ପୃଷ୍ଠା:Ama Deha (BB Patnaik 1940) o.pdf/୧୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜନନେନ୍ଦ୍ରିୟ

ଜନନେନ୍ଦ୍ରିୟ:- ପୁରୁଷ ଏବଂ ସ୍ତ୍ରୀ ଏଦୁହିଙ୍କର ଗଠନପ୍ରଣାଳୀ ଏକ ହେଲେ ସୁଦ୍ଧା ସେମାନଙ୍କର ଜନନେନ୍ଦ୍ରିୟର ଗଠନ ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ଏଦୁହିଙ୍କର ଜନନେନ୍ଦ୍ରିୟ ବିଷୟ ସ୍ୱତନ୍ତ୍ରଭାବରେ କୁହାଯିବ ।

ପୁରୁଷଙ୍କର ଜନନେନ୍ଦ୍ରିୟ :- ପୁରୁଷମାନଙ୍କର ଜନନେନ୍ଦ୍ରିୟକୁ ଦୁଇ ଭାଗରେ ବିଭକ୍ତ କରାଯାଇ ପାରେ । ଯଥା :- ମୁଷ୍କ ବା ଅଣ୍ଡ (Testes) ଏବଂ ଶିଶ୍ନ ବା ଲିଙ୍ଗ (Penis) ।

ମୁଷ୍କ :- ପୁରୁଷମାନଙ୍କର ଦୁଇଟି ଅଣ୍ତ ଅଛି । ଏ ଦୁଇଟିଯାକ ଗୋଟିଏ ମୁଣି ଭିତରେ ଅଛି । ମୁଣିଟିରେ ଦୁଇଟି ପୁଡ଼ା ଅଛି । ପୁଡ଼ା ଦୁଇଟି ମଝିରେ ଗୋଟିଏ ପରଦା ଅଛି । ପ୍ରତ୍ୟେକ ପୁଡ଼ା ଭିତରେ ଗୋଟିଏ ଗୋଟିଏ ଦୁଇଟି କରି ଅଣ୍ଡ ରହିଅଛି । ଏହି ମୁଣାଟିକୁ ଅଣ୍ଡକୋଷ ବା କୋଷ (Scrotum) କହନ୍ତି ।

ଅଣ୍ଡ ଦେଖିବାକୁ ପ୍ରାୟ ଅଣ୍ଡା ପରି । ଶିଶୁ ଯେତେବେଳେ ମାଆ ପେଟରେ ଥାଏ, ସେତେବେଳେ ଏହି ଅଣ୍ଡ ତଳିପେଟ ଭିତରେ ଥାଏ, ଏହା ଆସ୍ତେ ଆସ୍ତେ ତଳକୁ ଖସି ଜନ୍ମ ହେବା ଆଗରୁ ଅଣ୍ଡକୋଷରେ ଆସି ପ‌ହଞ୍ଚିଥାଏ । ଅଣ୍ଡ ଦେଖିବାକୁ ଧଳା, କିନ୍ତୁ ପତ୍ର ଦେହରେ ଥିବା ସରୁ ସରୁ ଶିରା ପରି ଏହା ଦେହରେ ଛୋଟ ଛୋଟ ରକ୍ତାଧାର (Blood vessels) ଜାଲ ପରି ରହିଥିବାର ଦେଖାଯାଏ । ଅଣ୍ଡ ଦୁଇଟି ଦୁଇ ଗୋଟି ଦଉଡ଼ିରେ ଝୁଲିଲା ପରି ଝୁଲୁଥାଏ । ଏହି ଦଉଡ଼ିକୁ ଶୁକ୍ରରଜ୍ଜୁ (Spermatic Cord) କହନ୍ତି । ନାଡ଼ୀ, ଧମନୀ, ଶିରା ଓ ଶୁକ୍ରନାଳୀ ମିଶି ଏହି ଶୁକ୍ରରଜ୍ଜ