ପୃଷ୍ଠା:Abakash chinta.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ହେ କବିଶେଖର ଭଞ୍ଜ ବୀରବର !
କୋଟି ଉତ୍କଳ-ସନ୍ତାନେ,
ଆଜି ନବଯୁଗେ ଧନ୍ୟ ଧନ୍ୟବାଦ
କରିଛନ୍ତି ତୁମ୍ଭ ନାମେ ।

ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ
ପଥେ ପାନ୍ଥ ହୃଷ୍ଟମନା,
ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଷା
ନୃତ୍ୟରଙ୍ଗେ ବାରାଙ୍ଗନା ।

କାଳ ବଳିଆର ଆଣଇ ସଂସ୍କାର
ନବ ରୁଚି ନବଜ୍ଞାନ,
କିନ୍ତୁ ବୈଦେହୀଶ ବିଳାସ ପାଇବ
କାଳେ କାଳେ ଉଚ୍ଚେ ସ୍ଥାନ ।

ସୃଜିଣ ସ୍ୱହସ୍ତେ ଓଡ଼ିଆଙ୍କ ଭାଷା
ଗଢ଼ିଛି ଓଡ଼ିଆ ଜାତି,
ତବ ଜନ୍ମସ୍ଥାନ ଓଡ଼ିଶାରୁ ଆନ
ଭାବିଲେ ବିଦରେ ଛାତି ।

ତଥାପି ଅନେକ ସାହିତ୍ୟ-ସେବକ
ଭାବି ଉତ୍କଳ ନନ୍ଦନ,
ପୁଣ୍ୟ ତୀର୍ଥମଣୀ ଘୁମୁସର ପଦେ
କରିବେ ନିତି ବନ୍ଦନ ।