ପୃଷ୍ଠା:Abakash chinta.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

 
ଉପେନ୍ଦ୍ର ଭଞ୍ଜ

କବିକୁଳ କଞ୍ଜ ଉପଇନ୍ଦ୍ରଭଞ୍ଜ
ନମେ ତବ ପଦତଳେ,
କାବ୍ୟ-ସୁମାଧୁରୀ ଭାଷା-ସୁଚାତୁରୀ
ପରକାଶିଲ ଉତ୍କଳେ ।

ଜନ୍ମି ରାଜକୁଳେ ବଇଭବ କୋଳେ
ଅତୁଳ ସୁଖ-ସଦନେ,
ତେଜି ସେ ସମ୍ଭୋଗ ଆଚରିଲ ଯୋଗ
ବୀଣାପାଣି ଆରାଧନେ ।

ଅତି ମନୋହର ଚାରୁ ଚମତ୍କାର
ଶତ ମାନସୀ ପ୍ରତିମା,
କାବ୍ୟ ଚିତ୍ରପଟେ ଉଜ୍ଜ୍ୱଳେ ପ୍ରକଟେ
ତୁମ୍ଭ ପ୍ରତିଭା ଗରିମା ।

କଳ୍ପନାର କାଚେ ତବ ହୃଦ ଛାଞ୍ଚେ
ନବ ବର୍ଣ୍ଣେ ପ୍ରତିଫଳି,
ନବ ଅଳଙ୍କାରେ ଶୋଭେ କି ରୁଚିରେ
ପୁରାଣ ଘଟଣାବଳି ।