ପୃଷ୍ଠା:Aama Parala Gajapati.pdf/୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁଣ୍ୟତୋୟା ଗଙ୍ଗାକୂଳରେ, ଅତି ପୁରାତନ କାଳରେ ଗଙ୍ଗା ନାମରେ ଏକ ଗୋଷ୍ଠୀର ବ୍ୟକ୍ତିବୃନ୍ଦ ବସବାସ କରି ରହୁଥିଲେ । ସେମାନେ ଜାତିରେ ଥିଲେ ବ୍ରାହ୍ମଣ । ସମୟର ତାଳେତାଳେ ଉତ୍ତରରେ ଗଙ୍ଗାନଦୀ କୂଳରୁ ଦକ୍ଷିଣରେ ଦାମୋଦର ନଦୀ ପର୍ଯ୍ୟନ୍ତ ଏବଂ ପୂର୍ବରେ ସମୁଦ୍ର ଉପକୂଳବର୍ତ୍ତୀ ଇଲାକାରୁ ଆରମ୍ଭ କରି ପଶ୍ଚିମରେ ମଗଧରାଜ୍ୟ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳ ହୋଇଥିଲା ସେମାନଙ୍କର ବାସସ୍ଥଳୀ । ସେମାନଙ୍କର ସେହି ସ୍ଥିତି ଥିଲା ଖ୍ରୀ.ପୂ. ୩୦୦ ଶତାବ୍ଦୀ ବେଳକୁ ପରିବ୍ରାଜକ ମେଘାସ୍ଥିନିସ୍‍ ଭାରତ ଭ୍ରମଣରେ ଆସିଥିବା ବେଳେ । ହେଲେ ତତ୍‍ପରବର୍ତ୍ତୀ ପରିବ୍ରାଜକ ପ୍ଲିନିଂଙ୍କ ଖ୍ରୀ. ୭୭ର ବିବରଣୀ ଅନୁଯାୟୀ ସେମାନେ କାଳକ୍ରମେ ପୂରାପୂରି ଭାବେ ଭାରତର ଦକ୍ଷିଣାଞ୍ଚଳକୁ ଚାଲି ଯାଇଥିଲେ । ବିଶାଖାପାଟଣାର ଦକ୍ଷିଣାଞ୍ଚଳଗୁଡ଼ିକରେ ଆପଣାର ବସତିମାନ ସ୍ଥାପନ କରିଥିଲେ ।

କାଳଚକ୍ରରେ ସେହି ଗଙ୍ଗ ଜାତି ବିଭିନ୍ନ ଭାଗରେ ବିଭକ୍ତ ହୋଇଯାଇଥିଲେ ସ୍ୱାଭାବିକ କାରଣରୁ । ହେଲେ ଇତିହାସରେ ମାତ୍ର ଦୁଇଟି ଶାଖାର ବିବରଣୀ ପ୍ରାପ୍ତ ହୋଇଥାଏ । ଗୋଟିଏ ଶାଖା ପଞ୍ଚମ ଶତାବ୍ଦୀର ପ୍ରଥମ ଭାଗରେ ମହୀଶୂରର ପୁନ୍ନାତ-ପନ୍ନାତ୍‍ ଅଞ୍ଚଳରେ ରାଜୁତି କରିବା ବେଳେ ଅନ୍ୟ ଶାଖାଟି ବର୍ତ୍ତମାନ ଓଡ଼ିଶାର ତ୍ରିକଳିଙ୍ଗ ଅଞ୍ଚଳରେ ଶାସନକଳ ଅକ୍ତିଆର କରିଥିବାର ପ୍ରମାଣ ମିଳେ ସେଇ ଶତାବ୍ଦୀର ଶେଷ ଭାଗରେ । ମହୀଶୂର ଶାଖା ଜାହ୍ନବୀୟ ପଶ୍ଚିମାଞ୍ଚଳ ଗଙ୍ଗ ହିସାବରେ ଇତିହାସରେ ଗୃହୀତ ହୋଇଥିବା ବେଳେ ସେମାନଙ୍କ ଉକ୍ରଳୀୟ ବଂଶଧରଗଣ ପରିଚିତ ହୋଇଥିଲେ ପୂର୍ବାଞ୍ଚଳ ଗଙ୍ଗ ଶାଖା ହିସାବରେ ।

