ପୃଷ୍ଠା:Aama Parala Gajapati.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହି ଯୁକ୍ତି ଅନୁଯାୟୀ ଗଞ୍ଜାମର ଓଡ଼ିଆ ସଂଖ୍ୟାବହୁଳ ଅଞ୍ଚଳ ଅତ୍ୟନ୍ତ ସୀମିତ; ତେଲୁଗୁମାନେ ଓଡ଼ିଆ ଭାଷା ବ୍ୟବହାର କରୁଥିବାରୁ ସେମାନଙ୍କୁ ଓଡ଼ିଆ ରୂପେ ଚିହ୍ନଟ କରାଯାଉଛି । ଅନୁନ୍ନତ ଓଡ଼ିଆଙ୍କ ହିତାହିତ ବିଚାରର ଯଥାର୍ଥ ଶକ୍ତି ନାହିଁ; ଏଠିକାର ଓଡ଼ିଆଙ୍କ ଭାଷା ସମେତ ଚାଳିଚଳଣ, ରୀତିନୀତି ସବୁ ଓଡ଼ିଶାର ଓଡ଼ିଆ ଲୋକଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ... ଇତ୍ୟାଦି, ଇତ୍ୟାଦି । ବିଶେଷ ଉଲ୍ଲେଖଯୋଗ୍ୟ ଥିଲା ଫିଲଫ୍-ଡଫ୍ କମିଟିର କଠୋର ସମାଲୋଚନା । ତାଙ୍କରି ଅଧୀନସ୍ଥ ଜଣେ ଜିଲ୍ଲା କଲେକ୍ଟର ଭଳି ଉଚ୍ଚପଦବୀଧାରୀ ଅଫିସରଙ୍କ ରିପୋର୍ଟକୁ ମଧ୍ୟ ଆକ୍ଷେପ କରିଥିଲେ ଯେ ସେହି କମିଟି କେବଳ ଉକ୍ତ ଅଞ୍ଚଳର ଓଡ଼ିଆଭାଷୀ ଲୋକଙ୍କ ମତାମତ ସଂଗ୍ରହ କରିଥିବା ବେଳେ ଅନ୍ୟଭାଷୀ ଲୋକଙ୍କ ମତାମତ ଆଦୌ ନିଆଯାଇନାହିଁ । ତେଣୁ ସେହିଭଳି ଭାବରେ ସେଇ ଅଞ୍ଚଳର ତେଲୁଗୁ ଲୋକଙ୍କର ମତାମତ ଜାଣିବାପଇଁ ଆଉ ଏକ କମିଟି ଗଠନ କରାଯାଉ ।

ତେଲୁଗୁ ରାଜକର୍ମଚାରୀଗଣଙ୍କଦ୍ବାରା ସଂପୂର୍ଣ୍ଣ ପ୍ରଭାବିତ ମାନ୍ଦ୍ରାଜ ପ୍ରାଦେଶିକ ସରକାରଙ୍କ ସେହି ମତାମତକୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ଗ୍ରହଣ କରି ନଥିଲେ । ପଦସ୍ଥ ଇଂରେଜ ଅଧିକାରୀଙ୍କ ମତରେ ଅଧିକ ଯଥାର୍ଥତା ଥିବା ଅନୁଭବ କରିଥିଲେ କେନ୍ଦ୍ର ସରକାର । ସଂପୃକ୍ତ ଅଞ୍ଚଳର କଲେକ୍ଟର ତୃଣମୂଳ ସ୍ତରୀୟ ଅନୁଧ୍ୟାନ କରିଥିବା ଯୋଗୁଁ ସେହି ସୁପାରିଶରେ ବାସ୍ତବତା ଥିବା ଅନୁଭବ କରି ଦକ୍ଷିଣ ବିଛିନ୍ନାଞ୍ଚଳର