ପୃଷ୍ଠା:Abakash chinta.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା

କେତେ ଦିବ୍ୟ ଭାବରାଶି
ମୋ ହୃଦ-ତରଙ୍ଗେ ଭାସି
ଯାଉଥିଲା ଥିଲା ଯେବେ ତୋର କୋଳେ ଭୋଳେ,
ସେସବୁ ରହିବ ଟିକି ଏବେ ଭବରୋଳେ ?

ତୋ ମନୋହର ଉଦ୍ୟାନେ
ନିକାଞ୍ଚନେ ଏକଧ୍ୟାନେ
ଚନ୍ଦ୍ରାଲୋକେ ବିହରିଣ ପୁଷ୍ପ ବନ୍ଧୁ ମେଳେ
ଦେଖିଛି ଅପୂର୍ବ କେତେ ଚିତ୍ର ବେଳେ ବେଳେ ।

ଦେଲେ ଏ ଯେ ନରଦେହ
ଥିଲେ କରିଥାନ୍ତେ ସ୍ନେହ
ସ୍ୱପ୍ନେ ଦିନେ ଦେଖି ନାହିଁ ତାଙ୍କ ସୁଧାମୁଖ,
ଆଜନମ କାଳୁ ମୋର ଚିର ସଖା ଦୁଃଖ ।

କିନ୍ତୁ ମୋ ମନ-ନୟନ
କରି ମାତ! ଉନ୍ମୀଳନ
ଚଖାଇଚ ମୋତେ ଯେଉଁ ସାମାନ୍ୟ ଅମୃତ,
ଆମରଣ ତହିଁ ଯୋଗେ ହେବି କୃତକୃତ୍ୟ ।

ଥଲେ ଯହିଁ ତହିଁ ମାତ!
ଅଜ୍ଞାତ କି ଅବା ଖ୍ୟାତ
ଜାଗ୍ରତ ମୋ ମନେ ତୁମ୍ଭ କଥା ନିତି,
ହୁଏ ଯେଡେ ବର୍ଷୀୟାନ୍
ଥିବ ତୁମ୍ଭ ପଦେ ଧ୍ୟାନ
ତୁମ୍ଭ ହିତେ ଜନନୀ ଗୋ ! ଲଭିବଇ ପ୍ରୀତି ।

[ ୬୬ ]