ପୃଷ୍ଠା:Abakash chinta.pdf/୮୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା


ଗୋଟିଏ କାଙ୍କଣ ଗଛ

ନବ ଦୂର୍ବାଦଳ ଶେଯେ ଧରାଧାତ୍ରୀ କୋଳେ,
ବଢ଼ିଥିଲୁ ତେଜପୁଞ୍ଜେ ଆହା କେଡ଼େ ଭୋଳେ ।
ଦେଲା ପ୍ରକୃତି-ଜନନୀ ଲୋଡୁ ଯେବେ ଯାହା,
ନ ଥିଲା ତୋର ଏ ଭବେ କେହି ଆଉ ସାହା ।
ନତଶିଖେ ଲୋଟୁଥିଲା ସୁଖେ ନିମ୍ନଦେଶେ,
ସ୍ୱାଧୀନତାବଶେ ଶୋଭୁଥିଲୁ ଚାରୁବେଶେ ।
ଧରୁ ରାଶି ରାଶି ଫଳ ଗଲା ସବୁ ନାଶ,
ତିଳେହେଲେ ମନେ ତୋର ନ ହୁଅଇ ପ୍ରାସ ।
କିନ୍ତୁ ଫଳ-ଅଭିଳାଷୀ ଦୁରାଶୟ ନର,
ଲଗାନ୍ତେ ତୋ ଦିବ୍ୟ ଶୁଦ୍ଧ କଳେବରେ କର;
ଝାଉଁଳି ପଡ଼ିଲୁ ସିନା ପାପର ପରଶେ !
ସ୍ୱାଧୀନତା ହରାଇଣ ରହିଛୁ ବିରସେ ।
ରଞ୍ଜା ଖଞ୍ଜା ହେଲା ତୋର ଅଙ୍ଗବୃଦ୍ଧି ଲାଗି
କହ ତା ସଂଯୋଗେ କିମ୍ପା ହେଲୁ ଦୁଃଖଭାଗୀ ?
ଅନ୍ୟର ଆଶ୍ରୟ ପାଇ ଉଚ୍ଚେ ଶିର ଟେକି,
ବଡ଼ପଣ ଅଭିଳାଷେ ନର ଅବିବେକୀ ।
ସ୍ୱାଧୀନତାପ୍ରିୟେ! ଧରି ଅପର ଚରଣ,
ଭାଗ୍ୟ ଅରଜନୁଁ ଶ୍ରେୟ ମଣିଲୁ ମରଣ ।

[ ୭୮ ]