ଓଡ଼ିଆ ଅଞ୍ଚଳ ସବୁକୁ ଓଡ଼ିଶା ସହ ମିଶ୍ରଣ ପାଇଁ ସପକ୍ଷବାଦୀ ଥିଲେ ଏବଂ ସେହି ସମସ୍ୟା ସଂପର୍କରେ ସଂପୃକ୍ତ ବିହାର-ଓଡ଼ିଶା ସରକାରଙ୍କ ମତାମତ ଲୋଡ଼ିଥିଲେ । ତତ୍ ସହିତ କମିଟିର ସୁପାରିସ ଏବଂ ମାନ୍ଦ୍ରାଜ ସରକାରଙ୍କୁ ପ୍ରଦତ୍ତ ପତ୍ରର ନକଲ ମଧ୍ୟ ଯୋଗାଇ ଦେଇଥିଲେ । କେନ୍ଦ୍ରର ସେଭଳି ପଦକ୍ଷେପରେ ମାନ୍ଦ୍ରାଜ ସରକାର ବିଶେଷ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ ଏବଂ କେନ୍ଦ୍ରକୁ ଆକ୍ଷେପ କରିଥିଲେ ଯେ ବଙ୍ଗ କିମ୍ବା କେନ୍ଦ୍ର ମଧ୍ୟପ୍ରଦେଶ ଭଳି ଅନ୍ୟାନ୍ୟ ପ୍ରାଦେଶିକ ସରକାରଙ୍କ ତୁଳନାରେ ମାନ୍ଦ୍ରାଜ ସରକାରଙ୍କୁ ଉଚିତ ମର୍ଯ୍ୟାଦା ଦିଆଯାଉ ନାହିଁ । ଦେଶ ମିଶ୍ରଣ ସଂପର୍କୀୟ ସେମାନଙ୍କ ମତାମତକୁ ସଂପୂର୍ଣ୍ଣ ଉପେକ୍ଷା କରାଯାଉଛି ଏବଂ ପ୍ରାଦେଶିକ ସରକାରଙ୍କ ଇଚ୍ଛା ବିରୁଦ୍ଧରେ କମିଶନ ( ଫିଲଫ୍ ଡଫ୍) ଗଠିତ ହେଉଛି । ତା ସତ୍ତ୍ୱେ ଯଦି ଗଂଜାମକୁ ମାନ୍ଦ୍ରାଜରୁ ବିଚ୍ଛିନ୍ନ କରାଯାଏ ତେବେ ସେଠାରେ ବିଭିନ୍ନ ଉନ୍ନୟନ ଯୋଜନାରେ ଖର୍ଚ୍ଚ ହୋଇଥିବା ୬୧.୫ ଲକ୍ଷ ଟଙ୍କା ବିହାର ସରକାର ମାନ୍ଦ୍ରାଜକୁ ଦେବାକୁ ହେବ। ସେଇ ସମୟରେ ୧୯୦୪,୧୯୨୨ ଏବଂ ୧୯୨୫ରେ ଦେଇଥିବା ମତାମତକୁ ପୁଣି ଥରେ ପ୍ରଦାନ କରିଥିଲେ କେନ୍ଦ୍ର ସରକାରଙ୍କୁ ।

ଏଭଳି ପ୍ରବଳ ପ୍ରତିହିଂସାମୂଳକ ବିଷୋଦ୍‌ଗାରକୁ କେନ୍ଦ୍ର ଗ୍ରହଣ କରିବାପାଇଁ ବିଶେଷ କୁଣ୍ଠିତ ହୋଇଥିଲେ । ଅତ୍ୟନ୍ତ ଅନାବଶ୍ୟକ ମନେ କରିଥିଲେ ଗୋଟିଏ ପ୍ରାଦେଶିକ ସରକାରଙ୍କ ଉନ୍ନୟନମୂଳକ ଖର୍ଚ୍ଚକୁ ଅନ୍ୟ ଗୋଟିଏ ପ୍ରାଦେଶିକ ସରକାର ଭରଣା କରିବା ବିଷୟକ ଆଲୋଚନା । ପୁଣି ମାନ୍ଦ୍ରାଜ ସରକାରଙ୍କ ଅନ୍ୟତମ ପରାମର୍ଶ ଥିଲା ରାଜକୀୟ ବୈଧାନିକ