Jump to content

ପୃଷ୍ଠା:Alankara Bodhodaya.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଳଂକାରବୋଧୋଦୟ ୯୩

କହିଲା ସମୟରେ ଶବ୍ଦକୁ ଅପେକ୍ଷା କରେ । ଅତଏବ ପରସ୍ପର ସହକାରିତା ଅବଶ୍ୟ ସ୍ୱୀକାର କରିବାକୁ ହେବ । ଅଭିଧା, ଲକ୍ଷଣା, ବ୍ୟଞ୍ଜନା, ଏ ତ୍ରିତୟ ଉପାଧି ହେବାରୁ ଶବ୍ଦ ତିନି ପ୍ରକାର ହୁଏ ଯଥା, ବାଚକ, ଲକ୍ଷକ ଓ ବ୍ୟଞ୍ଜକ ।

ତତ୍ପର୍ଯ୍ୟାଖ୍ୟା ବୃତ୍ତି,

ଅଭିଧା ଏକ ଏକ ପଦାର୍ଥ ବୋଧ କରି ନିବୃତ୍ତ ହେଲା ଉତ୍ତାରୁ ବାକ୍ୟର ଅର୍ଥ ସ୍ୱରୂପ ପଦାର୍ଥାନ୍ୱୟର ବୋଧ ନିମିତ୍ତ ତାତ୍ପର୍ଯ୍ୟନାମକ ଗୋଟିଏ ବୃତ୍ତି ସ୍ୱୀକାର କରଯାଏ, ଯଥା, "ଭୋଜନ ସମୟରେ ସୈନ୍ଧବ ଆଣ" ଏଠାରେ ସୈନ୍ଧବ ଶବ୍ଦର ଅଶ୍ୱରୂପାର୍ଥ ଅଭିଧା ଦ୍ୱାରା ବୋଧିତ ହେଲାଉତ୍ତାରୁ ତାତ୍ପର୍ଯ୍ୟ ଦ୍ୱାରା ଲବଣ ରୂପାର୍ଥ ବୋଧ ହେଲା । ଇତି ବାକ୍ୟସ୍ୱରୂପ ନିରୂପଣନ୍ନାମ ଦ୍ୱିତୀୟ ପରିଚ୍ଛେଦଃ ।

ତୃତୀୟ ପରିଚ୍ଛେଦ
ରସ ନିର୍ଣ୍ଣୟ

ବିଭାବ, ଅନୁଭାବ, ବ୍ୟଭିଚାରୀ, ଏମାନେ ପ୍ରଥମରେ ଏକ ଏକ ପ୍ରତୀତ ହୁଅନ୍ତି, ପରିଶେଷରେ ଏକତ୍ର ହୋଇ ଅଖଣ୍ଡତାକୁ ପ୍ରାପ୍ତ ହୁଅନ୍ତି । ଯେପରି ପ୍ରପାନକରସରେ ଖଣ୍ଡ ମରିଚାଦିମାନେ ଏକ ଏକ ହୋଇ ଥାନ୍ତି ପରେ ମିଳିତ ହେଲେ ପ୍ରପାନକ ରସ ହୋଇ ପେୟ ହୁଅନ୍ତି, ସେହିପରି ବିଭାବାଦି ମାନେ ଏକ ଏକ ରୂପରେ ପ୍ରତୀତ ହେଲାପରେ ଅଖଣ୍ଡ ରସତାକୁ ପ୍ରାପ୍ତ ହୋଇ ଆସ୍ୱାଦନୀୟ ହୁଅନ୍ତି । ଯଦ୍ୟପି ବିଭାବାଦିମାନଙ୍କଦ୍ୱାରା ରସୋଦ୍‌ଗମ ହୁଏ ତେବେ ବିଭାବାଦି କାହାକୁ କୁହାଯାଏ ?

ବିଭାବ ଯଥା,

ରତ୍ୟାଦିର ଉଦ୍‌ବୋଧ କାରଣ ନାୟିକାଦିମାନେ ଯେବେ କାବ୍ୟ ନାଟକରେ ବର୍ଣ୍ଣିତ ହୁଅନ୍ତି ତାକୁ ବିଭାବ କୁହାଯାଏ । ବିଭାବ ଦୁଇ ପ୍ରକାର ଯଥା, ଆଲମ୍ବନ ବିଭାବ ଓ ଉଦ୍ଦୀପନ ବିଭାବ ।

ଆଲମ୍ବନ ବିଭାବ ଯଥା,

ଆଲମ୍ବନ ନାୟିକାଦିମାନେ ହୁଅନ୍ତି । ତାହାଙ୍କର ଅବଲମ୍ବନରେ ରସୋଦ୍‌ଗମ ହୁଏ, ଅର୍ଥାତ୍ ଯେଉଁ ରସରେ ଯେ ବିଭାବ ସେ ସେହି ରସରେ କଥିତ ହେବ, ଯଥା, ଶୃଙ୍ଗାରରେ ନାୟିକାଦି, ବୀରରେ ବୀରପୁରୁଷ ଆଦି, କରୁଣରେ ଶୋଚନୀୟ ବ୍ୟକ୍ତି ଇତ୍ୟାଦି ।