ପୃଷ୍ଠା:Abakash chinta.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା

ତୋ ପୂର୍ବତନୁଶୋଭା ସୁମରି ମନେ,
ଏ ରୂପ ଦେଖି ଅଶ୍ରୁ ଆସେ ନୟନେ;
କ୍ଷଣ-ଭଙ୍ଗୁର ସିନା ନର-ଯୌବନ
ପ୍ରସ୍ଫୁଟିତ କୁସୁମେ ବାସ ଯେସନ ।
ଦେଖିଣ ଭବେ ନିତି ଏପରି ରୀତି,
ଆଚରେ ଯୁବାଜନ କେତେ ଅନୀତି ।
ହେ ବୃକ୍ଷରାଜ ! କଲି ଯେଉଁ ବିଚାର,
ନୁହେଁ ତୋର ସେପରି ହୀନ ଆଚାର ।
ତୋ ଯୁବାକାଳେ ସାଧି ପ୍ରାଣୀ-ମଙ୍ଗଳ,
କରିଛୁ ରେ ପାଦପ ! ଜନ୍ମ ସଫଳ ।
ଦେଇ କୋମଳ ଛାୟା ସୁପକ୍ୱ ଫଳ,
କରିଛୁ କେତେ ଦଗଧ-ପ୍ରାଣ ଶୀତଳ ।
କାଟିଲୁ ଯୁବାକାଳ ପରୋପକାରେ,
ଧନ୍ୟ ଧନ୍ୟ ଜୀବନ ତୋର ସଂସାରେ ।
ଏବେ ମାୟା ମମତାସବୁ ବିହରି,
ନୀରବେ ଏକ ଲୟେ ଭଜୁ ଶ୍ରୀହରି ।
ଧରିଣ ଯତି-ଦିକ୍ଷା ସାଧୁଛି ଯୋଗ,
ପରମବ୍ରହ୍ମେ ଚିତ୍ତ କରି ସଂଯୋଗ ।
ପ୍ରଖର ରବି-କରେ ଟେକିଛୁ ମଥା,
ତପ-ପ୍ରଭାବେ ହୃଦେ ନ ଲାଗେ ବ୍ୟଥା ।
ଚଉପାଶେ ଦାବାଗ୍ନି ପ୍ରଚଣ୍ଡେ ଜଳେ,
ଅନଳକୁଣ୍ଡ ଯଥା ତପସ୍ୟା ସ୍ଥଳେ ।
କଳ୍ପଯୋଗୀ ପରାୟେ ଦିଶେ ଶରୀର,
ରହିଛି ଅସ୍ଥି-ଚର୍ମ, ନାହିଁ ରୁଧିର ।

[ ୭୬ ]