ପୃଷ୍ଠା:Aama Parala Gajapati.pdf/୭୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀ ସେନଙ୍କ ଅନୁଧ୍ୟାନମୂଳକ ରିପୋର୍ଟରେ ଥିଲା ଯେ ଗଞ୍ଜାମର ଉକ୍ତ ଅଞ୍ଚଳଗୁଡ଼ିକର ବାର୍ଷିକ ଆୟ ୨୫.୦୬ ଲକ୍ଷ ଟଙ୍କା ଥିବାବେଳେ ବ୍ୟୟ ଅଟକଳର ମାତ୍ରା ୩୬.୪୨ ଲକ୍ଷ । ପ୍ରାୟ ୧୧.୫୦ଲକ୍ଷ ଟଙ୍କାର ଅଧିକ ବ୍ୟୟ ବରାଦ ପାଇଁ ପ୍ରାଦେଶିକ ସରକାର ବିଶେଷ ଭାବେ କୁଣ୍ଠିତ ହୋଇଥିଲେ । ଏହି ନିଅଣ୍ଟ ପରିମାଣ କେନ୍ଦ୍ର ଯଦି ଭରଣାକରେ ତା’ ହେଲେ ସେଭଳି ପ୍ରସ୍ତାବ ଗ୍ରହଣୀୟ ବୋଲି ବିହାର ଓଡ଼ିଶା ସରକାର କେନ୍ଦ୍ରକୁ ଜଣାଇବା ପରେ ଭାରତ ସରକାର ମଧ୍ୟ ସେ ଦିଗରେ ଆଉ ଅଧିକ ଆଗ୍ରହ ପ୍ରକାଶ କରିନଥିଲେ । ଅପେକ୍ଷା କରିବାକୁ ବରଂ ଶ୍ରେୟ ମନେ କରିଥିଲେ ବୈଧାନିକ କମିଶନଙ୍କ ଭାରତ ଆଗମନପାଇଁ । କାରଣ ବିଖ୍ୟାତ ସାଇମନ୍ କମିଶନ ରୂପେ ପରିଚିତ ସେହି କମିଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଗତ ମଣ୍ଟେଗୁ ଚେମ୍‌ସଫୋର୍ଡ଼ ଶାସନ ସଂସ୍କାରର ପରିଣତି ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ବର୍ତ୍ତମାନ ପରସ୍ଥିତିରେ ଆବଶ୍ୟକ ମନେ ହେଉଥିବା ଭାରତର ଶାସନ ସଂସ୍କାର ସଂପର୍କରେ ପରାମର୍ଶ ଦେବା ।

୧୯୨୭ ନଭେମ୍ବର ୨୬ ତାରିଖ ଦିନ ଇଂଲଣ୍ଡର ଲର୍ଡ଼ ସଭାରେ ସେହି ବୈଧାନିକ କମିଶନ ଗଠନ ହେବା କଥା ଘୋଷିତ ହୋଇଥିଲା । ସେହି କମିଟିରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ସାତଜଣ ବ୍ୟକ୍ତି ଇଂରେଜ ଥିବା କାରଣରୁ ଉକ୍ତ କମିଟିଟି ଗୋରା କମିଶନ୍/ ଗୋରା କମିଟି/ ଅଲ୍ ହ୍ୱାଇଟ୍ କମିଶନ ରୂପେ ଅପଖ୍ୟାତି ଅର୍ଜନ କରିଥିଲା ଭାରତରେ । କମିଟିର ଅଧ୍ୟକ୍ଷ ରୂପେ କାର୍ଯ୍ୟ ନିର୍ବାହକ ଥିଲେ ସାର ଜନ୍ ସାଇମନ୍ । ସେହି କାରଣରୁ ମଧ୍ୟ ଭକ୍ତ କମିଶନ୍ ବିଶେଷଭାବେ ପରିଚିତ ଥିଲା ସାଇମନ୍ କମିଶନ୍ ହିସାବରେ ।

ଭାରତୀୟ ଶାସନ ସଂସ୍କାରପାଇଁ ପରାମର୍ଶ ଦେବା ଲାଗି ଗଠିତ କମିଟିରେ କୌଣସି ଭାରତୀୟ ସଭ୍ୟ ନଥିବା କାରଣରୁ ଜାତୀୟ କଂଗ୍ରେସର ୧୯୨୭ ମାନ୍ଦ୍ରାଜ ଅଧିବେଶନରେ ତାହାକୁ ଭାରତବାସୀଙ୍କ ତରଫରୁ ଅଗ୍ରାହ୍ୟ କରାଯାଇଥିଲା । ସେହି ଅନୁକ୍ରମରେ ଭାରତରେ ଉକ୍ତ କମିଶନର ପ୍ରବେଶକୁ ସୁଦ୍ଧା ବିରୋଧ କରି ‘ସାଇମନ୍ ଗୋ ବ୍ୟାକ୍’– ସାଇମନ ଫେରିଯାଅ ବୋଲି ବଜ୍ର ଆହ୍ୱାନ ଦିଆ ଯାଇଥିଲା । କମିଟିକୁ ସଂପୂର୍ଣ୍ଣ ଅସହଯୋଗପାଇଁ ପ୍ରସ୍ତୁତ ହୋଇ ରହିଥିଲା ଭାରତୀୟ ଜନ ସମୁଦାୟର ବିଶିଷ୍ଟ ଅଂଶବିଶେଷ ।

୧୯୨୮ ଫେବ୍ରୁଆରି ତିନି ତାରିଖ ଦିନ ମୁମ୍ବାଇଠାରେ ପହଞ୍ଚିବା ବେଳରୁ ହିଁ ଭାରତବାସୀଙ୍କର ସେଭଳି ମନୋଭାବର ଯଥାର୍ଥ ଆକଳନ କରି ପାରିଥିଲେ ଉକ୍ତ କମିଶନର ସଭ୍ୟବୃନ୍ଦ । ତେଣୁ ଏଠି ପହଞ୍ଚିବା ପରେ ପରେ ଭାରତର ବଡ଼ଲାଟଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ଯେ କମିଶନ୍‌ର ବୈଠକଗୁଡ଼ିକ ଗୋଟିଏ ଗୋଟିଏ ମିଳିତ ବୈଠକ ହେବା ବିଧେୟ । ଭାରତର ବିଭିନ୍ନ ପ୍ରାଦେଶିକ ବ୍ୟବସ୍ଥାପକ ସଭାର କେତେଜଣ ନିର୍ବାଚିତ ପ୍ରତିନିଧି କମିଶନକୁ ସର୍ବାନ୍ତଃକରଣରେ ସହାୟତା ଯୋଗାଇଦେବା ସଙ୍ଗେସଙ୍ଗେ ଆପଣାର ସ୍ୱାଧୀନ ମତ ମଧ୍ୟ ବ୍ୟକ୍ତ କରି ପାରିବେ ବୋଲି ସ୍ଥିର ହୋଇଥିଲା । ତାହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ସରକାରୀ ସହାୟତା ।