OO ପୃଥିବୀ ଯେ ପେଣ୍ଡୁ ଭଳି ଗୋଲ ସେ କଥା ମଣିଷ ପ୍ରଥମେ ଜାଣିଲା ଚନ୍ଦ୍ର ଗ୍ରହଣରୁ । ପୃଥିବୀ ବର୍ତ୍ତୁଳ ନହୋଇଥିଲେ ଚନ୍ଦ୍ର ଉପରେ ତା'ର ଛାଇ ସବୁବେଳେ ବୃତ୍ତ ଖଣ୍ଡ ଭଳି ହେଉ ନଥା'ନ୍ତି । ପୃଥିବୀ ଥାଳି ଭଳି ହୋଇଥିଲେ କେବେ ତା'ର ଛାଇ ଗାର ବା ପଟି ଭଳି ଦେଖା ଯାଉଥା'ନ୍ତା ।
OO ଆଇନ୍ଷ୍ଟାଇନ୍ଙ୍କର ଆପେକ୍ଷିକ ତତ୍ତ୍ୱ କୁହେ ଯେ ବସ୍ତୁର ଆକର୍ଷଣ ବଳରେ ଆଲୋକର ଗତିପଥ ମଧ୍ୟ ବଦଳି ପାରେ । ୨୯ ମେ ୧୯୧୯ ପୂର୍ଣ୍ଣ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟ ପାଖରେ ଥିବା ଗୋଟିଏ ତାରାର ସ୍ଥାନ ମାପିବାରୁ ଏହାର ପ୍ରମାଣ ମିଳିଲା ।
ଆକାଶର ଘଟଣାସବୁ ଭିତରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ମଣିଷକୁ ବେଶ୍ ଚମତ୍କୃତ କରିଥାଏ । ପରାଗ-ଗ୍ରହଣର କାରଣ ଏବେ ଆଉ ଅବୁଝା ହୋଇ ରହିନାହିଁ । ତେଣୁ ଏସବୁ ଏବେ ଆଗ୍ରହର କଥା ହୋଇଉଠିଛି । ଆମ ଚାରିପଟର କେତେ କେତେ ଘଟଣା ଭଳି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ପ୍ରକୃତିର ଦୁଇଟି ବିଶେଷ ଖେଳ । ପ୍ରକୃତିକୁ ବୁଝିବା ଦିଗରେ ଆମ ପାଇଁ ଏହା ଦୁଇଟି ସୁଯୋଗ । ତେଣୁ ଏହାକୁ ଆମେ ଭଲ କରି ଦେଖିବାକୁ ଭୁଲିବାନାହିଁ ।