ପୃଷ୍ଠା:Abakash chinta.pdf/୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋକିଳ

ମଧ୍ୟାହ୍ନ ତପନ-କର ପ୍ରଚଣ୍ଡ ପ୍ରଖର
ଅବସନ୍ମ ତରୁଲତା ପଶୁ-ପକ୍ଷୀ-ନର,
ଏବେ ଶ୍ରମବାଧା ପାଇ,
ପ୍ରବେଶିଲି ଛାୟାପ୍ରଦ ଘନ ବନେ ଯାଇ ।(୧)।

ଆହା କେଡେ ଶାନ୍ତିମୟ ଏହୁ ବନସ୍ଥଳୀ
ଶୁଭନାହିଁ ସୁଦ୍ଧା ଏଥି ବିହଙ୍ଗ-କାକଳୀ,
ବହେ ଭାର୍ଗବୀ ସୁନ୍ଦରୀ,
ନୀରବ ଗମ୍ଭୀରେ ନିଜ ଗତି ଅନୁସରି ।(୨)।

ସୁଶ୍ୟାମଳ ତୃଣବାସେ ଆଚ୍ଛାଦିତ ମହୀ
ସୁଶୀତଳ ସମୀରଣ ବହେ ରହି ରହି,
ଆହା କିଏସେ ଏକାଳେ,
ମୋ ଶ୍ରୁତିପଥରେ ସୁଧାମୟ ବାଣୀ ଢ଼ାଳେ ?(୩)।