ପୃଷ୍ଠା:Aama Parala Gajapati.pdf/୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭଦ୍ର ମହୋଦୟଗଣ ! ମୁଁ ଆଉ ଆପଣମାନଙ୍କର ମୂଲ୍ୟବାନ ସମୟ ଅଯଥା ନଷ୍ଟ କରିବା ଲାଗି ଇଚ୍ଛା କରୁନାହିଁ । କେବଳ ଏହି ସମସ୍ୟାର ଗୁରୁତ୍ୱ ହୃଦୟଙ୍ଗମ କରାଇବା ଲାଗି ଅନେକ କିଛି କହି ସାରିଲିଣି । ଭାରତବର୍ଷର ଯେକୌଣସି ଅନ୍ୟାନ୍ୟ ଉନ୍ନତ ଜାତି ଭଳି ଓଡ଼ିଆମାନେ ମଧ୍ୟ ଏକ ସ୍ୱଚ୍ଛ, ଐତିହ୍ୟପୂର୍ଣ୍ଣ, ଜାଜ୍ଜଲ୍ୟମାନ ଅତୀତର ଅଧିକାରୀ ହୋଇଥିଲେ ମଧ୍ୟ ଉନ୍ନତ, ସଂସ୍କୃତିସଂପନ୍ନ ବହୁ ସଂଖ୍ୟକ ଅଧିବାସୀଙ୍କୁ ବର୍ତ୍ତମାନ ଅତ୍ୟନ୍ତ ମର୍ମାନ୍ତିକ ଦୁଃଖଦାୟକ ପରିବେଶ ମଧ୍ୟରେ ରଖାଯାଇଛି । ସେଭଳି ଏକ ପୁରାତନ ଜାତିର ଭାଗ୍ୟର ପୁନରୁଦ୍ଧାର କରିବା କିମ୍ବା ନଷ୍ଟଭ୍ରଷ୍ଟ କରିବା ଦାୟିତ୍ବ ଆପଣମାନଙ୍କ ବିଚାର ଉପରେ ନିର୍ଭର କରେ ।’’

ଗଜପତି କୃଷ୍ଣଚନ୍ଦ୍ରଙ୍କ ସେହି ଭାଷଣଟି ଏତେ ମର୍ମସ୍ପର୍ଶୀ ଏବଂ ଯୁକ୍ତି ସମ୍ବଳିତ ଥିଲା ଯେ ସେଠାରେ ଉପସ୍ଥିତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରାଇ ଦେଇଥିଲା ଯେମିତି । ସେହି ଦୃଷ୍ଟି ଆକର୍ଷଣକାରୀ ଲିଖିତ ଭାଷଣ ବିରୋଧରେ ସଭାସ୍ଥଳରେ ସାମାନ୍ୟତମ ଗୁଂଜରଣ ମଧ୍ୟ ସୃଷ୍ଟି ହୋଇ ନଥିଲା । ବରଂ ନୂତନ ପ୍ରଦେଶ ଗଠନପାଇଁ ସର୍ବସମ୍ମତ ସମର୍ଥନ ମିଳିଥିଲା । ଉଲ୍ଲେଖଯୋଗ୍ୟ ଯେ ସେହି ବୈଠକରେ ଭାରତର ସବୁ ପ୍ରାଦେଶିକ ସରକାରଙ୍କ ମନୋନୀତ ସଦସ୍ୟଗଣଙ୍କ ସମେତ ଭାରତ ସରକାର ତଥା ଇଂଲଣ୍ଡରେ ଭାରତ ବିଭାଗପାଇଁ କାର୍ଯ୍ୟକରୁଥିବା ପଦସ୍ଥ ଅଫିସରଗଣ ଯୋଗ ଦେଇଥିଲେ । ସେମାନଙ୍କ ସମେତ ଇଂଲଣ୍ଡ ସରକାରଙ୍କ ଉଚ୍ଚତମ ମହଲର ଅନେକ ପ୍ରଭାବଶାଳୀ ବ୍ୟକ୍ତି ଉକ୍ତ ବୈଠକରେ ଅଙ୍ଗୀଭୂତ ହେବା ଥିଲା ସ୍ୱାଭାବିକ । ସେଠାରେ ସମୟକ୍ରମେ ଆଲୋଚିତ ହେଉଥିବା ଏପରି କୌଣସି ପ୍ରସ୍ତାବ ନଥିଲା ଯେଉଁଥିରେ କାହାରି ନା କାହାରି କିଛି ବିରୋଧୀ/ନକରାତ୍ମକ ମତାମତ ଉତ୍‌ଥାପିତ ହେଉ ନଥିଲା । କିନ୍ତୁ ଗୌରବର ବିଷୟ, ମହାରାଜାଙ୍କ ସେହି ବକ୍ତବ୍ୟ ଉପରେ କାହାରି କିଛି ବିରୋଧ ନଥିଲା । ବିଶେଷ ଉଲ୍ଲେଖଯୋଗ୍ୟ ଯେ ପ୍ରାରମ୍ଭରୁ ସେତେବେଳ ଯାଏ ପ୍ରବଳ ବିରୋଧ କରିଆସୁଥିବା ମାନ୍ଦ୍ରାଜ ପ୍ରାଦେଶିକ ସରକାରଙ୍କ ପ୍ରତିନିଧି ସେଠାରେ ଉପସ୍ଥିତ ରହିଥିଲେ ସୁଦ୍ଧା ସେହି ଭାଷଣ ମାଧ୍ୟମରେ ଥିବା ପ୍ରସ୍ତାବର କୌଣସି ବିରୋଧ କରିନଥିଲେ । ସର୍ବସମ୍ମତିକ୍ରମେ ମହାରାଜାଙ୍କ ପ୍ରସ୍ତାବଯୁକ୍ତ ଭାଷଣ ଗୃହୀତ ହେବାର ପରିଣତି ସ୍ୱରୂପ ବ୍ରିଟିଶ୍ ସରକାରଙ୍କ ତରଫରୁ ଭାରତ ବିଭାଗ ସଚିବ ଶ୍ରୀ ସାମୁଏଲ୍ ହୋର୍ "ଭାଷା ଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବ ବୋଲି ନୀତିଗତ ଭାବରେ ଘୋଷଣା କରିଥିଲେ । ସରକାର ଯଥାର୍ଥ ଭାବେ ହୃଦୟଙ୍ଗମ କରିଥିଲେ ଯେ ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକୀକରଣ କରାଯାଇ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେବା ସମୟ ଉପଗତ । ତେଣୁ ଆଉ ଅଧିକ କାଳବିଳମ୍ବ ନକରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବ । ମହାରାଜାଙ୍କ ଭାଷଣ ପରେପରେ ହଁ ସେଇ ସରକାରୀ ଘୋଷଣ ହେବା ସଂଗେସଂଗେ ସେହିଠାରୁ ହିଁ କୃଷ୍ଣଚନ୍ଦ୍ର ୧୯୩୧ ଜାନୁଆରି ୧୯ ତାରିଖ ଦିନ ସରକାରଙ୍କ ସେହି ନୀତିଗତ ନିଷ୍ପତ୍ତିକୁ କେବୁଲ୍ ମାଧ୍ୟମରେ ଓଡ଼ିଶା ପ୍ରେରଣ କରିଥିଲେ । ସେଥିରେ ଆନନ୍ଦ ବିସ୍ଫାରିତ ନେତୃବର୍ଗ ଉତ୍କଳ