ପୃଷ୍ଠା:Abakash chinta.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାମ

କାମଦେବ, ସୃଷ୍ଟିସ୍ଥିତି ସଂହାରନିଦାନ,
ତୁମ୍ଭର ପ୍ରଭାବେ ଫୁଟେ ପୁଷ୍ପରାଜି ବନେ ।
ମଞ୍ଜୁ ଗୁଞ୍ଜେ ଅଳି, ଗାଏ କୋକିଳ ସୁତାନ,
ସରସ ଉଲ୍ଲାସ ଜନ୍ମେ ଜଗତ ଜୀବନ ।

ପାଦପେ ବଲ୍ଲରୀ ମେଘେ ବିଜୁଳି ଜଡ଼ତ,
ଉଠେ ଊର୍ମି ସିନ୍ଧୁଜଳେ ଇନ୍ଦୁ ଆଲିଙ୍ଗନେ,
ଅଙ୍ଗେ ଅଙ୍ଗ ପ୍ରାଣେ ପ୍ରାଣ ହୁଅଇ ମିଳିତ,
ସହଜ ପବିତ୍ର ପ୍ରେମେ ତୁମ୍ଭରି ପ୍ରେରଣେ ।

ସୁମଧୁର-ମଧୁରାଜ୍ୟ-ଦେବ ରତିପତି!
ତବ ମୃଦ ଆଶ୍ୱାସନେ ପୁଲକେ ହୃଦୟ ।
ଦାରୁଣ ତାଡ଼ନ ମୂଢ଼ ଉପାସକ ପ୍ରତି,
ଆମରଣ ଦୁଃଖ-ଶୋକ-ଅନୁତାପମୟ ।

ତୁମ୍ଭ ମଧୁଭାବେ ଜ୍ଞାନୀ କରେ ଅନୁଭୁତି,
ଶୁଦ୍ଧ ଦିବ୍ୟ ବିଭୁପ୍ରେମ-ଜଡ଼ ପ୍ରତିକୃତି ।

[ ୬୩ ]