ପୃଷ୍ଠା:Abakash chinta.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପିଲାଦିନେ ନିଜ ଗାଁରେ ତାଙ୍କ ପିତାମାତାଙ୍କ ପ୍ରତିଷ୍ଠିତ ଭାଗବତ ଘରେ ଯେଉଁ “ଭାଗବତ ସପ୍ତାଙ୍ଗ" ବସେ, ସେଥିରେ ଭକ୍ତପ୍ରାଣ ଗୋପବନ୍ଧୁ ବରାବର ବାଲ୍ୟାବସ୍ଥାରୁ ଉପବାସୀ ରହି ହବିଷ୍ୟାନ୍ନ ଖାଇ ଭାଗବତ ପାରାୟଣ କରୁଥିଲେ ଏବଂ ସେହି ଭକ୍ତକବି ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଭାଗବତ ତାଙ୍କ ଜୀବନରେ ଭକ୍ତିର ଉତ୍ସ ଫିଟାଇ ଦେଇଥିଲା ଓ ତାଙ୍କ ଜୀବନରେ କବିତାର ପ୍ରଥମ ମୂର୍ଚ୍ଛନା ସେଥିରୁ ହିଁ ପ୍ରକଟିତ ହୋଇଛି । ବିଶ୍ୱପ୍ରତି, ସ୍ୱଦେଶ-ମୁକ୍ତି ଓ ଈଶ୍ୱର-ଭକ୍ତି ତାଙ୍କ ଜୀବନବ୍ୟାପୀ ସାଧନା ଓ ଭାବନାର ତ୍ରିବେଣୀ-ଧାରା । ପ୍ରଥମ ସଙ୍ଗୀତ 'ପ୍ରାର୍ଥନା’ରେ ତାଙ୍କର ପ୍ରଭୁପାଦରେ ପ୍ରଥମ ଜଣାଣ ହେଉଛି:

"ଉତ୍କଳମାତାର ଅତୀତ ଯଶ,
ବିପୁଳ ବିଭବ ବଳ ସାହସ,
ସୁମରିଣ ଫାଟିଯାଏ ହୃଦୟ,
ଦେଖି ଅବସ୍ଥାର ଏ ବିପର୍ଯ୍ୟୟ,
ରକ୍ତମାଂସ ଦେହ ଧରି,
ଅଧୀର ଆତୁର କିଏ ସେ ନ ହେବ
ଦେଖି ମାତ୍ର ଏତେ ସରି ହେ ।”

ପୁଣି ଶେଷ ଚରଣରେ ପ୍ରାର୍ଥନା ହେଉଛି:–

ସଂସାର ତୁମୁଳ ରଣ-ପ୍ରାଙ୍ଗଣେ
ଉତ୍କଳର ଦୀନ ତନୟଗଣେ,
ପଛରେ କେବେହେଁ ନ ପଡ଼ୁ ଦେବ !
ଶ୍ରୀ ଛାମୁରୁ ଏହି ଆଦେଶ ହେବ,
ଘେନି ଅପୂର୍ବ ଉତ୍ସାହ
ଭାରତର ମହା- ଜାତୀୟ ତରଙ୍ଗେ
ମିଶୁ ଉତ୍କଳ-ପ୍ରବାହ ଯେ ।