ପୃଷ୍ଠା:Aama Parala Gajapati.pdf/୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୀମା କମିଟିରେ ସଭ୍ୟ

୧୯୩୧ ସେପ୍ଟେମ୍ବରରେ ଗଠିତ ଓଡ଼ିଶାପାଇଁ ସୀମା କମିଟିରେ ଭାରତର ପୂର୍ବତନ ଘରୋଇ ବିଭାଗ ସଚିବ ସାର୍ ସାମୁଏଲ୍ ଓଡ଼ନେଲ୍ ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଥିବା ବେଳେ କେନ୍ଦ୍ର ବିଧାନ ପରିଷଦର ସଦସ୍ୟ ଆସାମବାସୀ ଶ୍ରୀ ତରୁଣ ରାମ ଫୁକନ୍ ଏବଂ ରାଷ୍ଟ୍ର ପରିଷଦର ସଦସ୍ୟ ବମ୍ବେ ନିବାସୀ ଶ୍ରୀ ଏଚ. ଏମ. ମେହେଟା ସଦସ୍ୟ ନିଯୁକ୍ତ ହୋଇଥିଲେ । ସେମାନଙ୍କ ସହଯୋଗୀ ରୂପେ ବିହାରୀ ଏବଂ ତେଲୁଗୁ ପ୍ରତିନିଧି ଥିଲେ ଶ୍ରୀ ସଚ୍ଚିଦାନନ୍ଦ ସିହ୍ନା ଏବଂ ଶ୍ରୀ ସି.ଭି.ଏନ୍ ରାଜୁ । ସୀମା କମିଶନରେ ଓଡ଼ିଆମାନଙ୍କୁ ପ୍ରତିନିଧିତ୍ବ କରୁଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ । ଏଇ ସମସ୍ତେ ବୈଠକଗୁଡ଼ିକରେ ଅଂଶ ଗ୍ରହଣ କରିବାଲାଗି ନିଷ୍ପତ୍ତି ହୋଇଥିଲା । ପୁଣି ଭାରତର ଏ.ଜି. କାର୍ଯ୍ୟାଳୟର ସହକାରୀ ଏକାଉଣ୍ଟସ୍ ଅଫିସ୍‌ର ଶ୍ରୀ ଆର.ଡି. ବାଲ୍‌ଭେଲିଙ୍କୁ ଦାୟିତ୍ବ ଦିଆଯାଇଥିଲା, ନୂତନ ପ୍ରଦେଶ ସହ ଜଡ଼ିତ ଆର୍ଥନୀତିକ ବିଷୟାବଳୀର ସମୀକ୍ଷାପାଇଁ ।

ସେଭଳି କମିଶନ୍ ନିଯୁକ୍ତିରେ ଓଡ଼ିଶାରେ ଏବଂ ଅନ୍ୟ ପ୍ରାଦେଶିକ ସରକାରଙ୍କ ଅଧୀନରେ ଥିବା ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶାପାଇଁ ନୀତିଗତ ନିଷ୍ପତ୍ତି ଘୋଷିତ ହେବା ପରେ ପରେ ସେଭଳି କମିଶନ୍‌କୁ ପୁରୋଦୃଷ୍ଟିରେ ରଖି ୧୯୩୧ ମଇ ମାସ ପ୍ରାରମ୍ଭରେ କଟକଠାରେ ଏକ ସର୍ବଦଳୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ସେଠାରେ ବ୍ୟକ୍ତି ତଥା ଦଳଗତ ମତପାର୍ଥକ୍ୟରୁ ଦୂରେଇ ରହି ଆଗାମୀ ସମୟରେ ‘ଯୁଝିବାବେଳର ଗୋଟା ମଇଁଷି ଶିଂଘ’ ପ୍ରଦର୍ଶନ କରି ଲଡ଼ିବାପାଇଁ ସମ୍ମିଳିତ କଣ୍ଠସ୍ୱରର ଆବାହନୀ ଶୁଣାଇଥିଲେ ସମସ୍ତେ । ବିଭିନ୍ନ କାର୍ଯ୍ୟପାଇଁ କେତେଗୁଡ଼ିଏ କମିଟି ଗଠିତ ହୋଇଥିଲା । ଅର୍ଥ କମିଟିର ଅଧ୍ୟକ୍ଷ ଶ୍ରୀ ବିଚିତ୍ରାନନ୍ଦ ଦାସ ହୋଇଥିବା ବେଳେ ବିଭିନ୍ନ ପ୍ରାନ୍ତରରେ ଜନମତ ଜାଗ୍ରତ ପାଇଁ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ନେତୃତ୍ବ ନେଇଥିଲେ । ସୀମା କମିଟିରେ ଦାଖଲ ହେବାପାଇଁ ଥିବା ବିଭିନ୍ନ ପ୍ରାମାଣିକ ତଥ୍ୟ ସଂଗ୍ରହ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ହୋଇଥିଲେ ଶ୍ରୀ ନିରଂଜନ