ପୃଷ୍ଠା:Aama Parala Gajapati.pdf/୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ରହ୍ମପୁରର ଓଡ଼ିଆ ସମାଜ ତରଫରୁ କମିଶନକୁ ଏକ ସ୍ମାରକପତ୍ର ମାଧ୍ୟମରେ ଓଡ଼ିଆମାନଙ୍କପାଇଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦାବି କରାଯାଇଥିଲା । ସେଭଳି ସେହି ସହରର ମାନ୍ଦ୍ରାଜ ପ୍ରାଦେଶିକ ଓଡ଼ିଆ ସଂଘ ତରଫରୁ ୧୯୨୮ ମଇ ୩୦ ତାରିଖ ଦିନ ଏକ ସ୍ମାରକପତ୍ର ଭୁବନେଶ୍ୱର ରଥଙ୍କ ନେତୃତ୍ୱରେ କମିଶନଙ୍କୁ ପ୍ରଦାନ କରାଯାଇଥିଲା । ସେହିଭଳି ପ୍ରାକୃତିକ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଅସଂଖ୍ୟ ସ୍ମାରକପତ୍ର ତଥା ଟେଲିଗ୍ରାମ ଜରିଆରେ ସେଇ ଏକା ପ୍ରକାରର ଦାବିପତ୍ର ସ୍ତୂପୀକୃତ ଆକାରରେ ଜମାହୋଇଥିଲା ସାଇମନ୍ କମିଶନଙ୍କ ନିକଟରେ । ମହାରାଜା କୃଷ୍ଣଚନ୍ଦ୍ରଙ୍କ ଉଦ୍ୟମ ବିଫଳ ହୋଇନଥିଲା ।

ଖୋଦ୍ ଗଜପତି କୃଷ୍ଣଚନ୍ଦ୍ର ୧୯୨୮ ମସିହା ଜୁନ୍ ମାସରେ ବ୍ୟକ୍ତିଗତ ଭାବେ ମାନ୍ଦ୍ରାଜ ଯାଇ କମିଶନ୍ ନିକଟରେ ସାକ୍ଷ୍ୟପ୍ରଦାନ କରିଥିଲେ । ସେଇଠି ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ପ୍ରାକୃତିକ ଓଡ଼ିଶାର ସବୁ ଓଡ଼ିଆଙ୍କୁ ଏକ ଶାସନାଧୀନ ରଖାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେଉ । କମିଶନଙ୍କ ନିକଟରେ ଉପସ୍ଥାପିତ ବିଭିନ୍ନ ସ୍ମାରକପତ୍ରରେ ଦାବି କରାଯାଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବିଚାର ବେଳେ ତାହାର ଆର୍ଥିକ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଆରୋପ କରାନଯାଇ ଭାଷାଭିତ୍ତିକ ବିଚାର ଅଗ୍ରଗଣ୍ୟ ହେଉ । ଚାରୋଟି ପ୍ରାଦେଶିକ ସରକାରରେ ସଂଖ୍ୟାନ୍ୟୂନ ଭାବେ ଯୁକ୍ତ ହୋଇ ଓଡ଼ିଆମାନେ ରହିବା ବ୍ୟତୀତ ଅନ୍ୟ କେତୋଟି ଦେଶୀୟ ରାଜ୍ୟରେ ସେମାନେ ବସବାସ କରି ରହୁଥିବା ଯୋଗୁଁ ସେଗୁଡ଼ିକର ସମ୍ମିଶ୍ରଣ ଏକାନ୍ତ ଆବଶ୍ୟକ ।

ଏହି ଘଟଣା କ୍ରମରେ ଯେଉଁ ବିଶେଷ ଉଲ୍ଲେଖଯୋଗ୍ୟ ଘଟଣାଟି ଘଟଥିଲା, ତାହା ଥିଲା ଉତ୍କଳ ସମ୍ମିଳନୀର ସଦସ୍ୟଗଣଙ୍କ ଦ୍ୱାରା ଓଡ଼ିଶାବାସୀଙ୍କ ତରଫରୁ ସାଇମନ୍ କମିଶନକୁ ବିହାର-ଓଡ଼ିଶା ପ୍ରଦେଶର ରାଜଧାନୀ ପାଟଣା ରେଳ ଷ୍ଟେସନରେ ସ୍ୱାଗତ ସମ୍ବର୍ଦ୍ଧନା । ସେଇ ଅଭ୍ୟର୍ଥନା ଜଣାଇବାପାଇଁ ଯେଉଁ ଓଡ଼ିଆ ନେତୃବର୍ଗ ସେଠାରେ ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରେ ଥିଲେ କନିକା ରାଜା, ବ୍ରଜ ସୁନ୍ଦର ଦାସ, ଲକ୍ଷ୍ମୀଧର ମହାନ୍ତି, ଭିକାରୀ ଚରଣ ପଟ୍ଟନାୟକ ପ୍ରମୁଖ ମାନେ । ସେମାନଙ୍କ ହାତରେ ବିଜ୍ଞାପନ- Orissa Welcomes Simon - ଓଡ଼ିଶା ସାଇମନଙ୍କୁ ସ୍ୱାଗତ କରେ । ସାରା ରେଳଷ୍ଟେସନରେ ବିଚ୍ଛୁରିତ ହୋଇ ପଡ଼ିଥିଲା ସେଇ ପ୍ରଚାରପତ୍ର ।

ସମ୍ଭବତଃ ସାରା ଭାରତରେ ପଟଣା ହିଁ ଥିଲା ଏକମାତ୍ର ସ୍ଥାନ ଯେଉଁଠି ସେଇ ଗୋରା କମିଶନ୍ ସ୍ୱାଗତଂର ମଧୁର ସ୍ୱନ ଶୁଣିବାକୁ ପାଇଥିଲେ । ସବୁ ସ୍ଥାନରେ ସ୍ଥାନୀୟ ଜନଗଣଙ୍କଠାରୁ କେବଳ ଅସହଯୋଗ ଲାଭ କରିଥିବା ବେଳେ ସହଯୋଗର ହାତ ଲମ୍ବି ଆସିଥିବା ସାଇମନ୍ କମିଶନ୍ ଲକ୍ଷ୍ୟ କରିଥିଲେ ଓଡ଼ିଶାବାସୀଙ୍କ ତରଫରୁ । ସେଭଳି ଅଚାନକ ଭାବରେ ସ୍ୱାଗତ ସମ୍ବର୍ଦ୍ଧନା ପାଇ ଜନ୍ ସାଇମନ୍‌ଙ୍କ ସମେତ କମିଶନ୍‌ର ସଭ୍ୟଗଣ ଅତ୍ୟନ୍ତ ଉତ୍‌ଫୁଲ୍ଲିତ ହୋଇ ଉଠିଥିବେ ନିଶ୍ଚୟ । ଦେଶର ସର୍ବତ୍ର କଳାପତାକା ସହ ସାଇମନ୍ ଗୋ ବ୍ୟାକ୍‌ର କାନଫଟା ଶବ୍ଦ