ପୃଷ୍ଠା:Abakash chinta.pdf/୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା


ଏକ ଅସରା ବର୍ଷାର ଅବ୍ୟବ‌ହିତ ପରେ ନରାଜ ଦର୍ଶନ

ସତ୍ୟ ଶାନ୍ତି ସୁଖ ସଦା ମାନବ-ଜୀବନ
ଖୋଜଇ ବ୍ୟାକୁଳେ ବ୍ୟସ୍ତ ସଂସାର ଗହଳେ,
ମିଳିଲେ ଏପରି ସ୍ଥାନ କେବେ ଭାଗ୍ୟଫଳେ
ଅପସରେ କ୍ଷଣେ ଭବ ଦାରୁଣ କଷଣ ।

ସଦ୍ୟସ୍ନାତ ଏହୁ ଛବି ଶୁଦ୍ଧ ଘନଜଳେ
ଅସ୍ତମିତ ରବି କରେ ଦ୍ୱିଗୁଣ ଉଲ୍ଲାସେ,
ବିରାଜେ ଶ୍ୟାମଳ ଶସ୍ୟ କ୍ଷେତ୍ର ଚଉପାଶେ,
ବିଶଦେ ସକଳ ନଦୀ ବକ୍ଷେ ପ୍ରତିଫଳେ ।

ଶଇଳ ଶିଖରେ ଶୋଭେ ଶୁଭ୍ର ଶିବାଳୟ,
ସମଗ୍ର ଶ୍ୟାମଳ ଦୃଶ୍ୟ ମଧ୍ୟେ କି ରୁଚିର!
ନୀଳ ମେଘେ ଯଥା ପୂର୍ଣ୍ଣ ଚନ୍ଦ୍ରମା ଉଦୟ,
ଶିବ ସଙ୍ଗବଶେ ଶାନ୍ତି ଅଧିକ ଗମ୍ଭୀର ।

ଦେଖ ଦେଖ ବନ୍ଧୁଗଣ ପୂରାଇ ନୟନ,
ଏ ଯୋଗ ଜୀବନେ ଘଟେ ଅତି ଅଳ୍ପକ୍ଷଣ ।

[ ୭୪ ]