ପୃଷ୍ଠା:Abakash chinta.pdf/୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶିବରାତ୍ର

ଅଶାନ୍ତି ଆବେଗେ ହୃଦ ହୁଏ ଆଲୋଡିତ,
ଘୋର ଅବିଶ୍ୱାସ ତମେ ଚିତ୍ତ ବିଜଡିତ ।
ପ୍ରକୃତିର ଚାରୁବେଶ ନ ଦେଖେ ନୟନ,
ଭୀମ ମରୁ ସମ ଲାଗେ ସମସ୍ତ ଭୂବନ ।
ଅନ୍ତରୁ ନୀରବେ ଏବେ ହେଲା ଦିବ୍ୟବାଣୀ,
କିମ୍ପା ଅବିଶ୍ୱାସେ ଜଡ଼ ହେଉ ମୂଢ଼ ପ୍ରାଣୀ ।
ଜଡ଼ ବୋଲି ଯାହା ତୋତେ ହିଅଇ ପ୍ରତିତ,
ନ ଜାଣୁ ତହିଁ କି ଶକ୍ତି ରହିଛି ନିହିତ ।
ଶକ୍ତି ବିନା ସତ୍ତା କେବେ ନୁହଇ ସମ୍ଭବ,
ତେଣୁ ସଦା ଶିବମୟ ଦେଖ ସର୍ବ ଭବ ।
ଦୂର ଦେବାଳୟେ ଯିବା ନାହିଁ ପ୍ରୟୋଜନ,
ନିଜ ଅଭ୍ୟନ୍ତର ଦେଖ ଫେଡିଣ ନୟନ ।
ହୃଦ-କପିଳାସେ ତୋର ବହେ ପ୍ରେମ-ଝର,
ବିଜେ କରିଛନ୍ତି ତହିଁ ସ୍ୱୟମ୍ଭୂ ଶଙ୍କର;
ଶୁଚିମନ୍ତ ହୋଇ ନିତି ଜ୍ଞାନ-ଦୀପ ଜାଳି,
ଶୁଦ୍ଦ-ଭକ୍ତି-ରସ ଦିଅ ସେ ଶ୍ରୀପଦେ ଢ଼ାଳି ।
ଉଜାଗର ରହି କର ତାଙ୍କ ପ୍ରିୟ କର୍ମ,
ପାଇବାକୁ ବାଞ୍ଛା ଯେବେ ଶିବରାତ୍ରି-ଧର୍ମ ।
ସମସ୍ତ ଜୀବନ କର ଏକ ଶିବରାତ୍ରି,
ଅନ୍ଧାରେ ନ ହୁଡ଼ ପଥ ହେ ସ୍ୱରଗ-ଯାତ୍ରି ।

[ ୮୭ ]