ପୃଷ୍ଠା:Abakash chinta.pdf/୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ସୂଚନା


ଆଜି ପୁଣ୍ୟାତ୍ମା ଭକ୍ତକବି ଗୋପବନ୍ଧୁଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧଦିବସରେ ‘‘ଅବକାଶ-ଚିନ୍ତା" ପ୍ରକାଶ କରିବାରେ କିଛି ବିଶେଷତ୍ଵ ଅଛି । ଗୋପବନ୍ଧୁଙ୍କ ଜୀବନ-ଚିତ୍ର ବହୁମୂଖୀ ଲୀଳା, ଖେଳା, ଭାବନା ଓ ସାଧନାର ସମଷ୍ଟି । କିନ୍ତୁ ସଂସାର-ସ୍ରୋତରେ ମନୁଷ୍ୟ-ଜୀବନ କେତେବେଳେ କି ଗତି ଧରିଥାଉ ନା କାହିଁକି, ଜୀବନର ପ୍ରଭାତ ଓ ପ୍ରଦୋଷ ଯଦି ସମଭାବରେ ପ୍ରକଟିତ ଓ ପ୍ରଭାବିତ ହୋଇଛି, ତେବେ ସେ ଜୀବନ ବିଭୁକୃପାର ଯଥାର୍ଥ ଅଧିକାରୀ; ଯେହେତୁ ସଂସାରର ସବୁ ଘାଟ-ପ୍ରତିଘାତ ଭିତରେ ସେ ପଥଭ୍ରଷ୍ଟ ହୋଇ ନ ଥାନ୍ତି । ପ୍ରାଣୀ ଜୀବନ-ପ୍ରଭାତରେ ବିଧାତାଙ୍କର ଯେ ପ୍ରେରଣା ଘେନି ଆସିଥାଏ, ଅନ୍ତିମରେ ସେଇ ପ୍ରେରଣା ପ୍ରକଟିତ ହେବା ସ୍ଥିରଲଖ୍ଯ ଜୀବନର ପରିଚାୟକ । ଗୋପବନ୍ଧୁ ଜୀବନରେ ଯେତେ ଯେତେ କର୍ମ କରି ଯାଇଛନ୍ତି ଏବଂ ଯେଉଁସବୁ ବହୁମୂଖୀ ଚିନ୍ତାଧାରା ବୁହାଇଦେଇ ଯାଇଛନ୍ତି, ସେସବୁ ଭିତରେ ସରସ କବି-ହୃଦୟର ଇଶ୍ଵର-ବିଶ୍ବାସ ଓ ଭକ୍ତିଧାରା ତାଙ୍କ ଜୀବନର ପ୍ରଭାତ ଓ ପ୍ରଦୋଷକାଳର କବିତାଛନ୍ଦରେ ସମଭାବରେ ଉଚ୍ଚୁଳି ଉଠିଛି । ବୃକ୍ଷ, ଲତା, ଗିରି, କାନନ, ସୁମନ, ସ୍ରୋତସ୍ଵାତୀ, ପଶୁ, ପକ୍ଷୀ, ମାନବ, ସ୍ଵଜାତି, ସ୍ଵଦେଶ, ଅନୁଷ୍ଠାନ, ବନ୍ଧୁ ଓ ଆତ୍ମୀୟସ୍ଵଜନ ସମସ୍ତଙ୍କ ପାଇଁ ସେ କାନ୍ଦିଛନ୍ତି । ଏସବୁକୁ ସେ ବିଭୁ ଭାବରେ ଉପଭୋଗ କରିଛନ୍ତି । ସମସ୍ତଙ୍କ ଚାରୁଛବି ସେ ତାଙ୍କ କବି-ତୁଳିକାରେ ଚିହ୍ନିଛନ୍ତି । ଏସବୁରେ ନିହିତ ବିଷବନୀୟନତାଙ୍କ ବାର୍ତ୍ତା ଓ ବିଭୂତିକୁ ସେ କବିତାର ମୂର୍ଚ୍ଛନାରେ ରୂପରେଖ ଦେଇଛନ୍ତି ।