ଏହି ଲକ୍ଷଣକୁ ଦର୍ପଣକାର ଅସ୍ୱୀକାରପୂର୍ବକ ରସାତ୍ମକ ବାକ୍ୟକୁ କାବ୍ୟ ବୋଲି ଅଙ୍ଗୀକାର କରିଅଛନ୍ତି ।
ଏହାହେଲେ ରସ ସ୍ୱରୂପ କି ? ରସ ଓ ଭାବ ଓ ରସାଭାବ ଇତ୍ୟାଦିକୁ ରସ ବୋଲି । ଯଥା, ଶୃଙ୍ଗାରାବି ରସ । ଭଗବଦ୍ବିଷୟକ ରତି (ପ୍ରୀତି) ପ୍ରଭୃତି ଭାବ । ଶୃଙ୍ଗାରାଦି ରସମାନେ ପଶ୍ୱାଦି ବିଷୟ ହେଲେ ରସାଭାସ ହୁଅନ୍ତି ।
ଏମାନଙ୍କର ବିବରଣ ପଶ୍ଚାତ୍ ହେବ ।
କାବ୍ୟରେ ଶ୍ରୁତିକଟ୍ୱାଦି ଦୋଷମାନେ, କାଣତ୍ୱ ଖଞ୍ଜତ୍ୱାଦି ପରି ରସର ମାଳିନ୍ୟ କରନ୍ତି; ଗୁଣ, ଅଳଙ୍କାର ଓ ରୀତି ଏମାନେ ଉତ୍କର୍ଷ କରନ୍ତି; କାବ୍ୟର ଶବ୍ଦାର୍ଥ ସ୍ୱରୂପ ଶରୀରରେ ଗୁଣମାନେ, ମନୁଷ୍ୟର ଶୈର୍ଯ୍ୟାଦି ପରି ଓ ଅଳଙ୍କାର, କଟକ କୁଣ୍ଡଳାଦି ପରି, ରୀତିମାନେ ଅବୟବ ସଂସ୍ଥାନ ବିଶେଷ ପରି (ରୁଚିରାକୃତି) ହୁଅନ୍ତି ।
ଏମାନେ ରସର ଉତ୍କର୍ଷ କରିବାରୁ ବାକ୍ୟର ମଧ୍ୟ ଉତ୍କର୍ଷ କରନ୍ତି । ଏମାନଙ୍କର ଲକ୍ଷଣ, ଉଦାହରଣାଦି ଅଗ୍ରେ ବକ୍ତବ୍ୟ ହେବ । କାବ୍ୟସ୍ୱରୂପ ନିରୂପଣନାମ ପ୍ରଥମଃ ପରିଚ୍ଛେଦଃ ।
ଯୋଗ୍ୟତା, ଆକାଙ୍କ୍ଷା, ଆସତ୍ତି ଯୁକ୍ତ ପଦସମୂହକୁ ବାକ୍ୟ ବୋଲି । ପଦାର୍ଥମାନଙ୍କର ପରସ୍ପର ସମ୍ବନ୍ଧ ବିଷୟରେ ବାଧର ଅଭାବକୁ ଯୋଗ୍ୟତା ବୋଲି, ଯଥା, "ବହ୍ନି ସିଞ୍ଚୁଅଛି" ଏସ୍ଥଳରେ ବହ୍ନି ସହିତରେ ସେଚନର ପରସ୍ପର ସମ୍ବନ୍ଧର ବାଧହେବାରୁ ଯୋଗ୍ୟତା ରହିପାରିଲା ନାହିଁ । "ଜଳ ସିଞ୍ଚୁଅଛି" ଏ ସ୍ଥଳରେ ଜଳର ସେଚନ ସହିତରେ ପରସ୍ପର ସମ୍ବନ୍ଧ ରହିବାରୁ ଯୋଗ୍ୟତା ରହିଲା ଓ ବାକ୍ୟ ମଧ୍ୟରେ ଗଣ୍ୟ ହେଲା । ଏକପଦ ବ୍ୟକ୍ତକଲେ କ୍ରମାନ୍ୱୟ ଅନ୍ୟ ପଦମାନ ଜାଣିବାର ଇଚ୍ଛାକୁ ଆକାଙ୍କ୍ଷା ବୋଲି । ଯଥା, “ଦେବଦତ୍ତ ଗ୍ରାମକୁ ଯାଉଅଛି" ଏସ୍ଥଳରେ ଜାଣିବାକୁ ପ୍ରତି ଜ୍ଞାନର କୌଣସି ବିରାମ ନ ହେବାରୁ ସୁତରାଂ “ଦେବଦତ୍ତ ଗ୍ରାମକୁ ଯାଉଅଛି" ବୋଲି ଜ୍ଞାନ ହୋଇଗଲା । ଯଦ୍ୟପି “ଦେବଦତ୍ତ ଯାଉଅଛି" ବୋଲାଯିବ, ତେବେ କେହି କହିବ