ପୃଷ୍ଠା:Aama Parala Gajapati.pdf/୭୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କମିଶନ୍ ( ସାଇମନ୍ କମିସନ୍) ନିକଟ ଭବିଷ୍ୟତରେ ଆସିବାକୁ ଥିବା ଯୋଗୁଁ ଏବଂ ପ୍ରାଦେଶିକ ସୀମା ନିର୍ଦ୍ଧାରଣ ଭଳି ନିଷ୍ପତ୍ତି ସେମାନଙ୍କ ସ୍ତରରେ ହିଁ ସମାହିତ ହେବାକୁ ଥିବା ଯୋଗୁଁ ସେ ପର୍ଯ୍ୟନ୍ତ ଅନ୍ତତଃ ଅପେକ୍ଷା କରାଯାଉ ।

କେନ୍ଦ୍ର ସରକାର କିନ୍ତୁ ଅପେକ୍ଷା କରିଥିଲେ ବିଭାଜିତ ହେବାକୁ ଥିବା ଅଞ୍ଚଳର ତେଲୁଗୁ, ଭାଷୀଙ୍କର ମତାମତ ଜାଣିବାପାଇଁ । ଇତି ମଧ୍ୟରେ ଉକ୍ତ କମିଟି ସୁପାରିଶରେ ଉତ୍ସାହିତ ଓଡ଼ିଆ ନେତୃମଣ୍ଡଳୀ ବିହାର-ଓଡ଼ିଶା ବିଧାନସଭାରେ ଦାବି ଉପସ୍ଥାପନ କରିଥିଲେ ତାହାକୁ କାର୍ଯ୍ୟକାରୀ କରିବାପାଇଁ । ମହାରାଜା କୃଷ୍ଣଚନ୍ଦ୍ର ବିଧାନସଭା ଓ କେନ୍ଦ୍ରୀୟ ପରିଷଦର ସଦସ୍ୟମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ସମେତ ବରାବର ଆଲୋଚନାମାନ ଚଳାଇ ରଖିଥିଲେ । ତତ୍‌ସମେତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶାକାଂକ୍ଷୀ ନେତାଗଣଙ୍କ ସହିତ ମଧ୍ୟ ବିଚାର ଆଲୋଚନାରେ ଅବ୍ୟାହତି ନଥିଲା । ସେହି ଅନୁଯାୟୀ ବିଭିନ୍ନ କାର୍ଯ୍ୟ ପନ୍ଥା ମଧ୍ୟ ଗ୍ରହଣ କରୁଥିଲେ; ବିଶେଷକରି ପରିଷଦଗଣଙ୍କୁ ପ୍ରଚୋଦିତ କରୁଥିଲେ ସେହି ପ୍ରଶ୍ନ‌କୁ ବିଧାନସ‌ଭା/ପରିଷଦରେ ବାରମ୍ବାର ଉତ୍‌ଥାପନପାଇଁ । ପୁଣି ୧୯୨୫ ମସିହାରେ ବିହାର-ଓଡ଼ିଶା ଅର୍ଥମନ୍ତ୍ରୀ କନିକାରାଜାଙ୍କ ନେତୃତ୍ବରେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ମଧୁସୂଦନ ପାଣିଗ୍ରାହୀ, ଆପନ୍ନା ପରିଚ୍ଛା, ଗୌରଚନ୍ଦ୍ର ସାମନ୍ତରାୟ, ବିଚିତ୍ରାନନ୍ଦ ଦାସ ଏବଂ ଲକ୍ଷ୍ମୀ ନାରାୟଣ ସାହୁ କେନ୍ଦ୍ର ଘରୋଇ ବିଭାଗ ସଭ୍ୟ ଶ୍ରୀ ମ୍ୟୁଡ଼ିମ୍ୟାନ୍‌ଙ୍କୁ ସାକ୍ଷାତ୍ ଆଲୋଚନା କରି ନୂତନ ପ୍ରଦେଶ ଗଠନ ଦାବି ଜଣାଇଥିଲେ । ପୁଣି କେନ୍ଦ୍ର ବିଧାନପରିଷଦରେ ୧୯୨୬ ଫେବ୍ରୁଆରି ଆଠ ତାରିଖ ଦିନ ପଣ୍ଡିତ ନୀଳକଣ୍ଠ କୌଣସି ପ୍ରଦେଶ ନୁହେଁ- ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି ପ୍ରସ୍ତାବ ଆଗତ କରିଥିଲେ ଏବଂ ତାହାରି ଉପରେ ବିଶେଷ ଆଲୋଚନା ମଧ୍ୟ ହୋଇଥିଲା । ସେତିକିବେଳେ ଶ୍ରୀ ଭୁବନାନନ୍ଦ ଦାସଙ୍କ ଯୁକ୍ତିକୁ ଆଧାରକରି ବିହାର ସଭ୍ୟ ଗୟାପ୍ରସାଦ ସିଂହଙ୍କ ଯୁକ୍ତି ଥିଲା- ବର୍ଭମନ ସବୁ ଓଡ଼ିଆ ଅଞ୍ଚଳଗୁଡ଼ିକର ଏକୀକରଣ କରାଯାଇ ଓଡ଼ିଶା ଡିଭିଜନ୍ ପୁନର୍ଗଠିତ ହେଉ ।

ଗୟାପ୍ରସାଦଙ୍କର ସେହି ପ୍ରସ୍ତାବ ସହିତ ଶ୍ରୀ ମ୍ୟୁଡ଼ିମ୍ୟାନ ସମ୍ମତ ହୋଇଥିଲେ । ସେ ତାଙ୍କର ବକ୍ତବ୍ୟ ରଖିଥିଲେ ଯେ ତତ୍‌କାଳୀନ ରାଜନୀତିକ ପୃଷ୍ଠଭୂମିରୁ ସ୍ୱତନ୍ତ୍ର ଓଡ଼ିଶା ଗଠନ ପ୍ରସ୍ତାବ ରାଜକୀୟ କମିଶନ ପାଇଁ ସ୍ଥଗିତ ରଖାଯାଇ, ବର୍ତ୍ତମାନ ଯଦି ଆର୍ଥିକ ଅସ୍ୱଚ୍ଛଳତା ସୃଷ୍ଟି ନହୁଏ ତେବେ, ଓଡ଼ିଶା ଡିଭିଜନକୁ ସ୍ୱଳ୍ପ ମାତ୍ରାରେ ପୁନର୍ଗଠନ କରାଯାଇପାରେ । କେନ୍ଦ୍ର ତଥା ବିହାରଓଡ଼ିଶା ପ୍ରାଦେଶିକ ସରକାରଙ୍କୁ ଯଥାର୍ଥ ଅବଗତ କରାଇ ସେଥିପାଇଁ ସେ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିଥିଲେ । ତାଙ୍କରି ପରାମର୍ଶକ୍ରମେ ପୂର୍ବ ପ୍ରସ୍ତାବିତ ଗଞ୍ଜାମର ଦଶଟି ତାଲୁକାକୁ ଓଡ଼ିଶା ସହ ମିଶ୍ରଣ କରାଗଲେ ତାହାର ଆର୍ଥିକ ପରିଣତି ଅନୁଧ୍ୟାନପାଇଁ ବିହାର-ଓଡ଼ିଶା ସରକାରଙ୍କ ଅର୍ଥ ପରାମର୍ଶଦାତା ଶ୍ରୀ ୟୁ.ଏନ୍.ସେନ୍ ନିଯୁକ୍ତ ହୋଇଥିଲେ ।