ପୃଷ୍ଠା:Ama Deha (BB Patnaik 1940) o.pdf/୧୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୪
ଆମ ଦେହ

ମଝି ଆସ୍ତର ମାଂସପେଶୀରେ ଓ ସବା ଭିତର ଆସ୍ତର ଶ୍ଳୈଷ୍ମିକ ଝିଲ୍ଲିରେ ତିଆରି ହୋଇଅଛି । ଛୁଆ ଜନ୍ମ ହେଲାବେଳେ ଜରାୟୁ ଭିତରେ ଥିବା ଏହି ମାଂସପେଶୀ ଚିପି ହୋଇଯାଏ, ତେଣୁ ଶୂଳ ଆସେ ଓ ଛୁଆ ବାହାରି ପାରେ । 'ଜରାୟୁର ଉପରଭାଗକୁ 'ଜରାୟୁ ମସ୍ତକ' (Fundus) କହନ୍ତି । ଏହାର ଏହି ଅଂଶଟି ହେଲା ସବୁଠାରୁ ଓସାରିଆ । 'ଜରାୟୁ ମସ୍ତକ' ତଳକୁ 'ଜରାୟୁ ଦେହ' (Body) ର ଆରମ୍ଭ । ସବା ତଳ ଅଂଶକୁ 'ଜରାୟୁଗ୍ରୀବା' (Cervix) କହନ୍ତି । ଏହି ଜରାୟୁଗ୍ରୀବା ଯୋନିଗହ୍ୱର ଭିତରକୁ ଗୋଟିଏ ଛୋଟ କଦଳୀଭଣ୍ଡା ପରି ବାହାରିଥାଏ ଏବଂ ଯୋନିଗହ୍ୱରର ଶେଷ ଅଂଶ ଏହାକୁ ଘେରି ରହିଥାଏ । ଜରାୟୁ-ଗ୍ରୀବାର ଅଗରେ ଗୋଟିଏ ରନ୍ଧ୍ର ଅଛି । ଏହି ରନ୍ଧ୍ରଟି ଜରାୟୁ ଭିତରେ ଫିଟିଛି । ଏହି ରନ୍ଧ୍ରବାଟେ ଶୁକ୍ରଜୀବାଣୁ ଜରାୟୁ ଭିତରକୁ ଯାଏ । ରନ୍ଧ୍ରଟି ଖାଲିବେଳେ ଏତେ ସରୁ ଥାଏ ଯେ, ରନ୍ଧ୍ର ଅଛି ବୋଲି ମୋଟେ ଜଣାଯାଏ ନାହିଁ । କିନ୍ତୁ ଛୁଆ ଜନ୍ମ ହେବାର ସମୟ ନିକଟ ହୋଇଗଲେ ଏହା ଆସ୍ତେ ଆସ୍ତେ ଓସାରିଆ ହେବାକୁ ଲାଗେ ଏବଂ ଏହି ବାଟେ ଛୁଆ ବାହାରେ ।

ଯୋନି (Vagina) :- ଏହା ୫/୬ ଇଞ୍ଚ ଲମ୍ବର ଗୋଟିଏ ବଙ୍କା ନଳ ଏବଂ ଯୋନିଗହ୍ୱର (Vaginal canal) ଓ ଯୋନିଦ୍ୱାର (Vulva) ଏହି ଦୁଇ ଭାଗରେ ବିଭକ୍ତ । ଯୋନିଗହ୍ୱରର ଭିତରେ ମୁଣ୍ଡ ଜରାୟୁଗ୍ରୀବାର ଚାରିପଟ ଘେରି ରହିଅଛି ଓ ବାହାର ମୁଣ୍ଡ ଯୋନିଦ୍ୱାରଠାରେ ଆସି ମିଳିଅଛି । ଯୋନିଗହ୍ୱର ଯୋନିଦ୍ୱାର ଆଡ଼କୁ ଟିକିଏ ସରୁ, କିନ୍ତୁ ଭିତରକୁ ଆସ୍ତେ ଆସ୍ତେ ଓସାରିଆ ହୋଇଅଛି । ବାହାହେବା ଆଗରୁ ଯୋନିଦ୍ୱାର ପାଖରେ ଗୋଟିଏ ଖୁବ ପତଳା