ପୃଷ୍ଠା:Aama Parala Gajapati.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହି କ୍ରମରେ ଅନ୍ୟାନ୍ୟ ପ୍ରାଦେଶିକ ସଭା ଭଳି ୧୯୨୮ ମସିହା ଅଗଷ୍ଟ ମାସରେ ବିହାର ଓଡ଼ିଶା ବିଧାନସଭା ତରଫରୁ ସାତଜଣିଆ କମିଟିଟିଏ ଗଠିତ ହୋଇଥିଲା । ସୌଭାଗ୍ୟକ୍ରମେ ସେଥିରେ ଅନ୍ତର୍ଭୁକ୍ତ ହୋଇଥିଲେ ଦୁଇଜଣ ଓଡ଼ିଆ ସଦସ୍ୟ- ଶ୍ରୀଯୁକ୍ତ ଲକ୍ଷ୍ମୀଧର ମହାନ୍ତି ଏବଂ କନିକାର ରାଜାସାହେବ । ସେଥିପାଇଁ ଓଡ଼ିଶାର ନେତୃମଣ୍ଡଳୀ- ବିଶେଷକରି ଡକ୍ଟର ହରେକୃଷ୍ଣ ମହତାବ ଏବଂ ତାହାଙ୍କର ଅନୁଗାମୀମାନେ ସାଇମନ୍ କମିଶନ୍‌କୁ ସେଭଳି ସହଯୋଗ ପାଇଁ ଓଡ଼ିଆ ସଭ୍ୟଗଣଙ୍କୁ କଠୋର ଭାବରେ ସମାଲୋଚନା କରିଥିଲେ ।

ସରକାରୀ ତଥା ବେସରକାରୀ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଏବଂ ଭାରତର ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ନିକଟରୁ ଲିଖିତ ଆବେଦନମାନ ଆହ୍ୱାନ କରିଥିଲେ କମିଶନ୍ । ସେମାନଙ୍କ ବିଚାର ପରିସରଭୁକ୍ତ ଯେ କୌଣସି ବିଷୟ ନେଇ ମତାମତ ଆହ୍ୱାନ କରାଯାଇଥିଲା । ଆବଶ୍ୟକ ମନେହେଲେ ଯେ କୌଣସି ବିଷୟ ସଂପର୍କରେ ଅଧିକ ବିଚାର ବିମର୍ଶ ତଥା ଅଧିକ ଅନୁସନ୍ଧାନପଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ସେହି ଅନୁକ୍ରମରେ ହିଁ ନୂତନ ଓଡ଼ିଶା ପ୍ରଦେଶ ଗଠନ ସଂପର୍କରେ ଅଧିକ ତଥ୍ୟଗତ ଅନୁସନ୍ଧାନପାଇଁ ଅଟ୍‌ଲି ସବ୍‌କମିଟି ଗଠିତ ହୋଇଥିଲା ।

ହେଲେ ଦେଶର ଛତ୍ରେଛତ୍ରେ ଥିଲା ସାଇମନ୍ ଗୋବ୍ୟାକ୍ ପ୍ରଚାରପତ୍ର । ଯେତେବେଳେ ଯେଉଁ ସ୍ଥାନରେ କମିଶନ୍ ପହଞ୍ଚୁଥିଲା ସେଠି ପ୍ରବଳ ବିକ୍ଷୋଭ, କଳାପତାକା ପ୍ରଦର୍ଶନ; ଗୋବ୍ୟାକ୍ ସାଇମନ୍- ଉଚ୍ଚ ସ୍ୱରଲହରୀ । ବିକ୍ଷୋଭକାରୀଙ୍କୁ ପୋଲିସ୍‌ର ନିର୍ମମ ଅତ୍ୟାଚାର । ଅପରପକ୍ଷରେ କମିଶନଙ୍କୁ କଡ଼ା ସୁରକ୍ଷା ଦିଆ ଯିବାରେ ସାମାନ୍ୟତମ ଅବହେଳା ନରହିବା ସ୍ୱାଭାବିକ ।

ଭାରତୀୟ ଜାତୀୟ କଂଗ୍ରେସର ଏକ ଶାଖା ରୂପେ ଉତ୍କଳ କଂଗ୍ରେସ ଏବଂ ଅନୁଷ୍ଠାନରେ ଶୃଙ୍ଖଳିତ ସଦସ୍ୟ ରୂପେ ଉତ୍କଳୀୟ ନେତୃବୃନ୍ଦ ମଧ୍ୟ ଉକ୍ତ କମିଶନକୁ ଯଥାସାଧ୍ୟ ବିରୋଧ କରିଥିଲେ । ଆଞ୍ଚଳିକ ଭାବେ ଏହି ଅଞ୍ଚଳର ନେତୃବୃନ୍ଦଙ୍କ ମଧ୍ୟରେ ବାସ୍ତବରେ ସିଂହଭାଗ ଥିଲେ ସେମାନେ । କିନ୍ତୁ ତଥାପି କେତେଜଣ ଉତ୍କଳୀୟ ଉଗ୍ର ଜାତୀୟବାଦୀ କଂଗ୍ରେସ ସହ ସାମିଲ ହୋଇ ନଥିଲେ କି କଂଗ୍ରେସର କାର୍ଯ୍ୟକଳାପରେ ସହଯୋଗ ମଧ୍ୟ କରିନଥିଲେ ବରଂ ଠିକ୍ ଓଲଟା ପଦକ୍ଷେପମାନ ଗ୍ରହଣ କରିଥିଲେ । ଏହି ଗୋଷ୍ଠୀରେ ଅନ୍ତର୍ଭୁକ୍ତ ଥିଲେ ସର୍ବଶ୍ରୀ କନିକା ରାଜା, ବ୍ରଜସୁନ୍ଦର ଦାସ, ଲକ୍ଷ୍ମୀଧର ମହାନ୍ତି, ପାରଳା ମହାରାଜା ଏବଂ ସେମାନଙ୍କ ଅନୁଗାମୀଗଣ । ଏମାନଙ୍କ ସହ ସମମତ ପୋଷଣ କରୁଥିଲେ ସର୍ବଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ, ଲାଲ୍ ମୋହନ ପଟ୍ଟନାୟକ, ମଧୁସୁଦନ ପାଣିଗ୍ରାହୀ ପ୍ରମୁଖ । ଉତ୍କଳ ସମ୍ମିଳନୀର ସଦସ୍ୟଗଣ ଥିଲେ ଏହିମତର ସପକ୍ଷବାଦୀ । ମହାରାଜା କୃଷ୍ଣଚନ୍ଦ୍ରଙ୍କ ସମେତ ସେମାନଙ୍କର ବିଶ୍ୱାସ ଦୃଢ଼ୀଭୂତ ହୋଇଥିଲା ଯେ ସମ୍ଭବତଃ ଦେଶର ଶାସନ ସଂସ୍କାର ସଂପର୍କିତ ପରାମର୍ଶ ଦେବାପାଇଁ ଆସିଥିବା ଉକ୍ତ ସର୍ବୋଚ୍ଚ କ୍ଷମତାସଂପନ୍ନ କମିଟି ହିଁ ଉତ୍କଳୀୟଙ୍କ ଦୁଃଖ ଲାଘବ କରିବାରେ ସମର୍ଥ