ପୃଷ୍ଠା:Abakash chinta.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଷାଦ ସମୟରେ ଲିଖିତ କତିପୟ ପଂକ୍ତି


ପ୍ରଭାତର ମୃଦୁ ଗନ୍ଧବହ
ହରାଇଛି ନିଜ ଶୀତଳତା,
ଭୀମ ଝଞ୍ଜା ପବନ ପ୍ରବାହ
ନାଶେ ଏବେ ହୃଦ-ସରସତା ।

ଭ୍ରମି ଭ୍ରମି ଅବସନ୍ନ କାୟା
ବିଷମ ଏ ବହୁ ଦୂର ବାଟେ,
ଦେଖିବଇଁ ଯେବେ ସ୍ମିଗ୍‌ଧ ଛାୟା
ବିଶ୍ରାମିବି ତହିଁ ଜଳଘାଟେ ।

ଶୁଣି ଖଗ ମଧୁର କାକଳୀ
ଜୀର୍ଣ୍ଣ ବୀଣା ରଖିବ ସମ୍ପାଦି,
ପକ୍ଷୀଗୀତେ ଦେବି କରତାଳି,
କେହି ମୋର ନ ଥିବେ ବିବାଦୀ ।

ତରୁଲତା ନବ କିଶଳୟେ
ବିରଚିଣ କୋମଳ ଆସନ,
ଶୋଇବି ମୁଁ ବିତାନ ହୃଦୟେ
ଶୁଣିବାକୁ ବାୟୁ ସନ ସନ ।

[ ୭୧ ]