ପୃଷ୍ଠା:Aama Parala Gajapati.pdf/୯୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେସବୁ ଥିଲା ସେମାନଙ୍କର ସ୍ୱତଃସ୍ଫୂର୍ତ୍ତ ଏବଂ ନିଜସ୍ୱ ମତାମତ, ଆପଣାର ଅଭିଜ୍ଞତାଯୁକ୍ତ ମତାମତ । ବାସ୍ତବରେ ସେହି ମତାମତଗୁଡ଼ିକ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମହାରାଜାଙ୍କ ଭୂମିକା ନିର୍ଣ୍ଣୟ କରିବାପାଇଁ ଯଥେଷ୍ଟ ଉପାଦାନ ଯୋଗାଇ ଦେଇଥାଏ ।

ଇଂଲଣ୍ଡରୁ ଫେରିବା ଦିନ ପାରଳାଖେମୁଣ୍ଡି ରେଳଷ୍ଟେସନ ଜନାକୀର୍ଣ୍ଣ ହୋଇଯାଇଥିଲା ମହାରାଜାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇବାପାଇଁ । ପ୍ରାୟ ଦଶହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ । ପୁଣି ସାରା ସହରର ଗଳିକନ୍ଦିରେ ଆବାଳ- ବୃଦ୍ଧବନିତାର ପ୍ରବଳ ଉଲ୍ଲାସ । ସେମାନେ ଓଡ଼ିଶା ସହ ମିଶିବାପାଇଁ ପଥ ଉନ୍ମୁକ୍ତ କରିଛନ୍ତି ମହାରାଜା; ସେମାନଙ୍କ ପ୍ରିୟ ମହାରାଜା ! ତତ୍‌ପରେପରେ ଦେଶରେ ଅନୁଷ୍ଠିତ ହୋଇଥିଲା ୧୯୩୧ ମସିହାର ଜନଗଣନା । ଓଡ଼ିଆ ଆନ୍ଦୋଳନର କେନ୍ଦ୍ରବିନ୍ଦୁରେ ପହଞ୍ଚିବା ପରେପରେ ମହାରାଜା ଅନୁଭବ କରିପାରିଥିଲେ ସେହି ଆନ୍ଦୋଳନ ବିରୁଦ୍ଧରେ ମାନ୍ଦ୍ରାଜ ସରକାରଙ୍କ ବିଭିନ୍ନ ଚକ୍ରାନ୍ତ । ସରକାରୀ ସ୍ତରରେ ଗଂଜାମର ଓଡ଼ିଆମାନଙ୍କୁ ତେଲୁଗୁ ରୂପେ ରେକର୍ଡ଼ଭୁକ୍ତ କରାଯାଉଥିବା ଉଦ୍ୟମ ଏବଂ ତାହାକୁ ଭିତ୍ତିକରି ଓଡ଼ିଆ ଅଞ୍ଚଳ ସବୁକୁ ତେଲୁଗୁ ଅଞ୍ଚଳ ହିସାବରେ ପରିଚିତ କରାଇବାର ହୀନ ଚକ୍ରାନ୍ତ । ଜନଗଣନା ତଥ୍ୟର ଅନୁଶୀଳନ କରି ତାହା ସେ ମର୍ମେମର୍ମେ ଅନୁଭବ କରିପାରିଥିଲେ । ସେଇ ରେକର୍ଡ଼ ଅନୁଯାୟୀ ୧୯୦୧, ୧୯୧୧ ଏବଂ ୧୯୨୧ ଜନ‌ଗଣନା