ପୃଷ୍ଠା:Aama Parala Gajapati.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋଲ୍‌ଟେବୁଲ୍ ବୈଠକରେ

୨୦ ଚେଷ୍ଟର ଷ୍ଟ୍ରିଟ, ଏସ୍, ଡବ୍ଳୁ, ଆର୍, ଲଣ୍ଡନ ।

ଟ୍ରାଫ୍‌ଲଗାର ଛକ ନିକଟରେ ପାରଳା ଗଜପତିଙ୍କ ସାମୟିକ ବସାଘର ।

ସେଦିନ ମଧ୍ୟ ବଡ଼ି ଭୋରରୁ ନହବତ ବାଦ୍ୟ ବାଜି ଉଠିଥିଲା ସେଇ ବଙ୍ଗଳା ପରିସରରେ; ଲଣ୍ଡନବାସୀଙ୍କୁ ଇସାରା ଦେଇଥିଲା ଓଡ଼ିଶାରୁ ସେଠାକୁ ଯାଇଥିବା ଜଣେ ରାଜାର ଦୈନନ୍ଦିନ ଜୀବନଚର୍ଯ୍ୟାର କାହାଣୀ । ତତ୍‌ପରେ ପରେ ଦୈନନ୍ଦିନ କାର୍ଯ୍ୟ । ସାଙ୍ଗରେ ନେଇଥିବା ଗଙ୍ଗାଜଳରେ ପ୍ରଭାତୀ ସ୍ନାନ । ଶଙ୍ଖ, କାହାଳୀ, ଭେରୀ, ତୂରୀର ସମ୍ମିଳିତ ବାଦ୍ୟ ଲହରୀ ଭିତରେ ପଟ୍ଟବସ୍ତ୍ର ପିନ୍ଧି ଦେବାର୍ଚ୍ଚନ । ଘରୁ ବାହାରକୁ ବାହାରିବାବେଳେ ଯୋଡ଼ି ମହୁରି ବାଦ୍ୟ ବାଜଣା । ଗୋଲ୍‌ଟେବୁଲ ବୈଠକରେ ଯୋଗଦାନ- ଅନ୍ୟାନ୍ୟ ସରକାରୀ ତଥା ବେସରକାରୀ ବ୍ୟକ୍ତିବିଶେଷଙ୍କ ସହିତ ଆଳାପ-ଆଲୋଚନା । ଓଡ଼ିଆଙ୍କ ପରମ୍ପରା ପ୍ରତି ସେଠି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ଉଦ୍ୟମ । ପ୍ରୟାସ କାହାଣୀ ଓଡ଼ିଆଙ୍କ ସମସ୍ୟା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଇବାପାଇଁ । ସେଇସବୁ ଲଣ୍ଡନର ଖବରକାଗଜମାନଙ୍କ ପାଇଁ ସେଇ କେତେଦିନ ଥିଲା ପ୍ରମୁଖ ସମ୍ବାଦ ।

ସଂଧ୍ୟା ଗଡ଼ି ଗଲା ପରେ ବସାଘର ବାହାରର ପ୍ରଶସ୍ତ ଲନ୍ ଗଛ ତଳେ ବସି ଜାନୁଆରି ୧୬ ତାରିଖ ଦିନ ଲର୍ଡ଼ ସଭାରେ ପ୍ରଦାନ କରିବାକୁ ଥିବା ଭାଷଣର ପ୍ରସ୍ତୁତି । ପ୍ରାୟ ପ୍ରତିଦିନ ସଂଧ୍ୟାରେ ଅନେକ ଥର ମନନଶୀଳ ଭାବରେ ଲାଗି ପଡ଼ିଥିଲେ ସେଇ ବକ୍ତବ୍ୟର ପ୍ରସ୍ତୁତି ପାଇଁ । ଘଣ୍ଟା ଘଣ୍ଟା ବିତି ଯାଉଥିଲା । ରାତି ଗଭୀରରୁ ଗଭୀରତର ହେଉଥିଲା । ହେଲେ କୌଣସିଟିକୁ ଭୃକ୍ଷେପ ନଥିଲା କୃଷ୍ଣଚନ୍ଦ୍ର ଗଜପତିଙ୍କର ।

କିଛି ଭାବୁଛନ୍ତି- ଲେଖୁଛନ୍ତି, ପୁଣି କିଛି କାଟି ପକାଉଛନ୍ତି । ବୁଡି ଯାଉଛନ୍ତି ଭାବ ସମୁଦ୍ରରେ । ପୁଣି କେଉଁଠି ଟିକିଏ ଯୋଡ଼ି ଦେଉଛନ୍ତି । ଆଉଥରେ ପଢ଼ି ଯାଉଛନ୍ତି ଆମୂଳଚୂଳ । ସେମିତି କେତେଥର ପଢା ହେବଣି କେଜାଣି !