ପୃଷ୍ଠା:Aama Parala Gajapati.pdf/୭୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାବରେ ଆସ୍କାର ବିଶିଷ୍ଟ ଓକିଲ ଶ୍ରୀହରିହର ପଣ୍ଡାଙ୍କ ନାମରେ ପ୍ରକାଶିତ ବେଶ ବଳିଷ୍ଠ ଯୁକ୍ତି ସମ୍ବଳିତ 'ଓଡ଼ିଆ ଆନ୍ଦୋଳନ’ (ଦି ଓରିଆ ମୁଭ୍‌ମେଣ୍ଟ) ଗ୍ରନ୍ଥଟି ବିଶେଷ ଉପାଦେୟ ମନେ ହୋଇଥିଲା ସମସ୍ତଙ୍କପାଇଁ । ଏପରିକି ଉକ୍ତ କମିଟିକୁ ମଧ୍ୟ । କାରଣ ସେଥିରେ ଥିଲା ଓଡ଼ିଆ ଅନ୍ଦୋଳନର ଇତିହାସ ଏବଂ ଗୋଟିଏ ସ୍ବତନ୍ତ୍ର ପ୍ରଦେଶ ଗଠନ ଲାଗି ଅତି ଉପାଦେୟ ତଥ୍ୟଯୁକ୍ତ ଅକାଟ୍ୟ ଯୁକ୍ତି ।

୧୯୨୪ ଡିସେମ୍ବର ୧୨ ରୁ ୨୧ ଯାଏଁ କମିଟି ରହିଥିଲା ରମ୍ଭାଠାରେ । ଖଲିକୋଟ ରାଜା ରାମଚନ୍ଦ୍ର କମିଟିକୁ ଅନେକ ଉପାଦେୟ ଐତିହାସିକ ତଥ୍ୟ ପ୍ରଦାନ କରିଥିଲେ । କମିଟି ବ୍ରହ୍ମପୁର, ରମ୍ଭା, ଭଞ୍ଜନଗର ପ୍ରଭୃତି ଅଞ୍ଚଳ ଗସ୍ତକରିବା ଅବସରରେ ବିପୁଳ ଜନସମାଗମରେ ଜନଗଣଙ୍କ ଓଡ଼ିଶା ମିଶ୍ରଣ ଅକାଂକ୍ଷା ତଥା ଉତ୍ସାହ ଯଥାର୍ଥରେ ଲକ୍ଷ୍ୟ କରିଥିଲେ ଉଭୟ ପଦସ୍ଥ ଅଫିସର । ବିଶେଷକରି ପାରଳା ଗସ୍ତ କାଳରେ ମହାରାଜାଙ୍କ କଲେଜରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେତେବେଳେ ଉତ୍କଳମାତାର ଜୟଗାନରେ ଅକାଶ ପାତାଳ ପ୍ରକମ୍ପିତ ହୋଇଉଠିଥିଲା ।

ଏଇସବୁ ସଫଳତାର ଶ୍ରେୟ ଥିଲା ମହାରାଜା କୃଷ୍ଣଚନ୍ଦ୍ରଙ୍କର; ତାଙ୍କରି ସାଂଗଠନିକ ଦକ୍ଷତାର ।

ବାସ୍ତବରେ ଅନୁସନ୍ଧାନ ଶେଷରେ ମି.ଫିଲିପ୍ ଏବଂ ଡଫ୍‌ଙ୍କର ଯଥାର୍ଥ ହୃଦବୋଧ ହୋଇଥିଲା ଯେ ମାନ୍ଦ୍ରାଜ ଶାସନରେ ଥିବା ଓଡ଼ିଆମାନେ ଅତ୍ୟନ୍ତ ଦୂରବସ୍ଥା ଭିତରେ ଏବଂ ଅବହେଳିତ ହୋଇ ହିଁ ରହିଛନ୍ତି । ସେମାନଙ୍କ ଦୃଷ୍ଟିକୁ ଆସିଥିଲା ମାତ୍ର ଜଣେ ଓଡ଼ିଆ ମାନ୍ଦ୍ରାଜ ସରକାରଙ୍କ ଅଧୀନରେ ଡେପୁଟି କଲେକ୍ଟର ଭଳି ଉଚ୍ଚପଦବୀରେ ଅବସ୍ଥାପିତ । ସମଗ୍ର ଅଞ୍ଚଳର ପ୍ରାୟ ସବୁ ସରକାରୀ କର୍ମଚାରୀ ଓଡ଼ିଆ ଭାଷା ଲେଖି ପଢ଼ି ପାରୁ ନଥିବା ତେଲୁଗୁଭାଷୀ; ଏପରିକି ଡାକ ପିଅନଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଫିସରଙ୍କ ପର୍ଯ୍ୟନ୍ତ । ଗଞ୍ଜାମ ଜିଲ୍ଲାର ଅତ୍ୟନ୍ତ ଭ୍ରମାତ୍ମକ ମାନଚିତ୍ର ଯୋଗାଇ ଦିଆଯାଉଥିଲା ସ୍କୁଲ ପିଲାଙ୍କୁ । ସରକାରୀ ରେକର୍ଡ଼ପତ୍ରରେ ବିକୃତ ଓଡ଼ିଆ ଭାଷା ବ୍ୟବହୃତ ହେଉଥିଲା- ଏପରିକି ଗଂଜାମ ଜିଲ୍ଲାର ନାମ ପାଇଁ ମଧ୍ୟ । ଗଞ୍ଜାମ ଜିଲ୍ଲା ସରକାରୀ ନଥିପତ୍ରରେ ହୋଇ ଯାଇଥିଲା, 'ଗଙ୍ଗସେରିଗିଲ୍ଲା'(Gange Seri Gilla) ଏବଂ ଘୁମୁସର ତାଲୁକ ହୋଇଥିଲା ଘୁସେରୀ (Ghuseri) ତାଲୁକ ।

କମିଟି ଯଥାର୍ଥରେ ଅନୁଭବ କରିଥିଲା, ଏଇ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ସରକାରଙ୍କ ଆନ୍ତରିକତାର ଅଭାବ । ସେଇଥିପାଇଁ ସୁପାରିସ୍‌ରେ ମତ ଦେଇଥିଲା ‘ମାନ୍ଦ୍ରାଜ ପ୍ରଦେଶ ଶାସନାନ୍ତର୍ଗତ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଶିକ୍ଷିତ ବ୍ୟକ୍ତି ବିଶେଷ ଏକ ଶାସନାଧୀନ (ଓଡ଼ିଆ ସହିତ) ହୋଇ ରହିବାପାଇଁ ଦୀର୍ଘକାଳ ଧରି ଆନ୍ତରିକ ଅଭିଳାଷ ପୋଷଣ କରିଆସିଛନ୍ତି ଏବଂ ସେହି ଅଭିଳାଷରେ ମଧ୍ୟ ଯଥାର୍ଥତା ରହିଛି ।’ ଦୁଇଜଣ ଅଫସରଙ୍କ ଅନୁଭବ ଥିଲା