ଅଳଂକାରବୋଧୋଦୟ
ଅତ୍ର ଏହି ଉକ୍ତି ଅନବସରରେ ହେବାରୁ ବୀର ରସର ଛେଦ ହେଲା । ପୁନଃ ପୁନଃ ଦୀପ୍ତି - ଯଥା, କୁମାର ସମ୍ଭବ ରତି ବିଳାପେ । ଅଙ୍ଗୀର ଅନନୁସନ୍ଧାନ - ଯେଉଁ ରସରେ ଯେ ଅଙ୍ଗୀ ତାହାର ଅନୁସନ୍ଧାନ ନ କରି ଯେ ଉକ୍ତି ବା ବର୍ଣ୍ଣନ ତାକୁ ଅଙ୍ଗୀର ଅନନୁସନ୍ଧାନ ବୋଲି । ଯଥା ରତ୍ନାବଳୀର ଚତୁର୍ଥ ଅଙ୍କରେ । ବାଭ୍ରବୀଙ୍କର ଆଗମନରେ ସାଗରିକାଙ୍କୁ ବିସ୍ମରଣ କରିବାର । ଅନଙ୍ଗର କୀର୍ତନ - ଯେଉଁ ରସରେ ଯେ ଅଙ୍ଗ ତାହାର ପ୍ରଶଂସା କଥନକୁ ଅନଙ୍ଗର କୀର୍ତନ ବୋଲି, ଯଥା କର୍ପୂର ମଞ୍ଜରୀରେ ରାଜା ନାୟିକାକୃତ ବସନ୍ତବର୍ଣ୍ଣନକୁ ଆଦର ନକରି ବନ୍ଦୀ (ଭାଟ) ବର୍ଣ୍ଣନକୁ ପ୍ରଶଂସା କଲେ । ଅଙ୍ଗର ଅତିବିସ୍ତାର - ଯଥା, କିରାତାର୍ଜୁନୀୟୋ ସୁରାଙ୍ଗନା ବିଳାସାଦି ବର୍ଣ୍ଣନ । ପ୍ରକୃତି ବିପର୍ଯ୍ୟୟ - ପ୍ରକୃତିମାନେ, ଦିବ୍ୟ, ଅଦିବ୍ୟ, ଦିବ୍ୟାଦିବ୍ୟ ଭେଦରେ ହୁଅନ୍ତି, ସେମାନଙ୍କର ଧୀରୋଦାତ୍ତାଦି ଓ ଉତ୍ତମାଧମ ମଧମତ୍ ହୁଏ । ସେମାନଙ୍କ ମଧ୍ୟରେ ଯେ ଯଥାଭୂତ ତାକୁ ସେପରି ବର୍ଣ୍ଣନ ନକରି ଅନ୍ୟଥା ବର୍ଣ୍ଣନ କଲେ ତାକୁ ପ୍ରକୃତି ବିପର୍ଯ୍ୟୟ ବୋଲି; ଯଥା, ବାଳି ବାଧରେ ଧୀରୋଦାତ୍ତ, ରାମଚନ୍ଦ୍ରଙ୍କର ଧୀରୋଦ୍ଧତ ବ୍ୟବହାର ବର୍ଣ୍ଣନ, ଏବଂଚ, କୁମାର ସମ୍ଭବରେ ଉତ୍ତମ ଦେବତା ପାର୍ବତୀ ପରମେଶ୍ବର ଦୁହିଁଙ୍କର ସମ୍ଭୋଗ ଶୃଙ୍ଗାର ବର୍ଣ୍ଣନ ଇତ୍ୟାଦି । ଅର୍ଥର ଅନୈଚିତ୍ଯ - ଦେଶକାଳଦିମାନଙ୍କର ଅନ୍ୟଥା ବର୍ଣ୍ଣନକୁ ଅଥୀନୌଚିତ୍ୟ ବୋଲି ॥ ଦେଶରୁ - ଯଥା, କର୍ଣ୍ଣାଟ ଦେଶ ମହିମା କେ କରେ ବର୍ଣ୍ଣନ, ଯହିଁ, କୁଙ୍କୁମ କସ୍ତୁରୀ ହୁଅଇ ଉତ୍ପନ୍ନ । କାଳରୁ - ଯଥା, ପ୍ରବେଶ ହୋଇଲା ବରଷ କାଳ, କୋକିଳ ଧ୍ବନିରେ ବନ ମଞ୍ଜୁଳ । କୁଙ୍କୁମ, କସ୍ତୁରୀ କାଶ୍ବାରଦେଶ ଓ ନେପାଳ ଦେଶ ଭିନ୍ନ ଅନ୍ୟଠାରେ ଉତ୍ପନ୍ନ ହେବାର ବର୍ଣ୍ଣନ ନାହିଁ । ଅତଏବ ଅଡ୍ର ଦେଶର ଅନ୍ୟଥା ବର୍ଣ୍ଣନ ହେଲା । ଏବଂଚ ବର୍ଷ କାଳରେ କୋକିଳ ଧ୍ବନି ବର୍ଣ୍ଣିତ ହେବାରୁ କାଳର ଅନ୍ୟଥା ବର୍ଣ୍ଣନ ହେଳା ।