ପୃଷ୍ଠା:Aama Parala Gajapati.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିବର୍ତ୍ତେ ମାତ୍ର ଗୋଟିଏ ସ୍ଥାନରେ ସ୍ୱାଗତଂ ଭଳି ମଧୁର ଶବ୍ଦ ସେମାନଙ୍କ ହୃଦୟକନ୍ଦରରେ ଏକ ଆନନ୍ଦ ଲ‌ହରୀ ସୃଷ୍ଟି କରିଥିବ । ୧୯୨୮ ମସିହା ଡ଼ିସେମ୍ବର ୧୨ ତାରିଖ ଦିନ ସେମାନେ ରେଳରୁ ଓହ୍ଲାଇ ପ୍ଲେଟ୍‌ଫର୍ମ ଦେଇ ବାହାରକୁ ବାହାରୁଥିବା ଅବସରରେ କମିଶନ୍‌ର ଅନ୍ୟତମ ସଦସ୍ୟ ମେଜର୍ ଅଟଲି ପ୍ଲେଟ୍‌ଫର୍ମ ଉପରେ ବିଚ୍ଛୁରିତ ହୋଇ ପଡ଼ିଥିବା ଅଂସଖ୍ୟ ପ୍ରଚାରପତ୍ର ଭିତରୁ ଗୋଟିଏ ଦୁଇଟି ଉଠାଇ ସାଂଗରେ ନେଇଥିଲେ । ଏବଂ ସମ୍ଭବତଃ ସେଇଠୁ ହିଁ ଆରମ୍ଭ ହୋଇଥିଲା ସେମାନଙ୍କର ଓଡ଼ିଆ ଦରଦୀ ମନୋଭାବ ।

କମିଶନ୍ ସମକ୍ଷରେ ସାକ୍ଷ୍ୟ ଦେବାପାଇଁ ଓଡ଼ିଶାରୁ ବ୍ରଜସୁନ୍ଦର ଦାସଙ୍କ ନେତୃତ୍ବରେ ଯାଇଥିଲେ ସର୍ବଶ୍ରୀ ନାରାୟଣ ଚନ୍ଦ୍ର ବୀରବର ଧୀର ନରେନ୍ଦ୍ର, ଗୋପାଳ ଚନ୍ଦ୍ର ପ୍ରହରାଜ, ଭିକାରି ଚରଣ ପଟ୍ଟନାୟକ, ବାରିଷ୍ଟର ବିଶ୍ୱନାଥ ମିଶ୍ର ଏବଂ ଭାଗବତ ପ୍ରସାଦ ମହାପାତ୍ର ପ୍ରମୁଖ ବ୍ୟକ୍ତିମାନେ । ବ୍ରଜସୁନ୍ଦର ବାବୁଙ୍କ ପ୍ରଥମ ସମ୍ଭାଷଣ ଥିଲା- ବିହାର-ଓଡ଼ିଶା ପ୍ରଦେଶର ରାଜଧାନୀ ପୁରାତନ ନଗରୀ ପାଟଳିପୁତ୍ରକୁ ଓଡ଼ିଆ ଜନଗଣଙ୍କ ତରଫରୁ ଆସ୍ତେ ଉତ୍କଳ ସମ୍ମିଳନୀର ସଦସ୍ୟଗଣ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ । ପ୍ରତ୍ୟୁତ୍ତରରେ ସାତଜଣିଆ କମିଶନ୍‌ର ଅଧ୍ୟକ୍ଷ ଧନ୍ୟବାଦ ଜଣାଇବା ସଂଗେ ସଂଗେ ଆପଣାର କୃତଜ୍ଞତା ମଧ୍ୟ ପ୍ରକାଶ କରିଥିଲେ ।

ସେହି କମିଶନ୍ ନିକଟରେ ପ୍ରତିନିଧିଗଣ ଚାରୋଟି ପ୍ରାଦେଶିକ ସରକାରଙ୍କ ଅଧୀନରେ ଭାଗଭାଗ ହୋଇ ସୀମାନ୍ତ ଅଞ୍ଚଳ ରୂପେ ରହିଥିବା ଓଡ଼ିଆମାନଙ୍କ ଦୁର୍ଦ୍ଦଶା ପ୍ରାଂଜଳ ଭାବରେ ଉପସ୍ଥାପନ କରିଥିଲେ । ମତ ପ୍ରକାଶ କରିଥିଲେ ଯେ ଗୋଟିଏ ପ୍ରକାଣ୍ଡ ବୃକ୍ଷତଳେ କ୍ଷୁଦ୍ରକ୍ଷୁଦ୍ର ଚାରା ବଂଚି ରହିବା କଷ୍ଟକର । ଯଦିବା ବଂଚି ରହେ ତାହେଲେ ସେଗୁଡ଼ିକ ପଙ୍ଗୁ ବା ଅଥର୍ବ ଭଳି ବଂଚି ରହିପାରେ । ଠିକ ସେହିଭଳି ଅବସ୍ଥାରେ ଥିବା ସବୁ ଓଡ଼ିଆ ଅଞ୍ଚଳକୁ ଏକତ୍ରକରି ଏକ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେବା ନିହାତି ଆବଶ୍ୟକ । କମିଶନର ସଭ୍ୟମାନଙ୍କୁ ହୃଦବୋଧ କରାଇବାପାଇଁ ଚେଷ୍ଟା କରିଥିଲେ ଯେ ପ୍ରାକୃତିକ ଓଡ଼ିଶାର ସବୁ ଓଡ଼ିଆଙ୍କ ଅକାଂକ୍ଷା ସେହି ଏକା ରକମର ।

ସେଇ ଅଲୋଚନା ବେଳେ ସାଇମନ୍ କମିଶନ୍‌ର ଜଣେ ସଭ୍ୟ ଏକ ବିକଳ୍ପ ପ୍ରସ୍ତାବ ଉପସ୍ଥାପନ କରିଥିଲେ ଯେ ଜଣେ ଗଭର୍ଣ୍ଣରଙ୍କଦ୍ବାରା ଶାସିତ ପ୍ରଦେଶଟିଏ ଗଠନ ସମ୍ଭବ ନହେଲେ ତତପରବର୍ତ୍ତୀ ଉପ-ପ୍ରଦେଶଟିଏ ଗଠିତ ହେଲେ କେମିତି ହୁଅନ୍ତା ! ପ୍ରତ୍ୟୁତ୍ତରରେ ସେଠି ଉପସ୍ଥିତ ସମସ୍ତ ଓଡ଼ିଆ ସଦସ୍ୟ ସେଭଳି ପ୍ରସ୍ତାବକୁ ସଂପୂର୍ଣ୍ଣ ଅସ୍ୱୀକାର କରିଥିଲେ । ତାହା ହିଁ ଥିଲା ପାରଳା ମହାରାଜାଙ୍କ ପରାମର୍ଶ । ସେହି ସଦସ୍ୟଗଣ ସେମାନଙ୍କର ଏକମାତ୍ର ଦାବି ଉପରେ ଗୁରୁତ୍ୱ ଆରୋପ କରିଥିଲେ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ । ସେହି ପ୍ରସଙ୍ଗରେ କମିଶନ୍ ବିହାର ଓଡ଼ିଶା ପ୍ରାଦେଶିକ କମିଟିର ସହଯୋଗୀ ସଭ୍ୟମାନଙ୍କ ସହିତ ମଧ୍ୟ ୧୯୨୮ ମସିହା ଡିସେମ୍ବର ୧୪ ତାରିଖ ଦିନ ଅଲୋଚନା କରିଥିଲେ ।