ପୃଷ୍ଠା:Abakash chinta.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଶ୍ୱପ୍ରୀତିର ପରକାଷ୍ଠା ଦେଖାଇ ଅନ୍ୟ ଏକ କବିତାରେ ସେ ପୁଣି ଗାଇଛନ୍ତି--

"ନିଜ ସୁଖ ଲାଗି ଜାତ ନୁହେ ହିନ୍ଦୁ,
ବିଶ୍ୱହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ ।
ଦେଖାଅ ଏ ସତ୍ୟ ଆପଣା ପରାଣେ,
ଦିଅ ଏହି ମନ୍ତ୍ର ସର୍ବ ବର୍ଣ୍ଣ କାନେ,
ସର୍ବେ ଆମ୍ଭେ ଏକ ଈଶ୍ୱର-ସନ୍ତାନ,
ସାଧ ବିଶ୍ୱହିତ ତେଜି ଅଭିମାନ ।"

ସ୍ୱାଧୀନତାର ପିପାସା ତାଙ୍କ ପ୍ରାଣରେ ଚିର ଉବ୍ଦୀପିତ ହୋଇ ରହିଥିଲା । ତାଙ୍କର ସକଳ ଲେଖା ଓ କବିତାରେ ଏହି ବାସନା ପ୍ରାଣର ଗଭୀର ବେଦନା ଆକାରରେ ପ୍ରକାଶ ପାଇଛି । 'ଗୋଟିଏ କାଙ୍କଣ ଗଛ’ ବୋଲି ସେ ଯେଉଁ କବିତାଟି ଲେଖିଛନ୍ତି, ସେଥିରେ କାଙ୍କଣ ଗଛକୁ ରଞ୍ଜା ଦେହରେ ନେଇ ବାନ୍ଧିଦେବାରେ ତାର ଯେ ବିଲୟ ଘଟିଲା, ସେଥିକୁ ଲକ୍ଷ୍ୟକରି ସେ ଲେଖିଛନ୍ତି

"ସ୍ୱାଧୀନତାପ୍ରିୟେ ! ଧରି ଅପର ଚରଣ
ଭାଗ୍ୟ ଅରଜନୁ ଶ୍ରେୟ ମଣିଲୁ ମରଣ ।"

ଈଶ୍ୱର-ଭକ୍ତି ଗୋପବନ୍ଧୁଙ୍କ ସକଳ କାର୍ଯ୍ୟ, ଚିନ୍ତା ଓ କବିତା ଭିତରେ ଅମୃତଧାରା ରୂପେ ରହି ତାଙ୍କୁ ଜୀବନ୍ତ ରଖିଛି । ତାଙ୍କର ସକଳ କବିତାରେ ସେ ବିଭୁପାଦକୁ ବରାବର ସ୍ମରଣ କରିଛନ୍ତି; ସେ ବିଭୁଭାବର ଉପାସନାରେ ଆତ୍ମ‌ବିସର୍ଜନ ଦେଇଛନ୍ତି । ‘ଚନ୍ଦ୍ର’ ବିଷୟରେ ଯେଉଁ କବିତାଟି ଲେଖିଛନ୍ତି, ତାର ଶେଷ ଚରଣରେ ଗାଇଛନ୍ତି:–

"ନିର୍ଜୀବ ବୋଲିଣ ତୋତେ ବୋଲିବି କେମନ୍ତେ !
ରହୁ ଏ ମୋ ମଢ଼ ମନ ତୋ ବିଭୁ-ସଙ୍ଗୀତେ ।”