ପୃଷ୍ଠା:Aama Parala Gajapati.pdf/୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମ୍ମିଳନୀର ସଂପାଦକ ବ୍ରଜସୁନ୍ଦର ଦାସଙ୍କ ବାସଭବନରେ ଉପସ୍ଥିତ ହୋଇ ମହାରାଜାଙ୍କ ଯଶଗାନରେ ଉନ୍ମତ୍ତ ହୋଇ ଯାଇଥିଲେ । ସେଠାରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ ଭୁବନାନନ୍ଦ ଦାସ, ବୀରକିଶୋର ରାୟ, କୃଷ୍ଣଚନ୍ଦ୍ର ମହାପାତ୍ର, ବିଶ୍ୱନାଥ କର, ଗୋପାଳ ଚନ୍ଦ୍ର ପ୍ରହରାଜ ପ୍ରମୁଖ ବ୍ୟକ୍ତିମାନେ । ପୁଣି ଦେବାନ୍ ବାହାଦୂର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧିନାୟକତ୍ୱରେ କଟକ ଟାଉନ୍ ହଲରେ ଅନୁଷ୍ଠିତ ଏକ ବିରାଟ ସାଧାରଣ ସଭାରେ ମହାରାଜାଙ୍କ ଯଶଗାନ ସମେତ 'ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ପ୍ରକୃତରେ ଓଡ଼ିଆ ଜାତିର ମଉଡ଼ମଣି' ବୋଲି ଅଭିହିତ କରାଯାଇଥିଲା ।

ସେଇ ସରକାରୀ ନିଷ୍ପତ୍ତିର ଶ୍ରେୟ ମହାରାଜାଙ୍କୁ ପ୍ରଦାନ କରିବାରେ ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର ନେତାଗଣଙ୍କ ବିଚାର ଯେ ସଂପୂର୍ଣ୍ଣ ଯୁକ୍ତିକର ଥିଲା ତାହା ତତ୍‌କାଳୀନ ଭାରତ ବିଭାଗ ସଚିବଙ୍କ ପର ସମୟରେ ପ୍ରଦତ୍ତ ମତରୁ ସ୍ପଷ୍ଟ ବାରିହୋଇପଡ଼େ ।

ଥରେ ବ୍ରିଟିଶ୍ ସାମ୍ରାଜ୍ୟ ଅଧୀନସ୍ଥ ଭାରତର ଶାସନସଂସ୍କାର ପ୍ରକ୍ରିୟାର ଅଂଶ ସ୍ୱରୂପ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଆଦ୍ୟକଥନୀ ଏକ ସାକ୍ଷାତ୍‌କାର ବେଳେ ଆଲୋଚନା କରୁଥିଲେ ମିଷ୍ଟର ସାମୁଏଲ୍ ହୋର, ସେଇ ସଂପର୍କରେ ସରକାରୀ ଭାବେ ସର୍ବପ୍ରଥମେ ସେ ହିଁ ଘୋଷଣା କରିଥିଲେ । ସେଇ ପ୍ରସଙ୍ଗରେ ସେ ସ୍ପଷ୍ଟ ଉଲ୍ଲେଖ କରିଥିଲେ ଯେ- ପ୍ରଥମ ଗୋଲଟେବୁଲ୍ ବୈଠକରେ ଓଡ଼ିଶାର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ମହାରାଜା କୃଷ୍ଣଚନ୍ଦ୍ର ତାହାର ଏକୀକରଣପାଇଁ ଏଭଳି ଗୁରୁତ୍ୱ ଆରୋପ କରିଥିଲେ ଯେ ସରକାର ବିଭିନ୍ନ ପ୍ରଦେଶରେ ଉପାନ୍ତ ଅଞ୍ଚଳ ରୂପେ ରହିଥିବା ଓଡ଼ିଆ ଭାଷୀ ଅଞ୍ଚଳଗୁଡ଼ିକର ଏକୀକରଣ କରାଯିବା ଅତି ଆବଶ୍ୟକ ଏବଂ ସେଥିପାଇଁ ଯଥାର୍ଥ ସମୟ ଉପସ୍ଥିତ ହୋଇ ସାରିଲାଣି ବୋଲି ଅନୁଭବ କରିପାରିଥିଲେ । ତାଙ୍କର ବଳିଷ୍ଠ ତଥା ଯୁକ୍ତି ସମ୍ବଳିତ ଦାବିର ପରିଣାମ ହୋଇଥିଲା ଓଡ଼ିଆମାନଙ୍କପାଇଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ସେଇ ଦୃଷ୍ଟିରୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଇଁ ମହାରାଜାଙ୍କ ଅବଦାନ ନିଶ୍ଚୟ ସ୍ମରଣଯୋଗ୍ୟ ।

ପୁଣି ସେଭଳି ମତାମତକୁ ଆହୁରି ଅଧିକ ପରିପୁଷ୍ଟ କରିଥାଏ ସେଇ ବୈଠକରେ ଯୋଗ ଦେଇଥିବା ଆହୁରି କେତେଜଣ ପ୍ରତିନିଧିଙ୍କ ମତାମତ । ଗୋଲଟେବୁଲ ବୈଠକ ଅନୁଷ୍ଠିତ ହେବାର ଦୀର୍ଘ ଦିନ ପରେ ବିହାର ଓଡ଼ିଶା ବିଧାନସଭାରେ ସଭ୍ୟ ଶ୍ରୀ ସଚ୍ଚିଦାନନ୍ଦ ସିହ୍ନା ସେଇ ଓଡ଼ିଶା ବିଷୟକ ଆଲୋଚନା ବେଳେ ବକ୍ତବ୍ୟ ରଖିଥିଲେ ‘ଓଡ଼ିଶା ଜାତିପାଇଁ, ଗୋଲଟେବୁଲ୍ ବୈଠକରେ ଯୋଗ ଦେଇଥିବା ଓଡ଼ିଆ ସୀମା କମିଟିର ସଭ୍ୟ, ପାରଳାଖେମୁଣ୍ଡି ରାଜାଙ୍କର ବିଶିଷ୍ଟ ଅବଦାନ ସଂପର୍କରେ ଉଲ୍ଲେଖ କରିବା ମୋର କର୍ତ୍ତବ୍ୟ । ସାର୍ ସୁଲତାନ୍ ଅହମ୍ମଦ ( ପର ସମୟରେ ବିହାର-ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି) ମଧ୍ୟ ଉକ୍ତ ଗୋଲଟେବୁଲ୍ ବୈଠକରେ ଉପସ୍ଥିତ ଥିଲେ । ସେ ମୋତେ ନିଶ୍ଚୟ ସମର୍ଥନ କରିବେ, ମୁଁ ଯଦି କୁହେ ଯେ ମହାରାଜା ଏକ ଅତି ସୁନ୍ଦର ଓ ମନୋମୁଗ୍ଧକର ଭାଷଣ ଦେଇଥିଲେ ଏବଂ ସେଥିରେ ଥିବା