Jump to content

ପୃଷ୍ଠା:Abakash chinta.pdf/୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା

ଶିବରାତ୍ର

କରିଅଛି ଉପବାସ ପୂଜିବି ଶଙ୍କର,
ଜାଗର ଜାଳିଣ ହେବି ନିଶି ଉଜାଗର ।
କାହିଁ ଗଲେ ଦେଖିବି ସେ ସତ୍ୟ ଶିବ ରୂପ,
ନାଶିବି କି ଦୀପ ଜାଳି ଘୋର ତମ ସ୍ତୂପ?
ଉଜାଗର ରହିବାକୁ କାହିଁ ମୋର ବଳ,
କି ଦ୍ରବ୍ୟେ ପୂଜିବି ଅବା ସେ ପଦଯୂଗଳ?
ଏ ଜଡ ଜଗତେ କାହିଁ ଚିଦାନନ୍ଦ ତନୁ,
ବାହ୍ୟାଲୋକେ ଅନ୍ଧକାର ଯିବା କାହିଁ ମନୁ?
ରାତିକର ଉଜାଗରେ କିସ ପ୍ରୟୋଜନ?
ନିଦ୍ରାବିମୋହିତ ମୋର ସମସ୍ତ ଜୀବନ!
କାହିଁ ପାରିଜାତ କାହିଁ ଜାହ୍ମବୀର ଜଳ,
କାହିଁ ବା ଅମର ଧାମ ହେମ ଶତଦଳ,
ଉପକରଣର ଲେଶ ନାହିଁ ଯେବେ ଭବେ,
ବ୍ରତ ଅନୁଷ୍ଠାନ କାହୁଁ କରିବେ ମାନବେ?
ସନ୍ଦେହେ ବ୍ୟାକୁଳ ଏ ମୋ ଦୁର୍ବଳ ପରାଣ,
ନିରାଶ ବିଷାଦେ ଏବେ ମଗ୍ନ ମୋର ଜ୍ଞାନ,

[ ୮୬ ]