ପୃଷ୍ଠା:Alankara Bodhodaya.pdf/୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୭
 



ପ୍ରାକ୍-ସୂଚନା

ଅଳଙ୍କାର ବୋଧୋଦୟ ଏକ ଅନନ୍ୟ ଅଳଙ୍କାର ପୁସ୍ତକ । ଏହାର ପ୍ରଶଂସାରେ ରାଧାନାଥ ପ୍ରମୁଖ ଶତମୁଖ । ସେ ବଙ୍ଗଳାରେ ମଧ୍ୟ ଏରୂପ ପୁସ୍ତକ ଦେଖିନଥିବାର ସ୍ୱୀକାର କରନ୍ତି । ଏ ପ୍ରସଙ୍ଗରେ ଡକ୍ଟର ନଟବର ସାମନ୍ତରାୟଙ୍କ ମତ ପ୍ରଣିଧାନଯୋଗ୍ୟ - "ପୁରାତନ ସାହିତ୍ୟର କ୍ରମ ତିରୋଧାନ ଓ ଆଧୁନିକ ସାହିତ୍ୟର କ୍ରମ ପରିବର୍ତ୍ତନ, ଏଇ ଯୁଗ-ସନ୍ଧିବେଳେ ଓଡ଼ିଆ ଭାଷାରେ ଏପରି ଏକ ସାହିତ୍ୟସମାଲୋଚନାତ୍ମକ ଅଳଙ୍କାର ଗ୍ରଛର ଐତିହାସିକ ଆବଶ୍ୟକତା ଯେ ଯଥେଷ୍ଟ ଥିଲା, ତାହା ଆଦୌ ଅସ୍ୱୀକାର କରାଯାଇନପାରେ ।” (ଓଡ଼ିଆ ସାହିତ୍ୟର ଇତିହାସ) ଏ ପୁସ୍ତକଟି ପ୍ରଥମେ ବାମୁଣ୍ଡା ଜଗନ୍ନାଥ ବଲ୍ଲଭ ପ୍ରେସରେ ୧୮୮୬ରେ ପ୍ରକାଶ ପାଇଥିଲା । ସମକାଳୀନ ପତ୍ରିକା ଉତ୍କଳଦୀପିକା ଏ ଗ୍ରନ୍ଥକୁ ସ୍ୱାଗତ କରିଛି ।
ଅଳଙ୍କାର ବୋଧୋଦୟର ଅନେକ ଆଲୋଚନା ମଧ୍ୟରୁ ଉତ୍କଳଦୀପିକା - ୧୦.୭.୧୮୮୬; ବାଲେଶ୍ୱର ସଂବାଦ ବାହିକା (୧୯/୨୮) ଓ ଶିକ୍ଷାବନ୍ଧୁ (୨/୬-୭)ରେ ପ୍ରକାଶିତ ମଧୁସୂଦନ ରାଓଙ୍କ ଆଲୋଚନା ଏଥିସହିତ ପତ୍ରସ୍ଥ କରାଗଲା । ଅଳଙ୍କାର ବୋଧୋଦୟର ବିଜ୍ଞାପନ ସୁଢ଼ଳ ଦେବଙ୍କ ନିଜସ୍ୱ ଲେଖା ହୋଇଥିବାରୁ ଉତ୍କଳଦୀପିକା (୨୧/୨୬)ରୁ ଊଦ୍ଧୃତ କରାଗଲା । ବାହିକାରେ ପ୍ରକାଶିତ ଅଳଙ୍କାର ବୋଧୋଦୟର ସମାଲୋଚନାର ପ୍ରତି-ସମାଲୋଚନା ଶ୍ରୀ-ବାମଣ୍ଡା ସଂସ୍କାରକ ୩୨ ସଂଖ୍ୟାରେ କରନ୍ତି । ଏହାରି ଉପରେ ବାହିକା ପ୍ରକାଶିତ ମତକୁ ପାଠକଙ୍କ ଅବଗତି ପାଇଁ ସ୍ଥାନିତ କରାଗଲା । ସଂସ୍କାରକର ଲେଖାଟି ସଂଗ୍ରହ ହୋଇପାରିନଥିବାରୁ ଦୁଃଖିତ ।
ଅଳଙ୍କାର ବୋଧୋଦୟର ଉତ୍ତର ସୃଷ୍ଟି ରୂପେ ବାମଣ୍ଡାରୁ ସୁଢ଼ଳଦେବଙ୍କ ପ୍ରରୋଚନାରେ ଭୁବନେଶ୍ୱର ବଡ଼ପଣ୍ଡା ଅଳଙ୍କାର ଚନ୍ଦ୍ରିକା (୧୮୮୭) ରଚନା କରନ୍ତି । ଏଥିରେ ବିଭିନ୍ନ ଅଳଙ୍କାରର ସ୍ୱରୂପ ପଦ୍ୟାକାରେ ପ୍ରଦତ୍ତ । ଏତଦ୍‌ବ୍ୟତୀତ ସୁଢ଼ଳଦେବଙ୍କ ଆତ୍ମଜ ସଚ୍ଚିଦାନନ୍ଦ ଦେବ ‘ଅଳଙ୍କାର ସାର’ ରଚନା କରି ପିତୃଦେବଙ୍କ ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରନ୍ତି ।

- ସଂପାଦକ ।