ପୃଷ୍ଠା:Ama Deha (BB Patnaik 1940) o.pdf/୧୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୨
ଆମ ଦେହ

ଜିଭ ଆଗରେ ବେଶି ଥିବାରୁ ମିଠା ଚାଖିଲାବେଳେ ଆମେ ଆଗକରି ଜିଭ ଆଗ ବଢ଼ାଇ ଦେଉଁ । ସ୍ପର୍ଶେନ୍ଦ୍ରିୟ :-ଚମ ଆମ୍ଭମାନଙ୍କର ସ୍ପର୍ଶେନ୍ଦ୍ରିୟ । କୌଣସି ଜିନିଷ ଆମ୍ଭମାନଙ୍କ ଦେହରେ ବାଜିଲେ କିମ୍ବା କିଛି ଗୋଟାଏ ଫୋଡ଼ି ହୋଇଗଲେ ଆମେ ଯେ ତାହା ଜାଣିପାରୁ ଏଇ ହେଲା ସ୍ପର୍ଶେନ୍ଦ୍ରିୟର କାର୍ଯ୍ୟ । ଏହାଦ୍ୱାରା ମଧ୍ୟ ଆମ୍ଭେମାନେ ଥଣ୍ତା, ଗରମ, ଭାର, ହାଲୁକା, ନରମ କି ଟାଣ ଆଦି ବାରି ପାରୁଁ ଏବଂ କୌଣସି ଜିନିଷ ନ ଦେଖି ସୁଦ୍ଧା ତାହା ଗୋଲ, ଚେଷ୍ଟା କିମ୍ବା ଆଉ କିଛି ଆକାରର ଏବଂ ଚିକ୍କଣ କି ଆବୁଡ଼ା ଖାବୁଡ଼ା ଏହା ହାତ ବୁଲେଇ କହି ପାରୁଁ । ଚମ ଆମ ଦେହକୁ ଏକାବେଳେକେ ଘୋଡ଼େଇ କରି ରଖିଛି, ତେଣୁ ବାହାରର ଯେତେ ଯାହା ଆଘାତ ତାହା ପ୍ରଥମେ ଚମ ଉପରେ ପଡ଼ୁଅଛି । ଚମ ଆଘାତ ନ ପାଇବା ଯାଏ ଦେହ ଭିତରର କିଛି ଅନିଷ୍ଟ ହେବା ଅସମ୍ଭବ । ଚମରେ ସ୍ପର୍ଶେନ୍ଦ୍ରିୟ ଥିବାରୁ ଦେହର ଯେ କୌଣସି ଜାଗାରେ ଆଘାତ ପଡ଼ିଲେ ଆମେ ତାହା ଜାଣି ପାରି ଦେହକୁ ରକ୍ଷା କରିବାର ଚେଷ୍ଟା କରି ପାରୁଅଛୁଁ । ଚମର ଉପର ଅଂଶକୁ ମଳିଚମ (Epidermis) କହନ୍ତି । ସାଧାରଣତଃ ମଳିଚମ ଭାରି ପତଳା, କିନ୍ତୁ ପାପୁଲି ଉପରର କିମ୍ବା ତଳିପାର ମଳିଚମ ମୋଟା । ଆମେ ଗୋଡ଼ରେ ଚାଲୁଁ ଓ ହାତରେ ଧରୁଁ । ଏହି ହେତୁରୁ ଏ ସ୍ଥାନ ସବୁବେଳେ କଠିଣ ଜିନିଷ ସଙ୍ଗେ ଘଷି ହୁଏ; ତେଣୁ ଭିତରର କୋମଳ ଅଂଶକୁ ରକ୍ଷା କରିବା ନିମନ୍ତେ ଏ ସ୍ଥାନର ମଳିଚମ ଭାରି ମୋଟା । ମଳିଚମ ଭିତରେ ରକ୍ତ ଯିବା ଆସିବା ପାଇଁ କୌଣସି ପ୍ରକାର ଧମନୀ କିମ୍ବା