ତ‌ଥ୍ୟ ଅନୁସାରେ ମାନ୍ଦ୍ରାଜ ପ୍ରେସିଡେନ୍‌ସିରେ ଓଡ଼ିଆଙ୍କ ସଂଖ୍ୟା କ୍ରମଶଃ କମିକମି ଯାଇଥିଲା ଏବଂ ଅନ୍ୟାନ୍ୟ ସଂପ୍ରଦାୟଗୁଡ଼ିକ କ୍ରମେ ସ୍ଫିତ ହୋଇ ଉଠିଥିଲେ । ସେହି ସଂପର୍କିତ ତଥ୍ୟ ମଧ୍ୟ ସଂଯୋଜିତ କରିଥିଲେ ଗୋଲ୍ ଟେବୁଲ ବୈଠକ ଅବସରରେ ପ୍ରସ୍ତୁତ ଏବଂ ବୈଠକର ସଭ୍ୟମାନଙ୍କୁ ପ୍ରଦତ୍ତ ସ୍ମାରକପତ୍ରରେ । ସେଥିରେ ଜ‌ନ‌ଗଣନା ସଂଗୃହୀତ ତ‌ଥ୍ୟ ପ୍ରଦାନ କରି ସେ ସୂଚାଇ ଦେଇଥିଲେ ଯେ ୧୯୦୧ ଜନଗଣନା ବେଳେ ମାନ୍ଦ୍ରାଜ ଶାସନାନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ଓଡ଼ିଆଭାଷୀ ଜନଗଣ ଥିଲେ ପ୍ରାୟ ସାଢ଼େ ୧୨ ଲକ୍ଷ । ପରବର୍ତ୍ତୀ ଦଶନ୍ଧିରେ, ୧୯୧୧ ବେଳକୁ ସମଗ୍ର ଜିଲ୍ଲାରେ ପ୍ରାୟ ଦୁଇ ଲକ୍ଷ ଜନସଂଖ୍ୟା ବୃଦ୍ଧି ଘଟିଥିଲେ ସୁଦ୍ଧା ଓଡ଼ିଆଭାଷୀଙ୍କ ସଂଖ୍ୟା ପ୍ରାୟ ତିନି ଲକ୍ଷ କମିଯାଇ ପ୍ରାୟ ସାଢ଼େ ନଅ ଲକ୍ଷରେ ପହଞ୍ଚିଥିବା ବେଳେ ସେଇ ଦଶବର୍ଷ ଭିତରେ ଜିଲ୍ଲାର ସଂଖ୍ୟାନ୍ୟୂନ ତେଲୁଗୁ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ପ୍ରାୟ ପାଞ୍ଚ ଲକ୍ଷ । ୧୯୨୧ ଜନ‌ଗଣନା ବେଳେ ବି ଅବସ୍ଥା ଥିଲା ତଦ୍ରୂପ ।

ତେଣୁ ଏହି ଅବାସ୍ତବତାକୁ ଯଥାର୍ଥରେ ଅନୁଭବ କରି ୧୯୩୧ ବେଳେ ତାହାର ଯେଭଳି ପୁନରାବୃତ୍ତି ନହୁଏ ସେଥିପାଇଁ ପ୍ରଗାଢ଼ ଉଦ୍ୟମ କରିଥିଲେ ମହାରାଜା । ପାରଳାରେ ଦାଦା ପଦ୍ମନାଭ ଦେବଙ୍କଦ୍ବାରା ପ୍ରତିଷ୍ଠିତ ଏବଂ ପିତା ଗୌରଚନ୍ଦ୍ର ଦେବଙ୍କ ପ୍ରତ୍ୟକ୍ଷ ସ୍ମୃତି ବିଜଡ଼ିତ ଉତ୍କଳ ହିତୈଷିଣୀ ସମାଜର ସଭ୍ୟଗଣଙ୍କୁ ଜାଗ୍ରତ କରାଇଥିଲେ ୧୯୩୧ ଜନଗଣନା ବେଳେ । ସେମାନଙ୍କୁ ଉତ୍ସାହିତ ତଥା ପ୍ରରୋଚିତ କରିଥିଲେ କେବଳ ନିଜ ଜମିଦାରି ନୁହେଁ ସମଗ୍ର ଗଂଜାମ