଚକ୍ରପାଣି ପ୍ରଧାନଙ୍କ ଦ୍ବାରା ବାସ୍ତବରେ ଲିଖିତ ହୋଇ ସୁଦ୍ଧା ବେନାମୀ