ପ୍ରଥମାବସ୍ଥାରେ ଗଙ୍ଗମାନେ ବ୍ରାହ୍ମଣବଂଶୀୟ ଥିଲେ ସୁଦ୍ଧା ତତ୍‍କାଳୀନ ପରିସ୍ଥିତିରେ ଜାତିପ୍ରଥା ନେଇ ବିଶେଷ ଦୃଢ଼ ତଥା ଟାଳଟୁଳ ନୀତି ସମାଜରେ ପ୍ରଚଳିତ ନଥିଲା । ସମ୍ଭବତଃ ସେହି କାରଣରୁ ସେମାନେ କାଳକ୍ରମେ କ୍ଷତ୍ରିୟ ବଂଶରେ ପରିଣତ ହୋଇଯାଇଥିଲେ । ସ୍ପଷ୍ଟ ଅନୁମେୟ ଯେ ସେମାନେ ସେମାନଙ୍କ ଆଦିବାସସ୍ଥାନ ଗଙ୍ଗାନଦୀକୂଳରୁ ଦାକ୍ଷିଣାତ୍ୟର ସୁଦୂର ମହୀଶୂର ଅଞ୍ଚଳକୁ ଯାତ୍ରାକରି ସେଠାରୁ ଗୋଟିଏ ଶାଖା ବର୍ତ୍ତମାନର ଓଡ଼ିଶା ଅଞ୍ଚଳକୁ ଆସିଥିଲେ । ଏହାକୁ ଅନେକ ଐତିହାସିକ ସ୍ୱୀକୃତି ଦେଉଥିଲେ ସୁଦ୍ଧା ଅନ୍ୟ କେତେକଙ୍କ ମତରେ ବାସ୍ତବରେ ଉଭୟ ଗଙ୍ଗଶାଖା ପରସ୍ପରଠାରୁ ପୃଥକ୍‍ ।

ପଞ୍ଚମ ଶତାବ୍ଦୀର ଶେଷ ଭାଗରେ କଳିଙ୍ଗରେ ରାଜତ୍ୱ କରୁଥିଲେ ଶୈଳୋଦ୍‍ଭବ ରାଜନ୍ୟବର୍ଗ । ହେଲେ ପଡେ଼ାଶୀ ଭକଟକ ରାଜ୍ୟର ରାଜା ହରିସେନାଙ୍କ ସହିତ ସେମାନଙ୍କର ଶତ୍ରୁତା ଲାଗି ରହିଥିଲା । ତେଣୁ ହରିସେନା ପଡେ଼ାଶୀ ରାଜ୍ୟରେ ତାଙ୍କର ଶତ୍ରୁଗଣଙ୍କୁ ହଟାଇ ନିଜପାଇଁ ସମର୍ଥନ ଯୋଗାଡ଼ ଉଦ୍ଦେଶ୍ୟରେ ଗଙ୍ଗବଂଶୀ ରାଜାଗଣଙ୍କୁ ସେଠାରେ ପ୍ରତିଷ୍ଠିତ କରାଇବାରେ ସଫଳକାମ ହୋଇଥିଲେ । ତାହାହିଁ ଥିଲା କଳିଙ୍ଗରେ ଗଙ୍ଗ ରାଜତ୍ୱର ପ୍ରାରମ୍ଭ । ସେହିଭଳି ଭାବରେ ଗଙ୍ଗରାଜତ୍ୱର ପ୍ରତିଷ୍ଠାର ପ୍ରାରମ୍ଭ ନେଇ ଓଡ଼ିଶା ଇତିହାସକାର ଡକ୍ଟର ମହତାବ

ଆମ ପାରଳା ଗଜପତି ୯